Unknown

 

 

 

 

 

 

 

 

 

 

ଭାଇ-ଭାଉଜ

ଶ୍ରୀ ଗୋପିନାଥ ବେହେରା

 

 

 

ବନ୍ଧୁ

ଶ୍ରୀ ହରିଶ ଚନ୍ଦ୍ର ରାଉତରାୟ

ଶ୍ରଦ୍ଧାବରେଷୁ..........

 

 

ଭାଇଠାରୁ ବଳି ଏ ଜଗତେ

କେ ଅଛିରେ ଅତି ଆପଣାର ?

ଭାଇ ପରା ବିପଦର ବନ୍ଧୁ

ପୋଛିବାକୁ ଆଖି ଲୁହ ଧାର ।

ଭାଇ ଯା’ର ନାହିଁ ଜଗତରେ

କେହି ତା’ର ନାହିଁ ସାଥୀଜଣେ ।

ଭାଇ ହରା ପ୍ରାଣ ମରୁ ଠାରୁ

ବଳି ଶୁଷ୍କ ଭାଇ ଏକା ମଣେ ।

 

–ଗୋପୀନାଥ–

☆☆☆

 

ଓଡ଼ିଶାର ଜନପ୍ରିୟ ପତ୍ରିକା ‘‘ଡଗର’’ କୁହେ;-

 

ପୁସ୍ତକଟିର ଭାବ-ପ୍ରବଣତାର ମୁଦ୍ରାଙ୍କିତ ହୋଇଛି । ମାତ୍ର ତାରି ଭିତରେ ସରଳ ଗ୍ରାମ୍ୟ ଜୀବନର ସୁଖ ଦୁଃଖ ଖୁବ୍ ଅଳ୍ପରେ ଫୁଟିଛି ଅନେକ ।

 

ଯେତେବେଳେ ସହରର ଅନୁକରଣ ତଥା ବଳିଷ୍ଠ ପ୍ରଭାତ-ଯନ୍ତ୍ର ଯୁଗର ପ୍ରଥମ ବଳି ରୂପେ ଭାଇ ଭାଇ, ଘର ଘର, ବାପ ପୁଅ, ସ୍ୱାମୀ ସ୍ତ୍ରୀ, ପଡ଼ୋଶୀ ପଡ଼ୋଶୀ ମଝିରେ ବି ବଡ଼ ବଡ଼ ପାଚିରି ଗଢ଼ିଉଠୁଛି, ସେତେବେଳେ ଭାବ-ପ୍ରବଣତା ହେଲେହେଁ ‘‘ଭାଇ ଭାଉଜ’’ ପରି ଗଳ୍ପର ପ୍ରଭାବ ସମାଜ ଉପରେ ମଙ୍ଗଳ କାରକ ।

☆☆☆

 

ଏକ

 

ଭାତ ଗୁଣ୍ଡାଟା ପାଟିକି ନେଉ ନେଉ ସରବା କହିଲା, ନୂଆଉ ତମେ ଭାଇଙ୍କି ଭାତ ଦେଲଣି ?

 

କଲ୍ୟାଣୀ କିଛି ଜବାବ ନ ଦେଇ ନୀରବ ରହିଲା ।

 

–କାହିଁ-କିଛି ତ କହୁନାହଁ ? ମୁଁ କ’ଣ ଅପରାଧ କରିଛି କି ? କାହିଁ ମନେ ତ ମୋର ପଡ଼ୁନି । ମୋ ରାଣ–ଥରେ କଥା କୁହ । କହିବ ନାହିଁ ? ସରବା ଉତ୍‌ପକ୍ଷ୍ମ ନୟନରେ ଚାହିଁ ରହିଲା କଲ୍ୟାଣୀର ମୁହଁକୁ । ନୂଆଉଠାରୁ ଜବାବ କିଛି ପାଇବ । କିନ୍ତୁ ଜବାବ ପାଇଲା ନାହିଁ ସେ–ପାଇଲା ଅଭିମାନ ଭରା କର୍କଶ କେତେପଦ କଥା । ଯେଉଁ କଥାରେ ସରବାର ହୃଦୟଟା କଠିନ ହୋଇ ଉଠିଲା । ଭାତ ଗୁଣ୍ଡାଟା ହାତରୁ ତା’ର ଖସି ତଳେ ପଡ଼ିଗଲା । ଝର ଝର ହୋଇ ଝରିପଡ଼ିଲା ସରବାର ଦୁଇ ଆଖିରୁ କେତେ ଟୋପା ଉଷ୍ମ ଲୋତକ । ଭାତ କଂସା ପାଖରୁ ଉଠିଗଲା ସେ–କିନ୍ତୁ ଅନ୍ତରରେ ତା’ର ଶତ ପ୍ରଶ୍ନ ଶତ ଜିଜ୍ଞାସାର ଅନଳ ଧୂ ଧୂ ହୋଇ ଜଳିଉଠିଲା । ନୂଆ’ଉ, ଯେଉଁ ନୂଆଉ ପ୍ରାଣଠାରୁ ବଳି ଭଲପାଏ ତାକୁ, ଯାହାର ସ୍ନେହ ଶ୍ରଦ୍ଧା ସେ ଜୀବନସାରା ଭୁଲିପାରିବନି, ରାଗ ଅଭିମାନରେ ନ ଖାଇଥିଲେ ହସ ହସ ମୁହଁରେ ହାତଧରି ଯେ ଖୁଆଉଥିଲା, ସେହି ନୂଆ’ଉର ଆଜି ଏ କି ପରିବର୍ତ୍ତନ ? କିଛି ସ୍ଥିର କରିପାରିଲା ନାହିଁ ସେ । ସନ୍ଦେହରେ ଅନ୍ତର ତା’ର ଭାଙ୍ଗିପଡ଼ିଲା ।

 

ଗାମୁଛା କାନିରେ ଲୁହବୋଳା ମୁହଁଟାକୁ ପୋଛୁ ପୋଛୁ ସରବା ଆଗେଇ ଚାଲିଲା କେଉଁ ଏକ ଦୂର ଗାଁ ଆଡ଼କୁ । କେହି ତାକୁ ଅଟକାଇ ପାରିଲେ ନାହିଁ । ଅଟକାଇ ପାରିଥାନ୍ତା କେବଳ ଜଣେ । କିନ୍ତୁ ସେହି ଜଣଙ୍କଠାରୁ ସରବା ଆଜି ଭର୍ତ୍ସନା ପାଇଛି । ରକ୍ତ ମାଂସ ଶରୀର, ସହ୍ୟ କରିପାରିଲା ନାହିଁ ସେ । ଏମିତି କଟୁକ୍ତି କଥା କେମିତି ସେ ସହ୍ୟ କରି ରହିବ ? ଘରୁ ଗୋଡ଼ କାଢ଼ି ପଳାଇ ଆସିଲା । କ’ଣ ସେ କରି ପକାଇଲା ? ଅସରନ୍ତି ଭାବନା ଭିତରେ ଆଗେଇ ଚାଲିଛି–ବହୁଦୂର ଚାଲି ଆସିଲାଣି । ଥକ୍‌କା ଲାଗିଲାଣି ତାକୁ । ସତେ–ସତେ କ’ଣ ସିଏ ଗାଁ ଛାଡ଼ି କେଉଁଆଡ଼େ ପଳାଇଯିବ । ଭାଇଭାଉଜଙ୍କ ମଧୁର ମମତାକୁ ମାଡ଼ି ମକଚି ଦେବ ? ଅନ୍ତରରେ ପ୍ରଶ୍ନ–ଖାଲି ପ୍ରଶ୍ନ ।

 

ଟାଣୁଆ ଖରା ଖଇ ଫୁଟୁଛି, ଦେହ ତାତିଯାଉଛି । ସେଥିକି ଖାତିରି ନାହିଁ ସରବାର । ରାଗ ଆଉ ଅଭିମାନରେ ଭୋକ, ଶୋଷ ଭୁଲି ଆଗେଇ ଚାଲିଛି ସେ । ବେଳେ ବେଳେ ଜୀବନର ପ୍ରଶ୍ନବାଚକ ଗୁଡ଼ାକ ଚଳନ୍ତି ପଥ ତା’ର ଅଟକାଇ ଦେଉଛନ୍ତି ।

 

ଭାଇ ତ ଗୋଟେ ସୁନାମୁଣ୍ଡା । ମୁହଁ ହୁଡ଼ି କାହାକୁ କିଛି କହେ ନାହିଁ । ଚାଣ୍ଡାଳଟା ସେଦିନ ସିନା କଥା କଥାକେ ଭାଇ ସାଙ୍ଗରେ କମର ଭିଡ଼ିଦେଲା–ଓଃ କ’ଣ ନ କଲା ସେ । ସେହି କଥା ଛଳନାରେ ନୂଆ’ଉ ଆଜି ଏପରି ବ୍ୟବହାର ତା’ ସାଙ୍ଗରେ କରିଛି । ସରବାର ସେଦିନ କଥାଟା ମନେପଡ଼ିଲା । ଦେହ ତା’ର ଶୀତେଇ ଉଠିଲା । କ’ଣ ସେ ଏଣୁ ତେଣୁ କଥା ପଦେ ନୂଆ’ଉଙ୍କୁ କହିଦେଇଥିଲା ବୋଲି, ଭାଇଙ୍କର ସନ୍ଦେହ ବୋଳା ହୃଦୟଟା ରାଗରେ ଜର୍ଜ୍ଜର ହୋଇ ଉଠିଲା ଖାମ୍‌ଖିଆଲ କଥାଟାରେ । ନୂଆ’ଉ ଭାଇଠାରୁ ଭର୍ତ୍ସନା ପାଇ ଦିନସାରା କାନ୍ଦି ବସିଲେ । ସରବାକୁ ଏସବୁ ଭଲ ଦେଖାଗଲା ନାହିଁ । ହୃଦୟଟା ତା’ର ପାଷାଣ ପରି ହୋଇଗଲା । ଭାଇକୁ ଆଉ ସେ ଭାଇ ରୂପରେ ଦେଖିପାରିଲା ନାହିଁ । ଭାଇ ଛାତିରେ ଛାତିକି ତା’ର ଭିଡ଼ିଦେଲା । ଲୋକେ ଛି’ ଛାକର କରି ଝଗଡ଼ାଟା ଭାଙ୍ଗିଦେଲେ । ମନ କଥା ମନରେ ରହିଲା ।

 

ସେହିଦିନଠାରୁ ସରବା ନୂଆ’ଉର ସ୍ନେହବୋଳା ଚକ୍ଷୁରେ ବିଷ ପରି ଦେଖାଗଲା । ରାଗ ଅଭିମାନରେ ସେ ତା’ର ପ୍ରତିଦାନ ସ୍ୱରୂପ ନୂଆ’ଉଠାରୁ ପାଇଲା ତାଡ଼ନା ଆଉ ଭର୍ତ୍ସନା । ଭାତ କଂସା ପାଖରୁ ଆଜି ସେ ଉଠି ଆସିଛି, ଠିକ୍‌ କରିଛି । ରହନ୍ତୁ ଏ ଭାଇ-ଭାଉଜ, ଥାଉ ଏ ଘର ଗ୍ରାମ-ସମ୍ପତ୍ତି ବାଡ଼ି । ଆଉ ମୁହଁ ଦେଖାଇବ ନାହିଁ ଏମାନଙ୍କୁ । ଆଗେଇ ଚାଲିଛି ସରବା । କେଉଁଆଡ଼େ ଯିବ ? କ’ଣ କରିବ ? କିଛି ସେ ସ୍ଥିର କରିପାରୁନି ।

 

ଖରା ମଳିନ ପଡ଼ିଲାଣି । ଭୋକରେ ସରବାର ପେଟଟା କାଲୁ ବାଲୁ ହେଉଛି । ଆଖିରୁ ତା’ର ତତଲାଲୁହ ନିଗିଡ଼ି ପଡ଼ୁଛି । ଥକ୍‌କା ଲାଗିଲାଣି ତା’କୁ । ଆଉ ବାଟ ଚାଲିପାରୁ ନାହିଁ । ଆଗରେ ଗୋଟାଏ ଗଛ । ସେହି ଗଛମୂଳେ ସରବା ଯାଇ ବସିପଡ଼ିଲା । ଶୋଷରେ ତଣ୍ଟି ତା’ର ଶୁଖିଯାଉଥାଏ । ଚାରିଆଡ଼କୁ ଚାହିଁଲା । କେଉଁଠି ସେ ପାଣି ଟୋପାଏ ଯଦି ପାଆନ୍ତା–ଦି’ ଢୋକ ପିଇଦିଅନ୍ତା । ମାତ୍ର କେଉଁଠି ହେଲେ ଟୋପାଏ ପାଣି ପିଇବାକୁ ପାଇଲା ନାହିଁ । ତା’ରି ପାଖ ଦେଇ ଗୋଟାଏ ଶଗଡ଼ିଆ ଶଗଡ଼ ଛୁଟାଇ ମନ ମତାଣିଆ ଗୀତ ଗାଇ ଗାଇ ଚାଲିଛି–ଆଗ ପଛ ହୋଇ ବାଟୋଇ ଚାଲିଛନ୍ତି–ଭାବି ଆଶାର ସଙ୍କେତ ଘେନି । ସମସ୍ତଙ୍କ ପ୍ରାଣରେ ଆନନ୍ଦ ।

 

ଏମାନଙ୍କୁ ମୁହଁ ଟେକି ଥରେ ଥରେ ଅନାଉଛି ସରବା । ସରବା ସହିତ ଏମାନଙ୍କର କି ସମ୍ୱନ୍ଧ ? ତା’ ପ୍ରତି କାହାରି ଟିକେ ହେଲେ ଲକ୍ଷ୍ୟ ନାହିଁ ।

 

ଦୁନିଆଟା ତ ଏହିପରି । ସମସ୍ତେ ଆପଣା ଆପଣା ପାଇଁ ବ୍ୟସ୍ତ । କାହା କଥା କିଏ ବୁଝୁଛି ?

 

ନାଁ ଆଉ ଡେରି କଲେ ଚଳିବ ନାହିଁ । ଉଠି ପଡ଼ିଲା । ପୁଣି ଆଗେଇ ଚାଲିଲା । ଅନେକ ବାଟ ଚାଲି ଆସିଲାଣି । କୁଆଡ଼େ ଯିବ ? କ’ଣ କରିବ ? ଅନିର୍ଦ୍ଦିଷ୍ଟ ତା’ର ପଥ-ଅନିର୍ଦ୍ଦିଷ୍ଟ ତା’ର ଭାବନା । ଅନ୍ଧାର ମାଡ଼ିଆସୁଛି–ଆଉ ବେଶୀ ଦୂର ଯାଇ ହେବନି । ସରବା ଆଗକୁ ଚାହିଁଲା, ଗୋଟାଏ ଗାଁ ଦିଶୁଛି–କେଉଁ ଗାଁ ହେବ କେଜାଣି ? ସେହି ଗାଁ ଆଡ଼କୁ ଚାଲିଲା । ଖୁବ୍‌ ଜୋର୍‌ରେ ଚାଲିଲା । ରାସ୍ତାରେ ଯାଉଁ ଯାଉଁ ଜଣେ ବାଟୋଇକୁ ପଚାରିଲା, କହି ପାରିବକି ଭାଇ, ଆଗରେ ଏ କେଉଁ ଗ୍ରାମ ?

 

ବାଟୋଇଟି ସରବାର ମୁହଁ ଆଡ଼କୁ ଥରେ ଅନାଇ ଦେଇ କହିଲା, ଧାନମଣ୍ଡଳ ।

 

ସରବା ଧାନମଣ୍ଡଳ ଷ୍ଟେସନ କଥା ଶୁଣିଛି । କେବେ ସେ ଧାନମଣ୍ଡଳ ଆସି ନାହିଁ । ଯେଉଁ ଧାନମଣ୍ଡଳ ଷ୍ଟେସନଠୁ ଲୋକେ କଲିକତାକୁ ଗାଡ଼ି ଚଢ଼ନ୍ତି, ସେହି ଧାନମଣ୍ଡଳ ଷ୍ଟେସନଠୁ ସେ ଆଜି ଗାଡ଼ି ଚଢ଼ିବ–କଲିକତା ଯିବ ।

 

ଆଗେଇ ଚାଲିଛି ସରବା । କାହିଁ କେତେ ଦୂରେ ଗାଁ ତା’ର ଛାଡ଼ି ଆସିଲାଣି–ଆଖି ପାଉନି କୁଶୁପୁରକୁ । ସେ ଆଜି କୁଶୁପୁର ଗାଁ ଛାଡ଼ି କଲିକତା ଯିବ । ଏହା ହିଁ ତା’ର ଶେଷ ଉପାୟ-। ଅସରନ୍ତି ଭାବନା ଭିତରେ ସରବା ଧାନମଣ୍ଡଳ ଷ୍ଟେସନରେ ପହଞ୍ଚିଲା ।

 

ଆଖି ସାମନାରେ ତା’ର ଗୋଟାଏ ମାଲବୁହା ରେଲଗାଡ଼ି ଭୀମ ରଡ଼ି ଦେଇ ଛୁଟି ଚାଲିଗଲା କଟକ ଷ୍ଟେସନ ଆଡ଼େ । ସେଇଟାକୁ ଅପଲକ ନୟନରେ ଚାହିଁ ରହିଲା ସରବା ।

 

କିଏ ସରବା କିରେ ?

 

ସରବା ଚମକି ପଡ଼ି ଅନାଇଁ ଦେଲା, ପଛରେ ତା’ର ଛିଡ଼ାହୋଇଛି କିଣା ସାମଲ ।

 

ସରବା କହିଲା, କିଣା ଦାଦା ତମେ କୁଆଡ଼େ ଯିବ ?

 

–ମୁଁ ପରା କଲିକତା ଯାଉଛି । ଆଉ ତୁ ?

 

–ମୁଁ କୁଆଡ଼େ ଯିବି ଠିକ୍‌ କରିନି ।

 

–ଛି’ ପାଗଳାଟା । ଘରକରି ସମସ୍ତଙ୍କର କଳି ଝଗଡ଼ା ଲାଗୁଛି । ମାନ ଅପମାନ ମେଣ୍ଟୁଛି ନା ରହୁଛି ? ଭାଇ ଭାଉଜ ଯେତେହେଲେ ପର ସେମାନେ । ସହି ସମାଳି, ନିଜର ମାନ ମର୍ଯାଦା ରଖି ଚଳିବା ସିନା ଭଲ । କ’ଣ କଲୁ କହନି ? ଲୋକେ କ’ଣ କହିବେ ?

 

ସରବା ଗୁମ୍‌ ମାରି ଶୁଣିଗଲା ସବୁ । ଜିଭ ତା’ର ନେଉଟିଲା ନାହିଁ, କ’ଣ ସେ ଜବାବ ଦେବ ? କେବଳ ଏତିକି କହିଲା, କିଣା ଦାଦା, ଯାହା ତ ହେବାର ହେଲାଣି–ମୁଁ ଗାଁକୁ ଫେରିଯିବି ନା-?

 

–ଆଉ କେଉଁଆଡ଼େ ଯିବୁ ?

 

–ତମ ସାଙ୍ଗରେ କଲିକତା ଯିବି ।

 

କିଣା ସାମଲ ଟିକେ ହସିଦେଇ କହିଲା–ସରବା, ଛି, କଲିକତାକୁ ତୁ କାହିଁକି ଯିବୁ ? ଦିନୁ କ’ଣ ଭାବିବ ? କହନି ।

 

–ଯାହା ଭାବୁ ସେ ମୁଁ କଲିକତା ତମ ସାଙ୍ଗରେ ଯିବି ।

 

କିଣା ସାମଲ ଅନେକ ବୁଝାଇଲା କିନ୍ତୁ ସରବା ଜିଦ୍‍ କରି ବସିଲା, ସେ ଆଉ ଭାଇ ଭାଉଜଙ୍କୁ ମୁହଁ ଦେଖାଇବ ନାହିଁ ।

 

କିଣା ସାମଲ ସବୁ ବୁଝେ, ସବୁ ଜାଣେ । ଗାଁର ଗୋଟାଏ ପୁଅ, ଭାଇ, ଭଲ ମନ୍ଦରେ ଘର ଛାଡ଼ି ପଳାଇ ଆସିଛି, ତାକୁ ପାଞ୍ଚକଥା ବୁଝାଇ କହିବା । ବୁଝିଲେ ଫେରିଯିବ, ନବୁଝିଲେ ନାହିଁ-। ସରବା କିନ୍ତୁ ବୁଝିଲା ନାହିଁ ସେ କଥାକୁ । ଗୋଟାଏ ଜିଦ୍‌ କଲିକତାକୁ ଯିବ ।

 

–ତା’ହେଲେ ତୁ କ’ଣ କଲିକତାକୁ ଯିବୁ ସରବା ?

 

–ହଁ ।

 

–ଟଙ୍କା ଆଣିଛୁ ହାତରେ ?

 

–ନାଁ ଦାଦା, ହାତରେ ଗୋଟାଏ ପଇସା ନାହିଁ । କାହିଁକି ବା ତା’ ଘରୁ ଟଙ୍କା ଆଣନ୍ତି ? ଶେଷରେ ବଦନାମ ଦେଇ କହିଥାନ୍ତା–ସରବା ଟଙ୍କା କଉଡ଼ି ନେଇ ପଳାଇଗଲା । ତମେ ଗାଡ଼ି ଖର୍ଚ୍ଚଟା ଚଳାଇ ଦିଅ । ତମରି ପାଖରେ ଚାକିରି କରି ସୁଝି ଦେବି ।

 

କିଣା ସାମଲ ହସିଲା, କହିଲା । ଦୂର୍‌ ପାଗଳାଟା ।

 

ସଜ ନାଗରା ବାଜିଗଲାଣି । ଷ୍ଟେସନର ବତୀ କେଇଟା ଜଳିଉଠିଲାଣି । କିଣା ସାମଲ ଗଣ୍ଠିଲିଟା ହାତରେ ଧରି ଆଗେଇ ଚାଲିଲା । ମୁଷାଫିର ଖାନା ଆଡ଼େ । ସରବା ତା’ ପଛେ ପଛେ ଚାଲିଲା ।

 

ଦୁଇ

 

କୁଶୁପୁର ଗାଁଟି । ବଡ଼ ଗାଁ ।

 

ଉତ୍ତର ପଶ୍ଚିମରେ ବିରୂପା ନଈ ବହିଯାଉଛି । ଅଦୂରରେ ବଅଡ଼ିଅ, ନଳିତଗିରି ପର୍ବତ ଶ୍ରେଣୀ । ସବୁ ଜାତିର ଲୋକ ସେଠି ବାସ କରନ୍ତି । ଅଧିକାଂଶ ଚାଷୀ-ଚାଷ ଉପରେ ବର୍ଷକ ବାରମାସ ନିର୍ଭର କରନ୍ତି ସେମାନେ । ଧାନ, ମୁଗ, ବିରି, ସୋରିଷ ନାନା ପ୍ରକାର ଫସଲ ମାଟି ତାଡ଼ି ଆମଦାନି କରନ୍ତି । ଆପଣାର ଗୁଜୁରାଣ ଚଳିଯାଏ–ବଳକା ହେଲେ କେହି ବା ବିକ୍ରି କରେ । ଅଭାବ ଅନାଟନ କେବେ ସେ ଗାଁକୁ ପଡ଼ିନାହିଁ ।

 

ସେହି ଗାଁଟିରେ ଦିନୁ ରାଉତର ଘର । ଜମି ତିନିମାଣେ ଅଛି । ଜମିରୁ ଯାହା ଗଣ୍ଡେ ଫସଲ ଫଳେ ସେଥିରେ ଦୁଃଖେ ସୁଖେ ଦିନ ମୁଣ୍ଡ ତା’ର ପାଇଯାଏ । ରାଉତଘର ବୁନିଆଦ ଘର । ବାପାଗୋସାପାର ଟେକ ରଖିବା ପାଇଁ ଦିନୁ ଘରଟିକୁ ସୁରୁଖୁରୁରେ ଚଳାଇ ଥାଏ । ଦୁଇଟି ଭାଇ-ଦିନୁ ବଡ଼ ସରବା ଛୋଟ । ଦିନୁକୁ ବାଇଶ ବର୍ଷ । ସରବାକୁ ଷୋହଳ । ସରବାକୁ ଯେତେବେଳେ ଚାରି ବରଷ ସେତେବେଳେ ବାପ ତା’ର ମରିଛି ।

 

ଏମିତି ଦିନ ପୁଣି ଆସେ.......

 

ମଣିଷର ସବୁ ପଣ ସବୁ ଚାହିଦା ଓଲଟି ପଡ଼େ । ନିୟତିର ଡାକରା । ଦିନୁ ଜୀବନରେ ଆସିଥିଲା ଗୋଟାଏ ତୁମୁଳ ଝଡ଼ର ହାବକା, ଯାହା ସେ ଏଡ଼ି ପାରିନଥିଲା । ବାହାଘରଟା ତା’ର କେଉଁଦିନରୁ ଚାଲିଗଲାଣି–ବାହାଘରର ଖର୍ଚ୍ଚ ପାଇଁ ନିଅଣ୍ଟ ପଡ଼ିଥିଲା ଟଙ୍କା କେତେଟା । କ’ଣ କରିବ ? ଟିପ ତମସୁକ କରି ଟଙ୍କା ଶହେ ଆଣିଥିଲା ମହାଜନ ଘରୁ । ମହାଜନର ତାଗଦା ଉପରେ ତାଗଦା । ଗତର ଖଟେଇ ବରଷକ ସେ ଜମିରୁ ସୁନାର ଧାନ ଫଳାଇଥିଲା–ସବୁ ବିକିଲା ପରକୁ । ଟିପ ତମସୁକ ଅସୁଲ ଦେଲା ଦିନୁ । ମହାଜନ ଘରୁ ତମସୁକ ଖଣ୍ଡି ଫେରାଇ ଆଣିଲା ସେ-। ଖମାରକୁ ଚାହିଁଲାବେଳକୁ ଦିନୁର ହଲକ ଶୁଖିଗଲା । ତା’ର ଧାନ କାହିଁ ? ଚାରୋଟି ପେଟ-। ବରଷକର ଦାନା !! ମୁଣ୍ଡ ତା’ର ବିଗିଡ଼ି ଗଲା । ଆଉ ଘରେ ରହିବାକୁ ମନ ହେଲା ନାହିଁ । ବିଦେଶ କରି ଯିବ । କୁଟୁମ୍ୱ ବଞ୍ଚାଇବ । କୁଟୁମ୍ୱ ବଞ୍ଚାଇବା ପାଇଁ ଦିନୁ ବିଦେଶ ବାହାରିଲା–କାହିଁ କେତେ ଦୂର କାଳିମାଟି, କାଳିମାଟି ଲୁହା କାରଖାନା ଭିତରେ ଜୀବନର ଜିଅନ୍ତା ସ୍ୱପ୍ନ ଦେଖିବାକୁ ଗଲାବେଳେ ଦିନୁ ଆଖିରୁ ଲୁହ ଗଡ଼ାଇ କଲ୍ୟାଣୀକି ପାଖକୁ ଡାକି କହିଯାଇଥିଲା, କଲ୍ୟାଣୀ, ମାଆ କଥା ମାନି ଚଳିବୁ । ଦିନ କେଇଟା ଗଡ଼ି ପଡ଼ିଲେ ମୁଁ ଫେରିଆସିବି ଯେ ।

 

ସରବାକୁ ଆକଟ କରି କହିଯାଇଥିଲା କେତେ କଥା ।

 

କଲ୍ୟାଣୀ ଲୁହ ଛଳ ଛଳ ଆଖିରେ ଦିନୁକୁ ବିଦାୟ ଦେଇଥିଲା । ଦିନୁର ବେଦନା ଭରା ପ୍ରାଣରେ ଆଘାତ । ମାଆଠାରୁ ବିଦାୟ ନେଇ ଏକମୁହାଁ ହୋଇ ଘରୁ ସେ ପଳାଇଗଲା । ମାସ ଗୋଟାକରେ ଦିନୁ କାଳିମାଟିରେ କାମ ଖଣ୍ଡେ ପାଇ ଚିଠି ଆଉ ଟଙ୍କା କେତୋଟି ଘରକୁ ପଠାଇଲା-। ଚିଠି ଟଙ୍କା ପାଇ ବୁଢ଼ୀ ମାଆ ତା’ର କୋଟି ଆଦର କରି ପୁଅକୁ କଲ୍ୟାଣ କଲା । ଏମିତି ଦିନ ପରେ ଦିନ ମାସ ପରେ ମାସ ବିତି ଚାଲିଲା ।

 

ଦିନୁ ମାସରେ ଦି’ ଚାରିଖଣ୍ଡ ଚିଠି ଘରକୁ ପଠାଏ–କଲ୍ୟାଣୀ କଥା ଲେଖେ, ସରବା କଥା ଲେଖେ । ଘରୁ ବି ଚିଠି ପାଏ ।

 

ସେଥର କୁଶୁପୁରରେ ଲାଗିଲା ଭାରି ବଇଆର ଗୋଳ । କେଜାଣି କେତେ ଲୋକ ପୋକ ମାଛି ପରି ମଲେ–ତା’ର ହିସାବ ରହିଲା ନାହିଁ । ଦିନୁ ପାଖକୁ ଚିଠି ଆସିଲା ଗାଁରେ ଭାରି ବଇଆର ଗୋଳ ଲାଗିଛି । ଦିନୁ ଚିଠି ପଢ଼ିଲା । ଛାତି ଭିତରଟା ତା’ର କେମିତିକା ହୋଇଗଲା । ମନଟା ତା’ର ଛୁଇଁଲା–କାଳେ...... ।

 

ଠିକ୍‌ ଚାରିଦିନ ପରେ ଦିନୁ ଚିଠି ପାଇଲା । ମାଆଟି ତା’ର ବଇଆରରେ ପଡ଼ିଛି । ଦିନୁ ଚିଠି ପଢ଼ି କାନ୍ଦି ପକାଇଲା । ମୁଣ୍ଡ ତା’ର ଘୂରିଗଲା । ସତେ ଭଗବାନ ତାକୁ ଏମିତି ବିପଦରେ ପକାଇଲେ । କ’ଣ କରିବ । ଚାକିରି ଖଣ୍ଡିକ ମୋହ ନା ମାଆ ପ୍ରତି ମୋହ ? ଦୁଇଟା ସମସ୍ୟା ଆଗରେ ତା’ର ଛିଡ଼ା ହେଲା ଆସି । କିଛିକ୍ଷଣ ଭାବିଲା ଦିନୁ.... । କରଜ ଟଙ୍କା ତ ଶୁଝି ଦେଇଛି–ଯାହା ହାତରେ ଦି’ପଇସା ଅଛି ସେଇ ତା’ର ଯଥେଷ୍ଟ । ଲୋଡ଼ା ନାହିଁ ଧନ ପଇସା । ସେହିଦିନ ଦିନୁ ଚାକିରିର ମୋହ ତୁଟାଇ ଗାଡ଼ି ଚଢ଼ିଲା । ମାଆକୁ ତା’ର ଦେଖିବ ।

 

ତହିଁ ଆରଦିନ ଗାଧୁଆବେଳେ ଦିନୁ ଘରେ ପହଞ୍ଚିଲା । ଦିନୁକୁ ଦେଖି କଲ୍ୟାଣୀ ଆଖିରୁ ଲୁହ ଗଡ଼ିପଡ଼ିଲା । ସରବା ମାଆର ସ୍ନେହ ଶ୍ରଦ୍ଧା କଥା ମନେପକାଇ କାନ୍ଦିଉଠିଲା । ଦିନୁ ବୁଝିଲା ମାଆ ତା’ର ଏ ପୁରରେ ଆଉ ନାହିଁ । ଭୋ କରି କାନ୍ଦିଉଠିଲା । ଲୋକେ ବୁଝାଇ ସୁଝାଇ ତୁନି କଲେ ତାକୁ ।

 

X X X

 

ଦିନୁର ମାଆ ମରିଯିବା ଦୁଇମାସ ହୋଇଗଲା । ଆଉ ସେ କାଳିମାଟି ଗଲା ନାହିଁ । ବିଦେଶ ତାକୁ ଆଉ ଭଲ ଲାଗୁନାହିଁ । ଯାହା ସେ ବିଦେଶ କରନ୍ତା-ଯଦି ଘର ଚଳାଇବା ପାଇଁ ମାଆ ଆଜି ଥା’ନ୍ତା । ଘର କିମିତି ଆଉ ଚଳିବ ? ସରବା ଚଗଲାଟା–କଲ୍ୟାଣୀ ତ କଲ୍ୟାଣୀ । ଏପରି ଅବସ୍ଥାରେ ସେ ବା କିପରି ବିଦେଶ କରିଯିବ ? ଯୁବତୀ ସ୍ତ୍ରୀକୁ କିମିତି ଘରେ ଏକା ଏକା ପିଲା ଦିଅରଟା ପାଖରେ ଛାଡ଼ି ଯିବ ? ବାରଲୋକ ବାର କଥା କହିଲେ, ଦିନୁ ଜାଣୁ ଜାଣୁ ଭଲ ଚାକିରିଟା ଛାଡ଼ିଦେଲୁ ? ଦିନୁ ସବୁ ଶୁଣେ-ସବୁ ବୁଝେ । କାହାରିକି କିଛି କୁହେନା । ଆପଣା ଧନ୍ଦାରେ ଲାଗେ । ସେ ବୁଝିଛି ପେଟ ଗଣ୍ଡାକ ପୂରିଲେ ହେଲା–ଅଧିକା ଲୋଡ଼ା ନାହିଁ ତା’ର । ଏଣୁ ମନ ପ୍ରାଣ ଦେଇ ଚାଷରେ ଲାଗିପଡ଼େ । ଦିନୁ ଯାଏ ହଳକୁ–ସରବା ଓପାଡ଼େ ବିହନ । ଦି’ ଭାଇ ଏକକୁ ଆରେକ । ହେଲେ କ’ଣ ହେବ–ସରବା ଚଗଲାଟା । ଯେତେହେଲେ ଭାଇ ତ । ଦିନୁ କିଛି କୁହେ ନାହିଁ ତାକୁ । କ’ଣ ବା କହିବ ? ଦିନୁ ସେ ଦିନ ଗାଁ ଦାଣ୍ଡଆଡ଼େ ବୁଲିଯାଇଛି । କଲ୍ୟାଣୀ ଘର ଭିତରେ କ’ଣ କାମ କରୁଥାଏ–ସେଇ ଘରେ ଥାଏ ସରବା । ମନରେ ତା’ର ଆନନ୍ଦର ଢେଉ ଖେଳୁଛି । ହସ ହସ ମୁହଁରେ ସରବା କଲ୍ୟାଣୀକୁ କହିଲା, ନୂଆ’ଉ, ଭାଇ ଯଦି କାଳିମାଟି ଯାଆନ୍ତି-? ତମର ଖବର ଅନ୍ତର ମୁଁ କ’ଣ ବୁଝିପାରିବି ନାହିଁ ? ମୋର କ’ଣ ସେ କ୍ଷମତା ଆସିନାହିଁ ? ସତ କରି କୁହନି ନୂଆ’ଉ, ତମେ ମୋତେ ଭଲପାଅ ?

 

କଲ୍ୟାଣୀ ମୁରୁକିହସା ଦେଇ ଦିଅରର ଚିତ୍ତ ସନ୍ତୋଷ ପାଇଁ ନୀରବ ରହିଲା । କିଏ ଜାଣିଥିଲା ଏଇ ଚିତ୍ତ ସନ୍ତୋଷ ଭିତରେ ଏମିତି ଗୋଟାଏ ଖେଳ ଲାଗିଯିବ ବୋଲି ? ଦିନୁ ଘର ଭିତରକୁ ପଶିଆସିଲା-ଆଖିରେ ତା’ର ଅଗ୍ନିର ସୁଲିଙ୍ଗ କଣା । ସବୁ ସେ ଶୁଣିଛି-ବାହାରେ ଥାଇ-ସରବାର ସବୁ କଥା ଶୁଣିଛି । କେତେଆଡ଼ୁ କେତେ ପ୍ରଶ୍ନ ଆସି ଆଗରେ ତା’ର ବିରାଟ ବନ୍ଧ ତୋଳି ଛିଡ଼ା ହେଲା । ସନ୍ଦେହରେ ହୃଦୟଟା ତା’ର ବରଫ ପରି ତରଳି ଗଲା । ମନଟା ତା’ର ବୁଝିଲା ନାହିଁ-। ସନ୍ଦେହ, ଘୋର ସନ୍ଦେହ । ଭାଇ ନା ସ୍ତ୍ରୀ ? ଆଉ ବିଶ୍ୱାସ ନାହିଁ । ଗର୍ଜି ଉଠିଲା ଦିନୁର ଅନ୍ତର ।

 

ଚମକି ପଡ଼ିଲା କଲ୍ୟାଣୀ–ସ୍ୱାମୀର ଏ କି ପରିବର୍ତ୍ତନ ଆଜି । କ’ଣ ସେ ଜବାବ ଦେବ-? ଦିଅରଟା ତ କହି ପକାଇଲା–ଥଟ୍ଟାତାମସାରେ କଥା କେଇପଦ । ମନ ତା’ର ରଖିବାକୁ ଯାଇ–କଲ୍ୟାଣୀ ପଡ଼ିଗଲା ସ୍ୱାମୀର ସନ୍ଦେହ ଚକ୍ଷୁରେ । କଲ୍ୟାଣୀ ଥରିଲା ଗଳାରେ ସ୍ୱାମୀକୁ ତା’ର କହିଲା, ମନଟା ଏମିତି ବିରସ କରିଛ ? କ’ଣ ତମର ହୋଇଛି କି?

 

ଦିନୁ ନୀରବ ।

 

ଅନ୍ତର ତା’ର ଜଳି ପୋଡ଼ି ଯାଉଛି–ସେ କଥା କଲ୍ୟାଣୀ ବେଶ୍‌ ଅନୁଭବ କରିପାରୁଛି । ଦିନୁର ପ୍ରାଣଟା ଅସ୍ଥିର ହୋଇପଡ଼ିଲା । ଆଉ ସରବାକୁ ବିଶ୍ୱାସ କରିପାରିଲା ନାହିଁ ।

 

ସେଦିନ ସଞ୍ଜରେ ଦିନୁ କଲ୍ୟାଣୀକୁ ପାଖକୁ ଡାକି ଏ ସବୁ କଥା ପଚାରିଲା । କଲ୍ୟାଣୀ କାଠ ପିତୁଳା ପରି ଆଗରେ ତା’ର ଛିଡ଼ା ହୋଇଥାଏ ।

 

ଏତିକି କେବଳ କଲ୍ୟାଣୀର ପାଟିରୁ ବାହାରି ପଡ଼ିଲା–ତୁମେ ଯଦି ଟିକକ କଥାରେ ଏମିତି ଅବିଶ୍ୱାସ କରିବ ତା’ହେଲେ ଜୀବନ ହରାଇ ଦେବି ।

 

ଜୀବନ ହରାଇ ଦେବ ? ଜୀବନ ହରାଇ ଦେବ ନୂଆ’ଉ ? ରଙ୍ଗା ପଡ଼ିଗଲା ସରବାର ଆଖି ଦୁଇଟା । ଦିନୁ ସାଙ୍ଗରେ କମର ଭିଡ଼ିଦେଲା ସେଦିନ । ଲୋକେ ଆସି କଳି ଝଗଡ଼ା ମେଣ୍ଟାଇ ଦେଇ ଗଲେ । କଲ୍ୟାଣୀର ଏ ସବୁ ଅସହ୍ୟ ମନେହେଲା । ସରବାକୁ ସେଇ ଦିନଠୁ ଆଉ କଥା କହିଲା ନାହିଁ ।

 

X X X

 

ଭାତ କଂସା ପାଖରୁ ଉଠି, ସରବା କେଉଁଆଡ଼େ ପଳାଇଯାଇଛି । ସକାଳ ଯାଇ ସଞ୍ଜ ହେଲା, ରାତି ପାହି ଦିନ ହେଲା–ତଥାପି ଘରକୁ ଫେରିଲା, ନାହିଁ । ଦିନୁ ଭାବିଥିଲା ଚଗଲାଟା କେଉଁଆଡ଼େ ଚାଲିଯାଇଛି–ଯାଇ ଥାଉ ସେ ଆପେ ଆପେ ଫେରିଆସିବ । ଫେରିଲା ନାହିଁ ସରବା-। ଦିନୁ ମନଟା କେମିତିକା ହୋଇଗଲା ।

 

କଲ୍ୟାଣୀ ସାଇ ଅଗଣାରେ ବସିଛି ।

 

ଦିନୁ ମୁହଁ ଶୁଖାଇ କହିଲା, କଲ୍ୟାଣୀ ସତେ କ’ଣ ସରବା ରାଗ ତମରେ ଘର ଛାଡ଼ି କେଉଁଆଡ଼େ ପଳାଇଲା ?

 

କଲ୍ୟାଣୀ ନୀରବ । କ’ଣ ସେ ଉତ୍ତର ଦେବ ? ଦିଅରଟା ହସ ଖୁସିରେ ଥଟ୍ଟା ତାମସାରେ କ’ଣ ପଦେ କହିଦେଲା ବୋଲି–ସ୍ୱାମୀ ତାକୁ ସନ୍ଦେହ ଚକ୍ଷୁରେ ଦେଖିଲେ । ପାପ କଥାଟା । ଆପଣାର ହୋଇ ଏପରି କହିବେ–ପର କ’ଣ ନ କହି ପାରନ୍ତି ? କଲ୍ୟାଣୀ ଆଖିରୁ ଝରିପଡ଼ିଲା ଠପ୍‌ ଠପ୍‌ ଲୁହ ।

 

ଦିନୁ ବୁଝିପାରିଲା-କଲ୍ୟାଣୀକୁ ବଡ଼ ବାଧିଛି । ରାଗ ତମରେ ସିନା ତୁଛା କଥାଟାକୁ ବଢ଼ାଇ ଏତେ ଦୂର କଲା ? କଲ୍ୟାଣୀକୁ ପାଖକୁ ଆଉଜାଇ ଆଣି ଦିନୁ କଅଁଳ ଗଳାରେ କହିଲା–ଛିଃ କଲ୍ୟାଣୀ, କାନ୍ଦୁଛୁ ?

 

କଲ୍ୟାଣୀର ମନ ବୁଝିଲା ନାହିଁ । ମନ ବୁଝିବ ଆଉ କେମିତି ? କିବା କଥାଟା, ଦିଅରଟା କ’ଣ ପଦେ କହିଦେଲା ବୋଲି....ଆଜି... । ଆଖିରୁ ଲୁହ ପୋଛିଲା କଲ୍ୟାଣୀ । ସ୍ୱାମୀକୁ କ’ଣ ବା କହିବ ? ନିଜ ମନକୁ ପ୍ରବୋଧ ଦେଲା ।

 

ସ୍ୱାମୀ ମୁହଁକୁ ଥରେ ଅନାଇଲା କଲ୍ୟାଣୀ । ମୁଖରେ ତା’ର ଭାଷା ନାହିଁ ।

 

ଦିନୁ ସବୁ ବୁଝିପାରିଛି । ଆଜି ସେ ବଡ଼ ଅନୁତପ୍ତ । ଆପଣାର ଭାଇଟା । କେଉଁଆଡ଼େ ପଳାଇଗଲା । ଲୋକେ ତାକୁ କ’ଣ କହିବେ ? ଗୁମ୍‌ ମାରି ବସିପଡ଼ିଲା ସେ ।

 

କଲ୍ୟାଣୀ ସ୍ୱାମୀର ମନ ବଦଳାଇବା ପାଇଁ କହିଲା, କାହିଁକି ଏପରି ମନଟା ତୁମର କରୁଛ ? ନେଡ଼ି ଗୁଡ଼ କହୁଣିକି ବୋହିଯାଇଛି । ଯୁଆଡ଼େ ଯାଇଛି ଯାଇଥାଉ ସେ । ଦିନେ ହେଲେ ଆସିବ ତ ।

 

ଦିନୁ ଦୀର୍ଘ ନିଶ୍ୱାସ ପକାଇ କହିଲା, ହଁ କଲ୍ୟାଣୀ । ଦିନେହେଲେ ଆସିବ ଯେ । ଯେତେହେଲେ ଏକା ମାଆ ପେଟର ଭାଇ ତ । ମନଟା ମାନୁ ନାହିଁ ।

 

ତିନି

 

ଶୀତ ଦିନଟା । ସଅଳ ସଅଳ ସଞ୍ଜ ହୋଇଯାଏ । ଆଖି ପିଞ୍ଛଡ଼ାକେ ବେଳ ଚାଲିଯାଏ-

 

ସକାଳ ସୂର୍ଯ୍ୟଟା ଠୋ ଠୋ ହୋଇ ହସିଉଠେ । ରାତି ଆସେ–ବଡ଼ ରାତି । ଆକାଶରେ ଜହ୍ନ ହସେ–ତାରା ଫୁଟେ । ପ୍ରକୃତିର ଏଇ ସବୁ ଖେଳ ଭିତରେ ମଣିଷ ଆଗେଇ ଚାଲେ ।

 

ସକାଳ ହେଲାଣି । ମାଇ କାକରଗୁଡ଼ା ମଣିଷର ଚଳନ୍ତି ପଥରେ ବିଛୁଡ଼ି ହୋଇ ପଡ଼ିଛି । ପ୍ରକୃତି ଦତ୍ତ ଏ । ମଣିଷର ଉପାୟ କ’ଣ ? ତାରି ଉପରେ ମଣିଷ ଆଗେଇ ଚାଲିଛି–ଅଙ୍କା ବଙ୍କା ପାଦ ପକାଇ ।

 

ସେଇ ଅଙ୍କା ବଙ୍କା ପାଦରେ କିଣା ସାମଲ ଆଗରେ ଚାଲିଛି ତା’ ପଛରେ ସରବା । ଶୀତଦିନ ସକାଳ । ଭୋର ଚାରିଟାରୁ ପାସେଞ୍ଜର ଗାଡ଼ିଟା ଲଗାଇଦେଲା ହାଓଡ଼ା ଷ୍ଟେସନରେ । ଗାଡ଼ିରୁ ଓହ୍ଲାଇ କିଣା ସାମଲ ସରବାକୁ ସାଙ୍ଗରେ ଧରି ଆଗେଇ ଚାଲିଛି । ରାସ୍ତା ଘାଟ ସବୁ ଫରଚା ଦେଖାଗଲାଣି । ସରବା କହିଲା–କିଣା ଦାଦା, ତମ ବସା କେତେ ଦୂରରେ ?

 

କିଣା ସାମଲ ସରବାର ବାଆଁ ହାତଟା ଧରି ଆଗେଇ ଚାଲୁ ଚାଲୁ କହିଲା, ଆଉ ଅଳ୍ପ ଦୂର । ହେଇ ଦେଖାଗଲାଣି ।

 

ସରବା କଲିକତାର ଗାଡ଼ି ଘୋଡ଼ା ଜନ ଗହଳି ଦେଖି ଚମକି ପଡ଼ିଲା । ଏହି ସେ କଲିକତା, ଯେଉଁ କଲିକତା କଥା ଗାଁର ଧୋବି ଭାଇ, ବିନ ରାଉଳ ତାକୁ କହନ୍ତି । କଲିକତାର କେତେ ମନ ମତାଣିଆ କଥା କହି ମନଟାକୁ ତା’ର ଭୁଲାଇ ଦିଅନ୍ତି ସବୁ କଥା ତା’ର ମନେପଡ଼ିଲା-। ଆଜି ସେହି କଲିକତା ତା’ର ଆଖିଆଗରେ । ମନେ ମନେ ଖୁସି ହେଉଛି ସରବା-। ଘର କଥା, ଭାଇ କଥା, ନୂଆ’ଉ କଥା ଭୁଲିଗଲାଣି ସେ ।

 

କିଛିକ୍ଷଣ ପରେ କିଣା ସାମଲ ସାଙ୍ଗରେ ସରବା ପହଞ୍ଚିଲା ତା’ ବସାରେ । କିଣା ସାମଲ ବସାଟା ବଡ଼ ବଜାରର କେଉଁ ଏକ ଅନ୍ଧି ସନ୍ଧି ଗଳି ଭିତରେ । ଭାରି ଭିଡ଼–ଜନଗହଳି ସେ ରାସ୍ତାଟା-। କିଣା ସାମଲ ଏକା ରହିଥାଏ ସେ ବସାରେ । ଦେଖୁ ଦେଖୁ କୋଡ଼ିଏଟି ବରଷ ସେଇ ବସାରେ କଟାଇଲାଣି । କାହିଁକି ବା ଆଉ କେଉଁଠିକି ଯିବ ? ଘରଭଡ଼ା ତା’ ବାବୁ ଦିଏ ।

 

କିଣା ସାମଲ ଘରକୁ ଗଲେ ବସାରେ ତାଲା ଲଗାଇ ଦେଇଯାଏ । ଘରୁ ଆସିଲେ ପୁଣି ଖୋଲେ । ଅସନା ବସାକୁ ପରିଷ୍କାର କରିଦିଏ ପୁଣି ସେ ବସା ହସି ଉଠେ ।

 

ସରବା ଏ ସବୁ ଦେଖିଲା, ତାକୁ ବଡ଼ ଅଡ଼ୁଆ ଲାଗିଲା ପ୍ରଥମେ । କ’ଣ କରିବ ? ଅଡ଼ୁଆ ଲାଗୁ–ଯାହା ହେଉ, ରହିବାକୁ ହେବ ତାକୁ । ଯେତେବେଳେ ଘରଗ୍ରାମ ଛାଡ଼ିଛି–ବିଦେଶ କଥା ସେତେବେଳେ ଆଉ ସୁଖ ସୁବିଧା ଚାହିଁଲେ ପାଇବ କାହୁଁ । କିଣା ସାମଲକୁ ଆପଣାର କରି ସରବା ରହିଲା ।

 

କିଣା ସାମଲ ବଡ଼ ବଜାରରେ କାମ କରେ–ଗାଣ୍ଠି ବୁହେ, ବେଶ୍‌ ଦି’ ପଇସା କମାଏ । ଏଇ ଗାଣ୍ଠି ବୋହି କିଣା ସାମଲ ପାଞ୍ଚମାଣେ ଜମି କରିଛି । ଯୋଡ଼ା ଯୋଡ଼ା ଝିଅ ବାହା ଦେଇଛି । ଚାହିଁଲେ ଶଏ ପଚାଶ ଗଣିଦେବ । ହେଲେ କ’ଣ ହେବ ? କାମଟା ରକତ ନିଗିଡ଼ା କାମ ।

 

ସରବା ଆଗ ଏସବୁ ଦେଖିଲା । କିଣା ଦାଦା ସାଙ୍ଗରେ ସେ କ’ଣ ଗାଣ୍ଠି ବୋହିପାରିବ ନାହିଁ ? ଆପଣା ମନକୁ ତା’ର ପଚାରିଲା । କିଣା ସାମଲ ହେମତ ତାକୁ ଦେଇଛି–ଚାକିରି ଖଣ୍ଡେ କରାଇ ଦେବ । ସରବାର ଆଉ ଭାବନା କ’ଣ ?

କିଣା ସାମଲ କାମରୁ ଫେରି ସରବାକୁ ପଚାରେ, କିରେ ସରବା, କଲିକତା କେମିତିକା ଲାଗୁଛି ? ସରବା କିଛି କହେ ନାହିଁ–ମୁରୁକି ହସା ମାରେ । ଏମିତି ଦିନ ଗଡ଼ିଚାଲେ ।

ଦିନେ ସରବା ବସାରେ ବସି କ’ଣ ଏଣୁତେଣୁ ଭାବୁଥାଏ–କିଣା ସାମଲ କାମରୁ ଆସି ପହଞ୍ଚିଲା ।

ସରବା କ’ଣ ଏତେ ଭାବୁଛୁରେ ? ଘର କଥା ମନେପଡ଼ୁଛି କି ?

ସରବାର ଭାବନା ଭାଙ୍ଗିଗଲା । ମୁହଁରେ ସତେଜ ହସ ଖଣ୍ଡେ ଫୁଟାଇ କହିଲା, ନାଁ, ଦାଦା ଭାବିବି ଆଉ କ’ଣ ? ଘର କଥା କାହିଁକି ଆଉ ମନେପକାଇବି ? ଭାଇ ଭାଉଜ ତ ପର କରି ଘରୁ ତଡ଼ିଦେଲେ । ତାଙ୍କ କଥା ଭାବିବି ଆଉ କାହିଁକି ?

–ଭାଇ ଭାଉଜ ପର କରି ଘରୁ ତଡ଼ିଦେଲେ ? ଆପଣା ଖୁସିରେ ଆପେ ଘରୁ ଚାଲି ଆସି, ଭାଇ ଭାଉଜଙ୍କ ଦୋଷ ଦେଉଛୁ କାହିଁକି ସରବା ?

–ହଁ ଦାଦା, ହାତରେ ନ ମାରି ହତିଆରରେ ମାରିଲେ ସେମାନେ । କିଣା ସାମଲ କହିଲା, ହେଉ ଯାହା ବୁଝିଛୁ ତୋର ସେଇଆ ବୁଝିଥା...ହଁ ଆସିବୁ ତି ସରବା, ଆଜିରେ ତୋତେ ବାବୁକୁ କାମରେ ଦେଖାଇ ଲଗାଇ ଦେବାକୁ ହେବ ।

 

କିଣା ସାମଲ ସାଙ୍ଗରେ ସରବା ବାହାରିପଡ଼ିଲା ।

 

ବାବୁ ସରବାର ଛଇଛାଡ଼ ତମ୍ବା ତାର ପରି ଚେହେରା ଦେଖି ଖୁସି ହୋଇଗଲା । ସରବାର ଦରମା ଠିକ୍‌ ହୋଇଗଲା ଷାଠିଏ ଟଙ୍କା । କିଣା ସାମଲ ସାଙ୍ଗରେ ଗାଣ୍ଠି ବୋହିବ । ସରବା ମନରେ ଭାରି ଆନନ୍ଦ । କଷ୍ଟ କାମ ହେଉ ବରଂ ସେ ଧିଅରେ ପକାଇ ସବୁ କରିବ । ସରବା ରୋଜ କିଣା ସାମଲ ସାଙ୍ଗରେ ସକାଳୁ ଖାଇପିଇ ଯାଏ କାମକୁ–ଆସେ ବେଳ ବୁଡ଼ରେ । ଭାରି ଖଟଣି । ଯେତେଦିନ ଯାଉଥାଏ–ସରବା ତେତେ ଆନନ୍ଦ ହେଉଥାଏ । ମାସ ଶେଷରେ ସେ ଦରମା ଟଙ୍କା ପାଇବ, ଜାମା କରିବ–ଲୁଗା କରିବ । ଏମିତି କେତେ କ’ଣ ।

 

ଦେଖୁ ଦେଖୁ ସରବାର ଘରୁ ଆସିବା ମାସ ଗୋଟାଏ ହୋଇଗଲା । ଚାକିରିରୁ ଦରମା ଟଙ୍କା ପାଇ ସରବା ଭାରି ଖୁସି । ନିଜର ଜାମା ଖଣ୍ଡେ ଲୁଗା ଖଣ୍ଡେ କିଣି ଆଣିବା ପାଇଁ କିଣା ଦାଦାକୁ କହିଲା । କିଣା ସାମଲ ଜାମା ଖଣ୍ଡେ ଲୁଗା ଖଣ୍ଡେ କିଣିଦେଲା ସରବାକୁ । ଏମିତି ଦିନ ଗଡ଼ି ଚାଲିଲା ।

 

ଦିନେ କିଣା ସାମଲ ପଚାରିଲା, ସରବା, ଚାକିରି ତ କଲୁଣି, ଏବେ ଘରକୁ ଚିଠିପତ୍ର ଖଣ୍ଡେ ପଠା । ରାଗ ତମରେ ତୁ ସିନା ଘରୁ ପଳାଇ ଆସିଲୁ–ଭାଇ ଭାଉଜ ତୋତେ କ’ଣ ଘରୁ ବାହାର କରି ଦେଉଥିଲେ ? ବଡ଼ ଚଗଲାଟା ତୁ । ସେଦିନ ପରା ଦିନୁ ମୋତେ କହୁଥିଲା, କିଣା ଦାଦା, ସରବାଟାର ବୁଦ୍ଧି ଅକଲ ହେଲା ନାହିଁ–ସବୁବେଳେ ପିଲାଳିଆ ଢଙ୍ଗ । କ’ଣ କେମିତି ଘର କରିବ ? ତା’ର ଚିନ୍ତା ମୋତେ ଖାଉଚି । ଦେଖୁ ଦେଖୁ ତ ଷୋଳ ବରଷ ହେଲାଣି । ଆଉ ଦି’ଟା ବରଷରେ ତା’ ପାଇଁ ପୁଣି.... । କଳିକାଳ କ’ଣ କହୁଛି କିଣା ଦାଦା ? ମୁଁ କହିଲି, ହଁରେ ଦିନୁ କଥାଟା ନିହାତି ମନ୍ଦ ନୁହେଁ । ତେବେ ସରବା ବଡ଼ ମିହନ୍ତି ପିଲା । ଦିନ ଆସିଲେ ଆପେ ଆପେ ସବୁ ବୁଝି ପାରିବ ଯେ ।

 

ସରବା କିଣା ସାମଲ ମୁହଁକୁ ଅନାଇଁ କ’ଣ କହିବାକୁ ଯାଉଥିଲା–କିଛି କହିପାରିଲା ନାହିଁ । ଭାଇ ଭାଉଜଙ୍କ ପ୍ରତି ରାଗ ଆଉ ହିଂସାରେ ଅନ୍ତର ତା’ର ଜଳିଉଠିଲା । ମନେ ମନେ କହିଲା, ଏ ସବୁ ଲୋକ ଦେଖାଣିଆଁ କଥା । ଭାଇ ଭାଉଜ ପର–ସାତପର । ପୁଣି ମନ ଭିତରେ କିଏ ତାକୁ ଯେପରି କହିଲା, ନାହିଁରେ ସରବା, ଭାଇ ଭାଉଜ ସାତପର ନୁହନ୍ତି ଅତି ଆପଣାର । ତୁ ଭୁଲ୍‌ ବୁଝିଛୁ । ଭାଇ ଯା’ର ନାହିଁ–କେହି ତା’ର ନାହିଁ । ବିପଦ ଆପଦରେ ଛାତି ପତାଏ ସିନା ଭାଇ-!

 

ମନଟା କିନ୍ତୁ ଏ କଥାରେ ତା’ର ମାନିଲା ନାହିଁ । ସେ ବୁଝିଛି–ଭାଇ ଯଦି ଏତେ ଆପଣାର–ତେବେ ସେ ମାସ ଗୋଟାଏ ହେଲା ଘରଛାଡ଼ି ପଳାଇ ଆସିଛି–ମଲାଣି କି ଗଲାଣି ସେ ଖବର ଭାଇ ଭାଉଜ ତ ରଖି ନାହାନ୍ତି ? ସେତ ଭାବୁଥିଲେ ଭଗାରିଟା–ପାଖରେ ରହିଲେ ବାଣ୍ଟ ନେବ, ଚାଲିଗଲେ ଭଲ । ଭଲ ତ ହୋଇଛି ତାଙ୍କର, ଚାଲି ଆସିଲି । ଏମିତି ଭାଇ ଭାଉଜ ଥିଲେ ସରବାର କି ଯାଏ ଆସେ ?

 

ସେଦିନ ରବିବାର । ଛୁଟି ଦିନଟା । ସରବା କିଣା ସାମଲକୁ କହିଲା, ଦାଦା ବସାଟାରେ ଖାଲି ବସି ରହି ଭଲ ଲାଗୁନାହିଁ । ମୁଁ ଟିକେ ବାହାରୁ ବୁଲି ଆସୁଛି ।

 

କିଣା ସାମଲ କହିଲା, ରାସ୍ତା ଘାଟ ଚିହ୍ନି ଗଲୁଣି ତ ? ଯାଉନୁ–ବସାଟାରେ ବସି ରହି କାହାର କ’ଣ କରିବୁ ?

 

ସରବା କମିଜ ଖଣ୍ଡେ ଦେହରେ ଗଳାଇ ପକାଇଲା । ମୁଣ୍ଡର ଟେରି ଟିକେ ବାଗେଇ ଦେଲା । ଆଜି ଭାରି ଫୂର୍ତ୍ତିର ଦିନ । ସରବାର ମନଟା ଖୁସି ହୋଇଗଲା । ରାସ୍ତାକୁ ବାହାରିପଡ଼ିଲା ଏକା ଏକା । କଲିକତା, ଗାଡ଼ିଘୋଡ଼ା, ଜନ ଗହଳି ତାକୁ ସୁନ୍ଦର ଦିଶୁଛି-କେଡ଼େ ସୁନ୍ଦର । ସରବା ସେହି ଗାଡ଼ିଘୋଡ଼ା ଜନ ଗହିଳି କାଟି ଆଗେଇ ଚାଲିଛି । କେଉଁଆଡ଼େ ଯିବ ? ମନେ ମନେ ଭାବୁଛି ସେ । ବଡ଼ବଜାର ମୋଡ଼ ଛକରେ ଛିଡ଼ା ହେଲା । ଆଗରେ ଗାଡ଼ିଘୋଡ଼ାର ଅସୁମାରି ଗହଳି । ସାମ୍ନାରେ ଗଙ୍ଗା ନଦୀର ବିରାଟ ବକ୍ଷରେ ମଥାନ ପରି ଛିଡ଼ା ହୋଇଛି ହାଓଡ଼ାର ସୁବୃହତ ସେତୁ । ସେହି ସେତୁଟିର କଳେବରକୁ ଦୂରରୁ ନିରୀକ୍ଷଣ କରିଛି ସରବା । ତା’ରି ବକ୍ଷ ଦେଶରେ ଅସୁମାରି ଟ୍ରାମ, ବାସ୍‌, ଚାଲିଛି । ବିକଟାଳ ଘର୍ଘର ଶଦ୍ଦରେ ଚାରିଆଡ଼ କମ୍ପମାନ ଶୁଭୁଛି । ନିବିଷ୍ଟ ଚିତ୍ତରେ ସରବା ସେଇଆଡ଼କୁ ଚାହିଁଛି । ପଛରୁ ତାକୁ କିଏ ଡାକିଲା–ସରବା, ସରବା କିରେ ?

 

ସରବା ଚମକି ପଡ଼ି ପଛକୁ ଅନାଇଁ ଦେଲା । କୁଳଭାଇ ତା’ର ପଛରେ ଛିଡ଼ା ହୋଇଛି । ସରବା କୁଳଭାଇକି ଦେଖି ଛଳ ଛଳ ଆଖିରେ ମୁଣ୍ଡ ନୁଆଁଇ ଦଣ୍ଡବତ କରି ଗୋଟାଏ କଡ଼କୁ ଛିଡ଼ାହେଲା । ମନଟା ତା’ର ଛୁଇଁଲା, କାଳେ କୁଳଭାଇ ଜାଣିବ–ସେ ଘରୁ ନୁଚି ପଳାଇ ଆସିଛି ।

 

କୁଳ ସରବାର ମାମୁ ପୁଅ ଭାଇ । କଲିକତାରେ ଥାଏ । ସାହେବ ଘରେ ଚାକିରି କରେ-। ବାପା ତା’ର ସାହେବ ପାଖରେ ଚାକିରି କରୁଥିବାବେଳେ କୁହାବୋଲା କରି ତାକୁ ରଖାଇ ଦେଇଛି-। କୁଳ ମାସରେ ଶଏଟି ଟଙ୍କା ଦରମା ପାଏ । ସେଇଥିରୁ ଖାଇ ପିଇ ଯାହା ବଞ୍ଚାଏ ଘରକୁ ପଠାଏ-। ବାଜେ ଖର୍ଚ୍ଚ ତା’ର ମୋଟେ ନାହିଁ । କାମଟାରେ ଚବିଶ ଘଣ୍ଟା ହାଜିରି । ଏଥିପାଇଁ ବେଳେ ବେଳେ କୁଳର ମନଟା ଚିଡ଼ିଉଠେ । ସବୁବେଳେ ପିଞ୍ଜରାରେ ପଶିଲା ଭଳି ଘର ଭିତରେ ଫଶି ରହିଥାଏ । ସେଦିନୁ ସେ ଚିଠି ଖଣ୍ଡେ ଦିନୁଭାଇଠାରୁ ପାଇଲାଣି । ସରବା ଘରୁ ରାଗି ପଳାଇ ଆସିଛି କଲିକତା-। ତା’ର ଖବର ଟିକେ ନେବାକୁ । ଏତକ କରିବାକୁ ସେ ସମୟ ପାଉନି । ଆପଣାର ଭାଇଟା କେଉଁଠି ଥିବ, କ’ଣ କରୁଥିବ ? କଲିକତା । ନୂଆ ଲୋକଟା । ସେଦିନ ମନଟା ତା’ର କିମିତିକା ହୋଇଗଲା । କୁଳ ସାହେବକୁ ସବୁ କଥା କହିଲା । ସାହେବ ଦି’ ତିନି ଘଣ୍ଟା ପାଇଁ କୁଳକୁ ଛୁଟି ଦେଲା । କୁଳ ସରବାର ଖୋଜ ନେବାକୁ ଆସିଥିଲା । ସୌଭାଗ୍ୟକୁ ହଠାତ୍‌ ରାସ୍ତା କଡ଼ଟାରେ ସରବା ସହିତ ତା’ର ଭେଟ ହେଲା । କୁଳ ମନଟା ଆନନ୍ଦରେ ନାଚି ଉଠିଲା ।

 

କିଛିକ୍ଷଣ ପରେ କୁଳ ପଚାରିଲା ସରବାକୁ । ସରବା, କ’ଣ ତୋ’ର ହୋଇଛି କି ? କଲିକତା କାହିଁକି ଆସିଛୁ ? ଭାଇ ଭାଉଜଙ୍କୁ ଜଣାଇ ଆସିଛୁ ନା ନୁଚି ଆସିଛୁ ? କଲିକତା ସହର । ଦଣ୍ଡକରେ ବେହୁସିଆର ହେଲେ ବୁଦ୍ଧି ବଣା । କିଛି କଥାବାର୍ତ୍ତା ନାହିଁ, ଜଣାଶୁଣା ନାହିଁ–ଏମିତି ହୁଙ୍କାପିଟା ଭାବରେ କାମ କଲେ କ’ଣ ଲୋକେ ଭଲ କହିବେ ? କଥାଟା କ’ଣ ଆଗ କହନି । ଭାଇ ଭାଉଜଙ୍କ ସାଙ୍ଗରେ କଳି ଲାଗିଲା ?

 

ସରବା ନୀରବ । ପାଟିରୁ ତା’ର କଥା ପଦେ ବାହାରିଲା ନାହିଁ । ଗୋଟାଏ ବତୀଖୁଣ୍ଟ ପାଖକୁ ଆଉଜି ସ୍ଥାଣୁ ଭଳି ଠିଆହୋଇ ରହିଲା । ସେତେବେଳକୁ ରାସ୍ତାଟା ଭିଡ଼ ହୋଇ ଯାଉଥାଏ-। ହରିସନ ରୋଡ଼ ରାସ୍ତାଟା ସବୁବେଳେ ଜନ ଗହଳି । ଅସୁମାରି ଭିଡ଼ । ହକ୍‌କରମାନେ ମନୋହାରି ଜିନିଷ ଧରି ରାସ୍ତାର ଦୁଇ କଡ଼ରେ ଭିଡ଼ ଜମାଇ ଦେଲେଣି । ଚିତ୍କାର ଉପରେ ଚିତ୍କାର-। ନାନାପ୍ରକାର ଛଳନାରେ କ୍ରେତାମାନଙ୍କୁ ଡାକିବାକୁ କାଇଦା ଏ ।

 

–କ’ଣ କିଛି କହୁନୁ ସରବା ?

 

କ’ଣ ସେ କହିବ ?

 

କୁଳ ସରବା ମୁହଁକୁ ଅନାଇ ଦେଲା । ତା’ ଆଖିରୁ ଲୁହ ଠପ୍‌ ଠପ୍‌ ହୋଇ ବହିଯାଉଛି । ଭାରି କ୍ରୋଧ ଲାଗିଲା । ଯେତେହେଲେ ନିଜର ଭାଇଟା । ବିଦେଶ କଥା । କେବେଠୁଁ ଆସିଲାଣି । କୁଳ କହିଲା, କିରେ ସରବା, କାନ୍ଦୁଛୁ ? ଆସିଛୁ ତ ଆସିଛୁ–କଲିକତା ଦେଖି ଚାହିଁ ଯିବୁ । ପୁଣି ଏମିତି କାନ୍ଦୁଛୁ କାହିଁକି ?

 

ସରବା ପିନ୍ଧା କାନିରେ ଲୁହ ପୋଛୁ ପୋଛୁ କହିଲା, ନା ଭାଇ, ଆଉ ଘରକୁ ଯିବିନାହିଁ ।

 

କୁଳ ଦେଖିଲା ସରବାର ରାଗ ମେଜାଜଟା କମି ନାହିଁ । ବସାକୁ ନେଇ ବୁଝାଇ ଶୁଝାଇ ଯେପରି ହେଉ ତାକୁ ଘରକୁ ପଠାଇ ଦେବ । ତା’ ଯଦି ନ କରେ ଦିନୁ ଭାଇ ତାକୁ କ’ଣ କହିବ ? ଭାଇଟା ମୋର କଲିକତାରେ ବୁଲୁଛି–ତାକୁ ଘରକୁ ପଠାଇ ଦେଲା ନାହିଁ ।

 

କୁଳ କହିଲା, ସରବା, ହେଉ ତେବେ ମୋ ସାଙ୍ଗରେ ଚାଲ୍ ।

 

–କେଉଁଠିକି ?

 

–ଆମ ବସାକୁ ।

 

ସରବା ଗୁମ୍‌ମାରି କହିଲା କୁଳଭାଇ, ତେବେ ମୁଁ ଟିକେ କିଣା ଦାଦାକୁ କହି ଆସୁଛି ।

 

କୁଳ କହିଲା, କେଉଁ କିଣା ଦାଦା ?

 

–ଆମରି ଗାଁ କିଣା ସାମଲ ।

 

–ଓଃ, କିଣା ସାମଲ । ସେତ ଖେଙ୍ଗରାପଟି ମାରୱାଡ଼ି ଗୋଦାମରେ ଗାଣ୍ଠିବୁହା କାମ କରେ ।

 

ସରବା କହିଲା -ହଁ ।

 

–ତାକୁ କାହିଁକି କହି ଆସିବୁ ?

 

–ସରବା କହିଲା, ମୁଁ ତାରି ପାଖରେ ଅଛି । ସେ କାମ ଖଣ୍ଡେ କରାଇ ଦେଇଛି ।

 

–କି କାମରେ ? କ’ଣ ଗାଣ୍ଠିବୁହା କାମ ?

 

–ସରବା କହିଲା, ହଁ ଗାଣ୍ଠିବୁହା କାମ ।

 

କୁଳ ଚମକିପଡ଼ିଲା ଏକାଥରେ । କିଣା ସାମଲ ପାଖରେ ରହି ଗାଣ୍ଠିବୁହା କାମ କରୁଛୁ-? ଛି-ଛି–କ’ଣ ଏତେ ଅଭାବ ଆମର ହୋଇଛି କି ? ଏମିତି ଲୁହ ନିଗିଡ଼ା କାମ କରିବାକୁ ମନଟା ସକ ସକ । ଯା ହେଲା ହେଲା, ତୁ ମୋ ସାଙ୍ଗରେ ଆସିଲୁ ।

 

ସରବା ଜାଣେ ନା ଭାଇ ତା’ର କୁଳ ପାଖକୁ ଚିଠି ପଠାଇଛି, ସରବାକୁ ଯଦି ପାଉ ଘରକୁ ପଠାଇ ଦେବୁ ।

 

କ’ଣ କରିବ–ଯେତେବେଳେ ଆପଣାର ଭାଇଟା ଡାକୁଛି–ତା’ ବସାକୁ ଯିବାକୁ, କେମିତି ବା ନଯିବ ?

 

ସରବା ଆଉ କିଣା ସାମଲକୁ କହିବାକୁ ଯାଇପାରିଲା ନାହିଁ । ମନଟା ତା’ର ଗୁଡ଼ୁପୁଡ଼ୁ ହେଲା । କାଳେ କିଣାଦାଦା ଖୋଜିବ ।

 

କୁଳ ପାର୍କ ସର୍କଶ ଟ୍ରାମଟା ଦେଖି ସରବାକୁ କହିଲା–ଏହି ଟ୍ରାମଟାରେ ଉଠିପଡ଼ ।

 

ସରବା ଟ୍ରାମକୁ ଉଠିପଡ଼ିଲା–ତା’ ପଛେ ପଛେ କୁଳ ମଧ୍ୟ ଉଠିପଡ଼ିଲା ।

 

ଟ୍ରାମଟା ହରିସନ ରୋଡ଼ ଦେଇ ପାର୍କ ସର୍କସ ଆଡ଼େ ରାସ୍ତା ଫଟାଇ ବିଜୁଳି ବେଗରେ ଉଡ଼ି ଚାଲିଲା ।

 

ଚାରି

 

ଅନ୍ଧାର ହୋଇ ଆସିଲାଣି । କିଟି କିଟିଆ ଅନ୍ଧାର । କଲିକତା ରାସ୍ତାର ବିଜୁଳିବତୀଗୁଡ଼ାକ ଜଳି ଉଠିଲାଣି । କି ଦିନ କି ରାତି ଯୁଆଡ଼େ ଦେଖ ସିଆଡ଼େ ଖାଲି ଜନ ଗହଳି ଅସୁମାରି ମଣିଷ ଭିଡ଼ । କୁଳ ଟ୍ରାମରୁ ଓହ୍ଳାଇ ଆଗେ ଆଗେ ଚାଲିଛି । ତା’ ପଛେ ପଛେ ସରବା । ସରବାକୁ ଭାରି ସୁନ୍ଦର ଦେଖାଯାଉଛି । ନୂଆ ରାସ୍ତା । ଏଆଡ଼ୁକୁ ସେ କେବେ ଆସିନାହିଁ । ଚାଲି ଯାଉଁ ଯାଉଁ ସବୁବେଳେ ସରବାର ଆଖି ଦି’ଟା ସବୁଥିରେ ଯାଇ ପଡ଼ୁଛି । ଦିଆଲରେ ମରା ଯାଇଛି ସିନେମାର ଛବି ଗୁଡ଼ାକ । ତା’ ଉପରେ ଆଖି ପଡ଼ୁଛି ସରବାର । କେଡ଼େ ସୁନ୍ଦର ଛବିଗୁଡ଼ିକ । ମନ ତା’ର ମୁଗ୍‌ଧ ହୋଇଯାଉଛି । ଚଳନ୍ତି ପାଦ ତା’ର ଦଣ୍ଡକ ପାଇଁ ଅଟକି ଯାଉଛି । ଅଳ୍ପଦୂର ଆଗେଇ ଯାଇଛନ୍ତି, କୁଳ କହିଲା–ସରବା ଏଇଟା ହେଉଛି ଆମ ସାହେବ କୋଠି । ସରବା କୋଠାଟିକୁ ଚାହିଁଲା–କେଡ଼େ ସୁନ୍ଦର କୋଠି । ଚାରିପଟ ସିମେଟର ଦିଆଲ । କୋଠା ସାମନାରେ ବଗିଚା । ନାନା ଜାତିର ଫୁଲ ଫୁଟିଛି ତହିଁରେ ।

 

ସରବା କୁଳ ମୁହଁକୁ ଅନାଇ କହିଲା, ତମେ ଏଇଠି କାମ କର କୁଳ ଭାଇ ?

 

କୁଳ କହିଲା, ହଁ ଏଇଠି କାମ କରେ ।

 

କୁଳ ସରବାକୁ କୋଠି ଭିତରକୁ ନେଇ ସବୁ ଦେଖାଇ ଦେଲା । ତା’ ସାହେବ କେମିତି ଖାଏ–କେମିତି ଥାଏ । କେତେ କ’ଣ । ସରବା ସାହେବର ଶୋଇବା ଘର ଦେଖି ଚମକିପଡ଼ିଲା । ଧୋବ ଫର ଫର ମଖମଲି ଗଦି ପଲଙ୍କ ପଡ଼ିଛି । ଦିଆଲରେ ଟଙ୍ଗା ହୋଇଛି କେତେ କେଜାଣି ଅସୁମାରି ଫଟୋ । ଦରଜା ସାମନାକୁ ଦି’ ଚାରିଟା ଫୁଲ ଗଛର ଗାଙ୍ଗୁଲା ଥୁଆଯାଇଛି ।

 

ସରବା ସବୁ ଦେଖିସାରିଲା । ତା’ପରେ କୁଳ ସରବାକୁ ସାଙ୍ଗରେ ଘେନି ତା’ ବସାରେ ପହଞ୍ଚିଲା । କୁଳର ବସାଟା ସେହି କୋଠି ଭିତରେ ପାଞ୍ଚଦଶ ହାତ ନଗାତ୍‌ ଛାଡ଼ି । ରାତି ହୋଇଗଲାଣି । ରାସ୍ତାଟା ଗାଡ଼ି ଘୋଡ଼ା ଯିବା ଆସିବାରେ କମ୍ପୁଛି । ସରବା ବସାରେ ବସିଲା । କୁଳ କହିଲା, ସରବା ସେଇଠି ବସିଥା । ମୁଁ ଟିକେ ଆସୁଛି । କିଛିକ୍ଷଣ ପରେ କୁଳ ହାତରେ ଗୁଡ଼ାଏ ଜଳଖିଆ ଧରି ପହଞ୍ଚିଲା । ସରବାକୁ କହିଲା, ଖାଆ ।

 

ସରବା ଜଳଖିଆ ତକ ଖାଇଲା ।

 

ଅନେକ ରାତି ହୋଇଗଲାଣି । କୁଳ ରାତ୍ରି ଭୋଜନର ଆୟୋଜନ କଲା । ବଡ଼ ମାଛ–ହରଡ଼ ଡାଲି, ଆଳୁ, ପୋଟଳ ଆଣି ଯତ୍ନରେ ରାନ୍ଧିଲା । ଦି’ ଭାଇ ଖାଇଲେ ।

 

ଶୋଇଲା ବେଳେ କୁଳ ପଚାରିଲା ସରବାକୁ–ସରବା, ମତେ କହନି ତୁ କାହିଁକି ଘରୁ ପଳାଇ ଆସିଛୁ ?

 

କ’ଣ ସରବା କହିବ ? କାନ୍ଦ କାନ୍ଦ ହୋଇ କହିଲା, ଭାଇସାଙ୍ଗରେ ଝଗଡ଼ା ହେଲା । ରାଗ ତମରେ ମୁଁ ପଳାଇ ଆସିଛି । ସେ ଭାଇ ଭାଉଜଙ୍କ ପାଖକୁ ମୁଁ ଆଉ ଯିବି ନାହିଁ–ତାଙ୍କୁ ମୁହଁ ଦେଖାଇବି ନାହିଁ । ଟିକିକ କଥାରେ..... । ସରବା ଆଉ କିଛି କହିପାରିଲା ନାହିଁ । ତା’ ଆଖିରୁ ଲୁହ ଦି’ଟୋପା ଗଡ଼ିପଡ଼ିଲା ।

 

କୁଳ କହିଲା, ଛି’ ସରବା କାନ୍ଦୁଛୁ ? ଘରକରି ଭାଇ ଭାଉଜରେ କ’ଣ କ’ଳି ତକରାଳ ଲାଗୁନାହାଁନ୍ତି ? ସେ ପୁଣି ମେଣ୍ଟିଯାଉଛି ନା ରହୁଛି ? ତୁ ଏମିତି ଧରି ବାନ୍ଧିବସିଲେ ହେବ ? ମୋ କଥା ମାନ୍‌ । ତୁ କାଲି ଘରକୁ ଯା । ମୁଁ ବାଟ ଖର୍ଚ୍ଚ ଟଙ୍କା ଦେଉଛି ।

 

ସରବା କହିଲା, ନାଁ କୁଳ ଭାଇ, ମୁଁ ଘରକୁ ଯିବି ନାହିଁ ।

 

ସେ କଥା ମୋତେ କୁହନା । ତା’ ହୋଇଥିଲେ ମୁଁ କେଉଁଦିନରୁ ଚାଲି ଯାଆନ୍ତିଣି ।

 

କୁଳ ବୁଝିଲା, ଘଟଣାଟା ଯାହା ହେଇଥାଉ ନା କାହିଁକି ସରବାକୁ ବଡ଼ ବାଧିଛି । ଯେତେହେଲେ ଭାଇ ଭାଉଜ ତ । ମାଆ ନାହିଁ ତ–କେହି ନାହିଁ । ଆଦର ଯତ୍ନ ଯେମିତି କିଏ ବା ଆଉ କରିବ ?

 

କୁଳ ଜାଣେ ପିଉସୀ ତା’ର ଥିଲାବେଳେ ସେଇଘର କେମିତି ଚଳୁଥିଲା ଲୋକେ କହୁଥିଲେ, ରାଉତ ଘର ବୁନିଆଦ୍‌ ଘର । ପିଉସୀ ତା’ର ମରିଗଲା ଦିନୁ ସେ ଘର ଯେମିତି ଶିରୀ ତୁଟି ଯାଇଛି । ଆଜି ମନେହେଉଛି ଯେମିତି ସେ ଘରୁ ଗୋଟିଏ ଦୀପ ନିଭିଯାଇଛି ।

 

ସରବାଟା ବଡ଼ ଜିଦ୍‌ଖୋର । କି କୌଶଳରେ ତାକୁ ପଠାଇବ–ଏଇକଥା ଭାବୁଛି କୁଳ । କିଛି ସ୍ଥିର କରି ପାରୁନାହିଁ । ଶେଷରେ ଭାବିଲା କ’ଣ କରୁଛି କରୁ । କିଛିଦିନ ଗଲେ ବିଦେଶ ହାୱା ବୁଝିପାରିଲେ ଆପେ ଆପେ ଯିବାକୁ ବାଟ ପାଇବ ନାହିଁ । ଯିବ କୁଆଡ଼େ ?

 

ରାତି ଅନେକ ହୋଇଗଲାଣି । କଥାବାର୍ତ୍ତା ସରିଲା । କେତେବେଳୁ ଦି’ ଭାଇ ଶୋଇପଡ଼ିଲେଣି ।

 

ଭୋର୍‌ ପାଞ୍ଚଟା । କୁଳ ବିଛଣାରୁ ଉଠିଲା । ସାହେବ ଘରେ ତା’ର ସକାଳ ଧନ୍ଦାଟା ବେଶୀ । ସରବା ନିଦରେ ଶୋଇଥାଏ । ତାକୁ ଉଠାଇ ଦେଇ, କୁଳ ଦାନ୍ତକାଠି ପାଣି ଦେଲା–ସରବା ଦାନ୍ତ ଘଷୁ ଘଷୁ କହିଲା, କୁଳଭାଇ, ତେଣେ କିଣା ଦାଦା ମୋତେ ଖୋଜୁଥିବ । ନୂଆ ଲୋକ । ତାକୁ କାଲି କିଛି କହି ଆସିନି । ଆଜି ପୁଣି କାମ ।

 

କୁଳ କହିଲା, ସେ କଥା କହନା ଆଜିକ ରହ କାଲି ଘରକୁ ଯିବୁ ।

 

ସରବା କହିଲା, ନାଁ ଭାଇ, ଘର ଯିବା କଥା କୁହ ନାହିଁ । ଘରକୁ ଯିବି କାହିଁକି ?

 

କୁଳ ଉପାୟହୀନ ହେଲା । କ’ଣ ବା କହିବ ? କଥା ବୋଲ ନ ମାନିଲେ ବଳ କ’ଣ ? କୁଳ କହିଲା, ହେଉ ତେବେ ଚାଲ୍‌ ଛାଡ଼ିଦେଇ ଆସିବି । ଆଗ ଚା’ଟିକେ ଖାଇଦେ । ସରବାକୁ ଚା ଆଣି ଦେଲା କୁଳ । ସରବା ଚା ଖାଇସାରି କମିଜ ପିନ୍ଧି ପଦାକୁ ବାହାରି ଆସିଲା । ରାସ୍ତାରେ ଦି’ ଭାଇ ଆଗେଇ ଚାଲିଲେ ଟ୍ରାମ ଡିପୋ ପର୍ଯ୍ୟନ୍ତ । ଚାଲି ଯାଉଁ ଯାଉଁ ସରବା କହିଲା, କୁଳଭାଇ, ଗାଁକୁ ଚିଠି ଦେବ ନାହିଁ–ମୁଁ କଲିକତାରେ ଅଛି ବୋଲି ।

 

କୁଳ ସରବା ମୁହଁକୁ ଅନାଇଁ ହସି କହିଲା, ନା, ଚିଠି ଆଉ କାହିଁକି ଦେବି ? ତୁ ତ ଆଉ ଘରକୁ ଯିବୁ ନାହିଁ । ଚିଠି ଦେଇ କ’ଣ ହେବ ? ଆ–ଚଞ୍ଚଳ ଆସିଲୁ ।

 

ସକାଳ ଆଠଟା । କିଣା ସାମଲ ମନ ଦୁଃଖରେ ବସାରେ ବସିଛି । ଚଗଲାଟା କୁଆଡ଼େ ଗଲା–କ’ଣ କଲା–ରାସ୍ତାଘାଟ ଚିହ୍ନି ନାହିଁ-କରେ କ’ଣ ? ସରବା କଥା ଭାବୁଛି । କାଲି ରାତିରେ ଆଖିକୁ ତା’ର ନିଦ ନାହିଁ । ରାତିସାରା ଛଟପଟ ହୋଇଛି । କେତେ ଆଡ଼ୁ କେତେ ଚିନ୍ତା ମୁଣ୍ଡରେ ତା’ର ଖେଳୁଛି । ଦିନୁ ଯଦି ଶୁଣେ ତାକୁ କ’ଣ ନ କହିବ ? ଭାଇଟାକୁ ମୋର ଶିଖାଇ ନେଇ ଶେଷରେ ଏମିତି କଲା ।

 

ବଡ଼ ଅଡ଼ୁଆରେ ସେ ପଡ଼ିଲା–ସତେ ମ ସରବାଟାର କି ବୁଦ୍ଧି ।

 

ଏହି ସମୟରେ ସରବା ପହଞ୍ଚିଲା–ତା’ ସାଙ୍ଗରେ କୁଳ ।

 

କିଣା ସାମଲ ସରବାକୁ ଦେଖି ଖୁସି ହୋଇଗଲା । ରାଗମିଶା ସ୍ୱରରେ ମୁରବି ଢଙ୍ଗ ଦେଖାଇ କିଣା ସାମଲ ସରବାକୁ କହିଲା, କିରେ କ’ଣ ଘର କରି ପାଇଛୁ ଯେଉଁଠି କି ପାରି ସେଠିକି ମନ ଇଚ୍ଛା ଚାଲିଯିବୁ ? ଯଦି ବା ତୁ ଚାଲିଗଲୁ–ମତେ କହି ଗଲୁନା କହିଁକି ?

 

ସରବା ବୁଝି ପାରିଲାଣି–କିଣା ଦାଦା ରାଗିଯାଇଛି । ସରବା କହିଲା, କିଣା ଦାଦା କ’ଣ କରିବି–କାଲି କୁଳ ଭାଇ ଦେଖାହେଲେ । ସେ ଦିନୁ ଘରୁ ଆସିଲିଣି, ତାଙ୍କୁ ଦେଖାକରି ପାରିନଥିଲି-। ସେ ଜୋର କରି ତାଙ୍କ ବସାକୁ ମୋତେ ନେଇଗଲେ । ଭାବିଥିଲି ତମକୁ କହିଯିବି-। କୁଳ ଭାଇ କହିଲେ ନାଁ ମ, କହିବୁ ଗୋଟା କ’ଣ ? ଚାଲ୍‌ । ମୁଁ ତାଙ୍କ ସାଙ୍ଗରେ ଚାଲିଗଲି ।

 

ହଉ, ଚଞ୍ଚଳ ତୋ’ର କାମ ସାରିଦିଏ । କାମକୁ ଯିବା ବେଳ ହେଲାଣି ।

 

କୁଳ ଛିଡ଼ା ହୋଇଛି କିଣା ସାମଲ ବସା କବାଟକୁ ଆଉଜି ।

 

କିଣା ସାମଲ କହିଲା, କିରେ କୁଳ ବସୁନୁ, ଛିଡ଼ାଟା କାହିଁକି ହେଇଛୁ ? ଆ ଘର ଭିତରେ ବସ୍‌ । ପିଢ଼ାଖଣ୍ଡେ ବଢ଼ାଇଦେଲା କିଣା ସାମଲ । କୁଳ ପିଢ଼ା ଖଣ୍ଡିକ ଉପରେ ବସୁ ବସୁ କହିଲା, ନା ଦାଦା ବସିବି କ’ଣ–ତେଣେ କାମ ଅଛି । ସରବା ଦାୟିତ୍ୱ ତମ ଉପରେ । କିଣା ଦାଦା ତମେ ସରବାର ଖବର ଅନ୍ତର ଟିକେ ବୁଝୁଥିବ । ଚଗଲାଟା ଘରୁ ସିନା ପଳାଇ ଆସିଲା, ହେଲେ ତା’ର କ’ଣ ଅଭାବ ଅଛି ।

 

–ହଁରେ ପୁଅ । ସେଇ କଥା ମୁଁ କାନେ କାନେ ତାକୁ ବୁଝାଇଛି ଧାନମଣ୍ଡଳ ଷ୍ଟେସନଠୁଁ କଲିକତା ଯାଏଁ । ବୁଝିଲା ନାହିଁ । ମୋର ବଳ କ’ଣ ? ଗାଁର ପୁଅଟା । ପାଖରେ ଯେତେବେଳେ ଅଛି–ମୁଁ କ’ଣ ହତାଦର କରିବି ତାକୁ ? କାମ ଖଣ୍ଡେ ତ କଲାଣି । ଯାହା ଦି’ ପଇସା ପାଇବ ଖାଇ ପିଇ ସାଇତି ରଖିବ । ଦେଖିବୁରେ କୁଳ ସରବା ହାତକୁ ଦିନୁ ପୁଣି ଅନାଁଇବ ।

 

କୁଳ ମୁରୁକି ହସା ମାରି କହିଲା–ହଉ ଦାଦା, ମୁଁ ଯାଉଛି, ଅନ୍ୟଦିନେ ଆସିବି ।

 

କୁଳ ଚାଲିଗଲା ।

 

ସରବା ଗାଧୋଇ ଖାଇ କିଣା ସାମଲ ସାଙ୍ଗରେ କାମକୁ ବାହାରିପଡ଼ିଲା ।

 

ପାଞ୍ଚ

 

ଆକାଶରେ ଧୋବ କଇଁଫୁଲ ପରି ଜହ୍ନଟା ହସି ଉଠୁଛି । ରାତି ହେଲାଣି କେଜାଣି କେତେ ।

 

ଦିନୁ ସାଇ ଅଗଣାରେ ବସିଛି–ଗମ୍ଭୀରତା ମୁଖ ମଣ୍ଡଳରେ ତା’ର ଫୁଟି ଉଠୁଛି ।

 

କଲ୍ୟାଣୀ ସ୍ୱାମୀର ମୁହଁକୁ ଅନାଇଁଲା–ଏ କ’ଣ ? ଏ କି ପରିବର୍ତ୍ତନ ଆଜି ସ୍ୱାମୀର । କିଛି ଠଉରାଇ ପାରିଲା ନାହିଁ ।

 

ପାଖକୁ ଯାଇ କଲ୍ୟାଣୀ କହିଲା, କ’ଣ ଖାଇବ ନାହିଁ କି ? କେତେ ରାତି ହେଲାଣି । କ’ଣ ଏତେ ଭାବୁଛ ମ ? ଅଇନାରେ ତୁମ ଚେହେରାଟି ଦେଖନି କିପରି ଦେଖାଗଲାଣି ? ଭାବନା, ଖାଲି ଭାବନା । କି ଭାବନା ଏତେ ଭାବୁଛ ?

 

ନାଁ କଲ୍ୟାଣୀ ଭାବିବି ଆଉ କ’ଣ ?

 

କଲ୍ୟାଣୀ ମନକୁ କଥାଟା ପାଇଲା ନାହିଁ–ମୁହଁରେ କଅଁଳ ହସ ଫୁଟାଇ ସ୍ୱାମୀକୁ ତା’ର କହିଲା–ସବୁ ଜାଣିଛି ସବୁ ବୁଝିଛି, ଏତେ ନୁଚାଇ ରଖନା ।

 

–ନୁଚାଇ କ’ଣ ରଖିଲି କଲ୍ୟାଣୀ ? ହଁ କହିଲୁ କି ଚିନ୍ତା ମୁଁ କରୁଛି ?

 

–ଚିନ୍ତା–ଚିନ୍ତା ତୁମର ଅସୀମ । ଭାବନା ତୁମର ଅପାର । ଯାହା ପାଇଁ ଏତେ ତୁମର ଚିନ୍ତା–ଏତେ ତୁମର ଭାବନା ସେ ଦିନେ ଅଧେ ତୁମ କଥା ଖୁସି ମନରେ ଭାବିଲାଣି ନା ? ତୁମର ପ୍ରାଣ ଏତେ ଛଟପଟ ହେଉଛି କାହିଁକି ? ନେଡ଼ି ଗୁଡ଼ କହୁଣିକି ବହିଯାଇଛି । ଭାଇଟା–ମାଆ ପେଟର ଭାଇ । ଅତି ଆପଣାର । ଘର କରିଥିଲେ କଳି ଝଗଡ଼ା ଲାଗେ । ତା’ ପାଇଁ କ’ଣ ଟିକକ କଥାରେ ଘରଛାଡ଼ି ପଳାଇ ଯାଆନ୍ତି ? ବୁଝିପାରୁନା, ଏକା ଏକା କି ଧନ୍ଦିତରେ ବିଲବାରି କାମ କରୁଛ ? ସେଥିରେ ତା’ର କ’ଣ ଭାଗ ନାହିଁ ? ଦିନେ ପୁଣି ଆସି ଦାବିକରି ବସିବ ଏ ମୋର ଜମି, ଏ ମୋର ଘର । ସେଦିନୁ ଗଲାଣି ତା’ର ଦିମାକଟା ଦେଖୁଛ ତ ? ଦେଖୁ ଦେଖୁ ଚାରିମାସ ହେଲା-। ଖଣ୍ଡେ ଚିଠି ବି ପଠାଉ ନାହିଁ । ଆମେ କ’ଣ ତାକୁ ଘରୁ ବାହାର କରି ଦେଉଥିଲୁ-? ଏଡ଼ିକି ହଟଦେଖା ସେ–ଘରକୁ ଯଦି ଆସେ...... ।

 

ଛି–କଲ୍ୟାଣୀ ଏଗୁଡ଼ା କ’ଣ ? ଛୋଟ ଭାଇଟା । ଘର କରିଥିଲେ କଳି ଝଗଡ଼ା ଲାଗେ । ବୁଝିପାରିଲା ନାହିଁ । ରାଗ ତମରେ ଘରୁ ଗୋଡ଼କାଢ଼ି ଚାଲିଗଲା । ଆପଣାର ଭାଇଟା ରାଗ ତମରେ ଯେଉଁଠିକି ହେଲେ ଯାଇଛି–ଦିନେ ତ ଘରକୁ ଫେରିବ ।

 

କଲ୍ୟାଣୀ ସବୁ ଜାଣେ ସବୁ ବୁଝେ । କାହାକୁ ସେ ଦୋଷୀ କରିବ ? ତା’ ଆଖି ସାମନାରେ ବିରାଟ ବନ୍ଧ ତୋଳି ଛିଡ଼ାହେଲା ଗୋଟାଏ ପ୍ରଶ୍ନ । ସ୍ୱାମୀ ଦୋଷୀ ନାଁ ଦିଅର ଦୋଷୀ ? ବିଚାର କ୍ଷେତ୍ରରେ କଲ୍ୟାଣୀ ସରବାକୁ ହିଁ ଦୋଷୀ କଲା । ସ୍ୱାମୀ ହେଲା ତା’ର ଆପଣାର ।

 

ନିଜ କଥା–ନିଜ କାମରେ ଯେତେ ଦୋଷାଦୋଷ ଥାଉ ନା କାହିଁକି ମଣିଷ ତାକୁ ଘୋଡ଼ାଇ ରଖେ । ଏଇଟା ସ୍ୱାଭାବିକ । କଲ୍ୟାଣୀ ତାହା ହିଁ କରିଛି । ତା’ ବିଚାରରେ ସ୍ୱାମୀ ତା’ର ଦୋଷ କରିଥିଲେ ସୁଦ୍ଧା ଆଜି ସେ ଦୋଷ ଦେଇପାରିବ ନାହିଁ । କାରଣ ସ୍ୱାମୀ ତା’ର ନମସ୍ୟ । ସ୍ୱାମୀ ତା’ର ଦେବତା ।

 

ଦିନୁ କଲ୍ୟାଣୀର ମୁହଁକୁ ଅନାଇ ମୁରୁକିହସା ମାରି କହିଲା, କଲ୍ୟାଣୀ ଭାତ ଗଣ୍ଡାଏ ଦିଅ । କାହିଁକି ଡେରି କରୁଛୁ ?

 

କଲ୍ୟାଣୀ ମୁହଁରେ ପ୍ରତିହସ ଫୁଟାଇ କହିଲା, ଚାରିଯୁଗ ସିଆଣା ତମେ । ଆପେ ଡେରି କରୁଛ–ଖାଇବାକୁ ଉଠୁନାହଁ–ମୋର ହେଲା ଦୋଷ ?

 

ନା–ନା–ତୋର ଦୋଷ ମୁଁ କ’ଣ କହୁଛି ? ହେଉ ତେବେ ଚାଲ୍‌ କଲ୍ୟାଣୀ, ରାତି ଅନେକ ହୋଇଗଲାଣି ।

 

ଦିନୁ ଖାଇ ବସିଛି । ହଠାତ୍‌ କାହିଁକି ସରବା କଥା ତା’ର ମନେପଡ଼ିଲା । ସାନ ଭାଇଟା-। ଏଇ ଘର–ଏଇ ଦୁଆର । ଏଇଠି ଦି’ ଭାଇ ଗୋଟାଏ ଥାଳୀରେ ବସି ଖାଉ, କଲ୍ୟାଣୀ ଭାତ ପରଶେ । ଛଅ ତରକାରୀ ନଅ ଭଜା, ନୋହିଲେ ଶାଗ ମୁଗ ଯାହା ଦି’ଟା ରାନ୍ଧିଥାଏ–ପାଖରେ ଆଣି ଥୋଇଦିଏ । ଆନନ୍ଦ ମନରେ ଦି’ ଭାଇ ଖାଇ ବସୁ । କେଡ଼େ ସୁଖ, କେଡ଼େ ଆନନ୍ଦ ତହିଁରୁ ମିଳେ । ଆଜି କିନ୍ତୁ ଦିନୁର ମନଟା କେମିତିକା ହୋଇଯାଉଛି ।

 

ସବୁ ଅଛି–ସେହି ଘର–ସେହି ଦୁଆର । ସେହି କଲ୍ୟାଣୀ । ତାକୁ କିନ୍ତୁ ଭଲ ଲାଗୁନାହିଁ କିଛି । ଏକା ଖାଇ ବସିବାକୁ ଅନ୍ତରାତ୍ମା ତା’ର କହୁନାହିଁ । କେମିତି ସେ ଖାଇବ ?

 

କଲ୍ୟାଣୀର ଅଗୋଚରରେ ଦିନୁ ଆଖିରୁ ନୀରବରେ ଗଡ଼ିପଡ଼ିଲା ଦି’ ଟୋପା ଲୁହ । ଅନୁତପ୍ତ ସେ । ପେଟକୁ ତା’ର ଭାତ ଗଲାନି । ଦିନୁ ଭାତ ଥାଳୀ ପାଖରୁ ଉଠିଗଲା ।

 

କଲ୍ୟାଣୀ କହିଲା, ଏ କ’ଣ, ଖାଇଲ ନାଇଁ ଯେ ?

 

ଦିନୁ ଛଳନା କରି କହିଲା, ପେଟଟା କ’ଣ ହେଉଛି । କଲ୍ୟାଣୀ ସ୍ୱାମୀର ମନ କଥା ବୁଝିପାରିଲା ନାହିଁ । ସେନ୍ଦେହବୋଳା ମନଟା ତା’ର.... ।

 

ରାତି ଅନେକ ହୋଇଗଲାଣି । ଦିନୁ ଶୋଇଛି । କଲ୍ୟାଣୀ ଦିନୁର ଗୋଡ଼ ଆଉଁସି ଦେଉଛି । ତୋଫା ଜହ୍ନ ଧରଣୀରେ ବିଛୁଡ଼ି ହୋଇପଡ଼ିଛି । ସମସ୍ତ ନୀରବ ନିଷ୍ପନ୍ଦ । ଝିଁ ଝିଁ ଟା ନୀରବତା ଭଙ୍ଗକରି ଚିତ୍କାର କରିଉଠୁଛି । ଘରେ ଦୀପଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । କଲ୍ୟାଣୀ ଦିନୁକୁ ପଚାରିଲା, କୁହ, ସତ କରି ତୁମେ କୁହ–ତମରି ମୁହଁ କାହିଁକି ଶୁଖି କଳା କାଠ ପଡ଼ିଛି । ମନରେ ହରଷ ନାହିଁ । ସବୁବେଳେ ଭାବନାରେ ବୁଡ଼ି ରହୁଛ । ମନଟାକୁ ସବୁବେଳେ ବିଷାଦ ଆଉ ବିମର୍ଷରେ ବୁଡ଼ାଇ ରଖୁଛ–କୁହ–ନ କହିଲେ ତୁମକୁ ଛାଡ଼ିବି ନାହିଁ ।

 

କଲ୍ୟାଣୀ କହିଲା, କହିବ ନାହିଁ ମୋତେ ?

 

–କ’ଣ କହିବି କଲ୍ୟାଣୀ ? ଦେଖୁଛି, ତୁ ବଡ଼ ଜିଦ୍‌ଖୋର ମଣିଷ ।

 

–ହଁ, ଜିଦ୍‌ଖୋର ମଣିଷ ମୁଁ । ଏବେ କୁହ ।

 

ଦିନୁ ମୁହଁରେ ହସ ଫୁଟାଇ କହିଲା, କଲ୍ୟାଣୀ–କ’ଣ ବା ତୋତେ ମନ କଥାଟା କହିବି-? ଆଜି ସରବା କଥା ଭାବିଲେ.... ।

 

ପାରିଲାର ଭାଇଟା । ଗତର ଖଟାଇ କେତେଆଡ଼େ କେତେ କ’ଣ କରୁଥାନ୍ତା । କ’ଣ କଲା ସେ । ମାଆ ଥିଲାବେଳେ ତା’ରି କଥା କାନେ କାନେ ମୋତେ କହିଛି । ଦିନୁ ବୁଝି ସାବଧାନ-। ସରବା ମୋର ଉଦଣ୍ଡିଆ ପୁଅଟା । ତାକୁ ନେଇ ଆଣି ଚଳାଇବୁ । ଲୋକେ ଭଲ କହିବେ । ଯେତେହେଲେ ଛୋଟ ଭାଇଟା ତ । ଆଜି ହେଲା କ’ଣ ? ସେ ତ ନେଇ ଆଣି ଚଳାଇ ପାରିଲା ନାହିଁ ତାକୁ । ସେଥିପାଇଁ ଦିନୁ ଆଗପଛ ସବୁ କଥାଗୁଡ଼ାକ ମନରେ ପକାଇ ହେଜୁଛି ।

 

କେମିତି ସେ ଆଜି ଏକା ଏକା ଚାଷ କାମ କରିବ ? ବୁଦ୍ଧିବଳ ଦିଶୁନାହିଁ । ସେଦିନୁ କୁଳ ପାଖକୁ ଚିଠି ଖଣ୍ଡେ ପଠାଇଲାଣି ଯେ ତା’ର ଉତ୍ତର ନାହିଁ । ଦିନୁ ଶୁଣିଛି କଲିକତାଟା ଭାରି ଖରାପ ଜାଗା । ଟିକିଏ ବେହୁସିଆର ରହିଲେ ସବୁ ଶେଷ । ଟଙ୍କା ବୋଲ ଧନ ବୋଲ୍‌ ଜୀବନ ବୋଲ, ସବୁ ତୁଚ୍ଛ । ଦିନୁ ଜାଣେ–ମନଟା ତା’ର ଛୁଉଁଛି । କାଳେ ସରବା... ।

 

ସେଦିନ ବନଭାଇ ମୋତେ କହୁଥିଲା କଲ୍ୟାଣୀ । ସେ ଘରକୁ ଫେରିଲାବେଳେ ସରବାକୁ ଧାନମଣ୍ଡଳ ଷ୍ଟେସନରେ ଦେଖି ଆସିଛି । ସରବା କଲିକତା ନିଶ୍ଚୟ ଯାଇଛି । ନୁହେଁ କଲ୍ୟାଣୀ ?

 

କଲ୍ୟାଣୀ କହିଲା, ହଁ ଯେ କଲିକତା ଯାଇଛି–ମୁଁ ପରା ଶୁଣିଛି ପ୍ରତିମା ବାପା ସାଙ୍ଗରେ ଧାନମଣ୍ଡଳ ଷ୍ଟେସନରୁ ସେ ଗାଡ଼ି ଚଢ଼ିଛି । ପ୍ରତିମା ବାପା ତାକୁ କୁଆଡ଼େ ବୁଝାଇ କହିଲେ, ଘରକୁ ଫେରିଯା । ସେ ତା’ଙ୍କ କଥା ଶୁଣିଲା ନାହିଁ । ଜିଦ୍‌ କରି ତାଙ୍କ ପାଖରୁ ଟଙ୍କା ଧାର କରି ଯାଇଛି । ପୁଣି ସେ ତାଙ୍କରି ପାଖରେ କୁଆଡ଼େ ଚାକିରି କଲାଣି ।

 

ଦିନୁ ଚମକିପଡ଼ି କହିଲା, ସତେ କଲ୍ୟାଣୀ ? କିଣାଦାଦା ତାକୁ ସାଙ୍ଗରେ ନେଇଛି ? ତା’ ପାଖରେ ସେ ଯାଇ କାମ ଧନ୍ଦା ବି କଲାଣି । ମୁଁ ତ ଏସବୁ କଥା ଜାଣେନା । କିଣା ଦାଦା ବି ପଦେ ଅଧେ ମୋ ପାଖକୁ ଚିଠିରେ ଲେଖିଲା ନାହିଁ ? ଟୋକାଟା ମିଛ ସତ କରି ତାକୁ କିଛି କହିଛି–ତା’ ନହେଲେ ଚିଠି ଖଣ୍ଡେ ସେ ଦେଇ ନଥାନ୍ତା, ସରବା ମୋ ପାଖରେ ଭଲରେ ଅଛି କି ମନ୍ଦରେ ଅଛି-

 

କଲ୍ୟାଣୀ ବତୀଟା ନିଭାଇ ଦେଉଁ ଦେଉଁ କହିଲା, ହଉ ମ କାହିଁକି ଏତେ ବ୍ୟସ୍ତ ହେଉଛ-? କିଏ କେତେ ବୁଦ୍ଧି ଦେଉଛି ଦେଉଥାଉ । ସବୁ ଦେଖିବା । ରାତି ଅନେକ ହେଲାଣି, ଶୋଇପଡ଼ ।

 

ତହିଁ ଆରଦିନ ସକାଳ । ସୂର୍ଯ୍ୟ ଆକାଶରେ ହସି ଉଠୁଛି । ଦିନୁ ପିଣ୍ଡାରେ ବସି ଦାନ୍ତ ଘଷୁଛି । କଲ୍ୟାଣୀ ସାଇ ଭିତରେ ଘର ଧନ୍ଦାରେ ବ୍ୟସ୍ତ । ଗାଁ ଦାଣ୍ଡରେ ଯାଉଁ ଯାଉଁ ପଢ଼ିହାରୀର ଆଖି ଦିନୁ ଉପରେ ପଡ଼ିଲା । ପାକୁଆ ପାଟିରେ ମୁରୁକିହସା ମାରି ପଢ଼ିହାରୀ କହିଲା, କିରେ ଦିନୁ ସରବା କ’ଣ ଦେଖା ନାହିଁ–କଲିକତାକୁ ପଠାଇ ଦେଲୁଣି କିରେ ? ସରବା କଲିକତା ଯାଇଛି କି ଘରେ ଅଛି–ସବୁ କଥା ପଢ଼ିହାରୀ ଜାଣେ । ଜାଣିସିଆଣି ଭଳି କଥା କହୁଛି କିପରି ? ଦିନୁ ମନଟା ଚିଡ଼ିଗଲା ।

 

ଗାଁର ମୁଖିଆ ପଢ଼ିହାରୀ । ହୁଅନ୍ତୁ ନା ମୁଖିଆ–ଦିନୁ କହିଲା, ସରବା କଲିକତା ଯାଇଛି କି କଟକ ଯାଇଛି କ’ଣ ମୋତେ କହିଛି ଯେ ତୁମକୁ କୈଫିୟତ ଦେବି ?

 

ପଢ଼ିହାରୀ ଗାଁର ମାମଲତ ବୁଝନ୍ତି । ନାଆଁ ଅଛି–ଧନ ଅଛି । ତାଙ୍କୁ ଏମିତି ଗୋଟାଏ ଅପମାନ ଭଳି କଥା କହିବା ଦିନୁ ପକ୍ଷରେ ଅନ୍ୟାୟ ହୋଇଛି । ପଢ଼ିହାରୀକୁ ବଡ଼ ବାଧିଲା । ଭଲ କଥାଟା ପଚାରୁ ପଚାରୁ କେମିତି ଗୋଟାଏ ଉତ୍ତର ଏ ଦେଉଛି । ରାଗିଗଲା ପଢ଼ିହାରୀ, ଆଖି ଦୁଇଟା ତା’ର ଲାଲ ପଡ଼ିଗଲା । ଗର୍ଜିଉଠିଲା ସେ । ଦିନୁକୁ କେତେ କ’ଣ କହିଗଲା ତା’ର ଭାଷାରେ । ଦିନୁ କାଠ ଭଳିଆ ଛିଡ଼ାହୋଇ ରହିଲା ତା’ ପିଣ୍ଡାରେ । କହି ତ ଦେଇଛି–କ’ଣ ବା ସେ ମାରହାଣ କଥା କହିଛି ? ଦିନୁ ସହିପାରିଲା ନାହିଁ ପଢ଼ିହାରୀର ରଙ୍ଗା ରଙ୍ଗା ଆଖି ତରଟା । କହିଦେଲା ସେ, ତମ ବାଟରେ ତମେ ଚାଲିଯାଅ ପଢ଼ିହାରୀ–ପାଟିଟାକୁ ଖରାପ କରନା । ପଢ଼ିହାରୀ ଗାଁ ଦାଣ୍ଡରେ ଚାଲି ଯାଉଁ ଯାଉଁ ଏତିକି କହିଗଲା, ଆଛା ହଉ ଥା ଦିନା, ତୋତେ ମୁଁ ଦେଖିବି ।

 

ପଢ଼ିହାରୀ ବଡ଼ ଖରାପ ଲୋକ । ଦିନୁ ତାକୁ ଭଲକରି ଜାଣେ । ଗାଁଟାରେ ଯେତେ କିଛି ଅନ୍ୟାୟ ଅତ୍ୟାଚାର ବଢ଼ି ଉଠୁଛି କେବଳ ତା’ରି ପାଇଁ ।

 

ଆ କଥା ତା’ ପାଖରେ ତା’ କଥା ଆ ପାଖରେ କହି ପରଘର ଭାଙ୍ଗିବା ତା’ର ପେଷା । ଏଣୁ ଦିନୁ ଡରିବ କାହିଁକି ? ଭଡ଼ ଭଡ଼ କରି ଦି’ କଥା ବତାଇ ଦେଇଛି ସେ । ଏଇମାନେ ଗାଁ ଗୋଟାକୁ ସତ୍ୟାନାଶ କଲେଣି–ସୁନା ଘରକୁ ଭାଙ୍ଗି ଚୂନା କଲେଣି । ଭାଇ, ଭାଇରେ ମେଳ ନାହିଁ-। ଗୋଟାଏ ଘର ସାତ ଘର ହେଉଛି । ତଥାପି ଏହିମାନେ ନିଶ ଫୁଲାଇ କହନ୍ତି, ଆମେ ଗାଁର ପ୍ରଭୁ-। ବଡ଼ ବାଧିଲା ଦିନକୁ–ସକାଳଟାରୁ ଏମିତି କଳି ଝଗଡ଼ା, ସାରା ଦିନ ଅଛି......

 

କଲ୍ୟାଣୀ ଘର ଭିତରୁ ଥାଇ ସବୁକଥା କାନେଇ କାନେଇ ଶୁଣିଛି । ଦିନୁ ଘର ଭିତରକୁ ପଶି ଆସିଲା ହାତରେ ଢାଳଟାଏ ଧରି । କଲ୍ୟାଣୀ ଢାଳଟା ଦିନୁ ହାତରୁ ନେଉ ନେଉ କହିଲା, ପଢ଼ିହାରୀ କ’ଣ କହୁଥିଲା କି ?

 

–ପଢ଼ିହାରୀ କ’ଣ କହିବ କଲ୍ୟାଣୀ ? କଳିହୁଡ଼ା ଯେଉଁମାନେ ତାଙ୍କର ଆଉ ପେଷା କ’ଣ ଥାଏ କି ? ଖାଲି ପର ନିନ୍ଦା ପର କୁତ୍ସା ସବୁବେଳେ । କହୁଥିଲା ଅଜଣା କଥା ନୁହେଁ ଜଣା କଥାଟା-

 

–ଜଣା କଥାଟା କ’ଣ କହୁନ ?

 

–କଲ୍ୟାଣୀ ଜଣା କଥାଟା କ’ଣ ଆଉ କହିବି ? ଏଇମାନେ ଜାଣି ଜାଣି ଅଜଣା ହୋଇ କଥା କହନ୍ତି । ନୁଚି ରହି ଟେକା ମାରନ୍ତି । ଗୋଟାଏ ଘର ସାତ ଘର କରନ୍ତି । କଳି ନଥିଲେ କଳି ଲଗାଇ ଦିଅନ୍ତି । ପଛରେ ରହି ଖୁସି ହୁଅନ୍ତି–ଭାରି ଖୁସି । ଆଗରେ ବସି ମାମଲତ କରନ୍ତି । ଭାରି ଚିଡ଼ି ମାଡ଼େ ଆଙ୍କ କଥାରେ । ନ ଜାଣିଲା ପରି ପଢ଼ିହାରୀ କହୁଛି–ଦିନୁ, ସରବା କ’ଣ ଦେଖା ନାହିଁ, କଲିକତାକୁ ପଠାଇ ଦେଲୁଣି କିରେ ? ତା’ କଥା ଶୁଣି ମତେ ବଡ଼ ଚିଡ଼ି ମାଡ଼ିଲା ସବୁ ସେ ଜାଣେ–କଥାଟା ଉଖାରି ବାହାର କରିବା ପାଇଁ ପଚାରିଥିଲା । ବଡ଼ ରାଗ ହେଲା ତା’ କଥାରେ । ମୋ ଭାଇଟା ସାଙ୍ଗରେ ଅମେଳ ହୋଇଛି କି କଳି ଝଗଡ଼ା ହୋଇଛି–କେଉଁଆଡ଼େ ସେ ଚାଲିଯାଇଛି । ଯେଉଁଠି ହେଲେ ଥିବ ତ ? ୟା ମୁଣ୍ଡ କାହିଁକି ଏତେ ବଥାଉଛି ? ଆଗ ପଛ ଆଉ ଭାବିଲି ନାହିଁ–ମନଟା ଚିଡ଼ି ଉଠିଲା, କହିଲି–ଖୁବ୍‌ ଠୋସ୍‌ କରି କହିଲି, କଲିକତା ଯାଇଛି କି କଟକ ଯାଇଛି କ’ଣ ମୋତେ କହି ଯାଇଛି ତମକୁ କୈଫିୟତ ଦେବି ? ମୋ କଥାରେ ରାଗିଗଲା ପଢ଼ିହାରୀ । ରଙ୍ଗା ରଙ୍ଗା ଆଖି ଦେଖାଇ କେତେ କ’ଣ କହିଗଲା । ଶେଷରେ ଦାଣ୍ଡରେ ଚାଲି ଯାଉଁ ଯାଉଁ କହି ଯାଇଛି, ଆଛା ଦିନା ତୋତେ ମୁଁ ଦେଖିବି । ସେଟା ମୋତେ କ’ଣ ଦେଖିବ ? କହିଲୁ, କଲ୍ୟାଣୀ ? ତା’ ନଅର ତଳେ କ’ଣ ବସବାସ କରିଛି, ମୋତେ ଡରାଇବ ? ରଙ୍ଗା ଆଖି ଦେଖାଇବ ? ଏମିତି କେତେ ଲୋକଙ୍କୁ ଦେଖିଛି ମୁଁ । ଦେଲୁ କଲ୍ୟାଣୀ କ’ଣ ଗଣ୍ଡେ ଖାଇବାକୁ । ତେଣେ ଦାଳୁଅ ବିଲଟା ଶୁଖିଗଲାଣି–ପାଣି ମଡ଼ାଇବାକୁ ହେବ ।

 

କଲ୍ୟାଣୀ ଗୋଟାଏ ଥାଳୀରେ ପିଠା ଦି’ଫରା ଦିନୁ ପାଖରେ ଥୋଇ ଦେଉଁ ଦେଉଁ କହିଲା, ତମେ ଏତେ ବଡ଼ କଥାଟା ପଢ଼ିହାରୀକି କହିଦେଲ ସିନା–କାଳେ କୋଉକଥା...... !

 

–କାଳେ ତୋ ମୁଣ୍ଡ ।

 

–ତମେ ସବୁ ଜାଣି ଅଜଣା ହେଉଛ । ଦେଖୁଛ ତ ଗାଁଟାରେ କି ନାଟ ତାମସା ଲଗାଇଛି ସେ । ବେଚଶମ ଲୋକ ସାଙ୍ଗରେ ବଢ଼ିଲେ ଲାଭଟା କ’ଣ କୁହନି ? ଆପଣା ଭାଇଟା ତ ଆପେ ଆପେ ଘରଛାଡ଼ି ପଳାଇ ଯାଉଛି–ପର ଦେଖି ହସିବା କଥା । କିଛି ନ କହିଥିଲେ ପଢ଼ିହାରୀକୁ ? କେତେବେଳେ କେଉଁ କଥା–ଏକା ମଣିଷ ।

 

–ଏକା ମଣିଷ ହେଲି ବୋଲି କ’ଣ ନିଜର ଇଜ୍ଜତ ନାହିଁ ? ମାନ ନାହିଁ ? ପିଠା ଖଣ୍ଡେ ପାଟିକି ନେଉ ନେଉ ଦିନୁ କହିଲା ।

 

–ସେ କଥା କିଏ ବୁଝୁଛି ? କୁହନି ।

 

–ନା କଲ୍ୟାଣୀ–ଏ ସବୁ କଥା ମୋତେ ବଡ଼ ଖରାପ ଲାଗେ । ଜାଣିସିଆଣା ଭଳି ଯେ କଥା କହେ ତା’ ଉପରେ ମୋ ହାଡ଼ ଚିଡ଼ିଚିଡ଼ି ଉଠେ ।

 

–ହଁ ମ, ଏମାନେ ସବୁ ଜାଣିସିଆଣା ନୁହନ୍ତି ତ ଆଉ କ’ଣ ? କଳି ନଗାଇ ଦେବା କଥା ଜାଣନ୍ତି ଖାଲି ।

 

ଦିନୁ ପିଠା ଖାଉଁ ଖାଉଁ କହିଲା, କଲ୍ୟାଣୀ ପାଣି ଟୋପାଏ ଦେଲୁ । କଲ୍ୟାଣୀ ପାଣି ଢାଳେ ଦିନୁ ପାଖରେ ଆଣି ଥୋଇଦେଲା । ଦିନୁ ତରତର ହୋଇ ଅଧ ଢାଳେ ପାଣି ଢକ ଢକ କରି ପିଇଦେଲା । କଲ୍ୟାଣୀ ପାନ ଦି’ଖଣ୍ଡ ଦିନୁ ହାତକୁ ବଢ଼ାଇ ଦେଉଁ ଦେଉଁ କହିଲା–ଏତେ ତରତର ହେଉଛ କାହିଁକି ?

 

–ବୁଝିଲୁ ନାହିଁ କି କଲ୍ୟାଣୀ–ଖରା ପରା ମାଡ଼ି ଆସୁଛି–ଟାଣୁଆ ଖରା ଦିହ ମୁଣ୍ଡ ତାତିଯିବ-। ଆଗରୁ ଦାଳୁଅ ବିଲକୁ ଯାଇ ଦି’ ଶେଣୀ ପାଣି ମଡ଼ାଇବାକୁ ହେବ ତ ।

 

ଦିନୁ ପାନ ଖଣ୍ଡିକ ପାଟିରେ ପୁରାଇ କିଆରୀଆଡ଼େ ଚାଲିଗଲା । କ’ଣ କରିବ ? ବିଲବାରି ଧନ୍ଦା ନ କଲେ ନ ଚଳେ । ପେଟ କିମିତି ପୂରିବ ? ସଂସାରଟି ଛୋଟ ସଂସାର । ତେଲ ଲୁଣ ନ ହେଲେ ନ ଚଳେ । ଆଇଲା ଗଲା ବନ୍ଧୁ ବାନ୍ଧବ ସବୁ ଦେଖିବାକୁ ପଡ଼ିବ । ଏମିତି କେତେ କ’ଣ କଲ୍ୟାଣୀ ତାକୁ କହେ–ଏକା ଏକା କାହିଁକି ଏତେ ଧନ୍ଦି ହୋଇ କାମ କରୁଛ ? ଜମି କେଇମାଣେ–ଭାଗଦେଲେ କ’ଣ ଚଳିହେବ ନା ? ଯାହା ଗଣ୍ଡେ ମିଳିବ–ସେଇ ଆମର ଢେର୍‌ ।

 

ଦିନୁ ଘର କରିଛି–ଭଲ ମନ୍ଦ ଜାଣିଛି, ଦୁଃଖ ସୁଖ ଅଙ୍ଗେ ନିଭେଇଛି । ମାଇପି କଥାରେ କାହିଁକି ସେ କାନ ଦେବ ? ଆପଣା ଧନ୍ଦାରେ ଲାଗେ ।

 

ଦିନୁ ବିଲରେ ପହଞ୍ଚିଲା । ବୈଶାଖ ମାସର ନିରାଟ ଖରା–ଟିକିଏ ଡେରି ହେଲେ ଚାଷୀକି ବଡ଼ ବାଧେ । ତଥାପି ଦିହ ମୁଣ୍ଡରେ ମାରି ଚାଷୀ କରେ ମିହନତ । ଜମିରୁ ସୁନା ଫଳାଏ । ଦୁନିଆକୁ ବଞ୍ଚାଏ । ତା’ ପକ୍ଷରେ ଖରା ବର୍ଷା ସବୁ ସମାନ । ସେହି ଦିହ ଘସିଆ ଅଭ୍ୟାସରେ ଦିନୁ ମଧ୍ୟ ଲାଗିଗଲା । ଦାଳୁଅ କିଆରିକୁ ପାଣି ମଡ଼ାଉଛି, ଗୋଟାଏ ଝୁଙ୍କରେ । ଗୋଟିଏ ତାଳରେ, କୁଆଡ଼କୁ ତା’ର ଲକ୍ଷ୍ୟ ନାହିଁ–ବେଳେ ବେଳେ ମନ ଭିତରେ ତା’ର ଉଙ୍କିମାରୁଛି, ପଢ଼ିହାରୀର ସେହି କଥାଟା–ଆଚ୍ଛା ଦିନା ତୋତେ ମୁଁ ଠିକ୍‌ କରିବି । କ’ଣ ସେ ଠିକ୍‌ କରିବ ତାକୁ ?

 

ଆହୁରି ତଳକୁ ତଳକୁ ମନଟା ତା’ର ଦବିଯାଉଛି । ସତେ ଚାଣ୍ତଳଟା କ’ଣ ମୁଁ ନ କଲି ! ସାମାନ୍ୟ କଥାଟା । ଦିନୁ ଅସରନ୍ତି ଭାବନା ଭିତରେ ଦେଖୁଛି କେତେ ସ୍ୱପ୍ନ ।

 

ଭାବନା ତା’ର ଭାଙ୍ଗିଗଲା । ଟାଣୁଆ ଖରା ଫାଟି ପଡ଼ୁଛି । ଅନାଇଲା ଆକାଶକୁ । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲାଣି । ଆଉ କାମ କରିହେବ ନାହିଁ । ହାତ ତା’ର ଅଟକିଗଲା । ଥକ୍‌କା ହୋଇ ହିଡ଼ ମୁଣ୍ଡରେ ବସି ପଡ଼ିଲା ଦଣ୍ଡକ ପାଇଁ । ନା, ବସିଲେ କ’ଣ ହେବ ? ସିଧା ସିଧା ଘରଆଡ଼େ ଆଗେଇଲା ।

 

ବେଳ ହେଲାଣି କେଜାଣି କେତେ । କଲ୍ୟାଣୀ ରନ୍ଧାବଢ଼ା ସାରି ଦିନୁକୁ ଅନାଇଛି–କେତେବେଳେ ଆସିବ ।

 

ଦିନୁ ଘର ଭିତରକୁ ପଶି ଯାଉଁ ଯାଉଁ କହିଲା, କଲ୍ୟାଣୀ ରନ୍ଧାବଢ଼ା ସାରିଲୁଣି ?

 

କଲ୍ୟାଣୀ କହିଲା, ହଁ ରନ୍ଧାବଢ଼ା ସରିଛି–ତମେ ତେଲ ନିଅ, ଗାଧୋଇ ଯାଅ । ବେଳ କେତେ ହେଲାଣି ଦେଖୁଚ ତ ? ଏତେ ଡେରି ଯାକେ ବିଲରେ କାହିଁକି ରହୁଛ ? କଲ୍ୟାଣୀ ତେଲ ଗିନାଟା ଦିନୁ ହାତକୁ ବଢ଼ାଇ ଦେଲା ।

 

ଦିନୁ ଦେହରେ ତେଲ ଲଗାଉ ଲଗାଉ କହିଲା, କଲ୍ୟାଣୀ ମିହନତ ନ କଲେ ଫଳ କିମିତି ଫଳିବ କହନି ? ସବୁବେଳେ ସମୟକୁ ଦେଖିଲେ ଚଳିବ ?

 

ମୁରୁକିହସା ମାରି କଲ୍ୟାଣୀ କହିଲା, ହଉ ଯାଅ ଯାଅ, ଏତେ ମିହନତ କରନା ।

 

ଦିନୁ ଗାଧୋଇବାକୁ ଚାଲିଗଲା । ଗାଧୁଆ କାମ ସାରି ଫେରୁଛି, ରାସ୍ତାରେ ପୋଷ୍ଟ ପିଅନ ଚିଠି ଖଣ୍ଡେ ଦିନୁ ହାତକୁ ବଢ଼ାଇ ଦେଉଁ ଦେଉଁ କହିଲା, ତମ ଚିଠି ଖଣ୍ଡିକ ନିଅ ।

 

ଦିନୁ ଚିଠି ଖଣ୍ଡିକ ଉପରେ କେଜାଣି କେତେଥର ଯେ ଆଖିପକାଇ ଗଲା ତା’ର କଳନା ନାହିଁ । ଘର ଭିତରକୁ ପଶି ଯାଉଁ ଯାଉଁ ଦିନୁ ଆନନ୍ଦରେ ଅଧୀର ହୋଇ କଲ୍ୟାଣୀକୁ ଚିଠି ଖଣ୍ଡିକ ଦେଖାଇ କହିଲା, କଲ୍ୟାଣୀ କୁଳ ପାଖରୁ ଆଜି ଚିଠି ମିଳିଛି ।

 

କଲ୍ୟାଣୀର ଅନ୍ତର ଆନନ୍ଦରେ ନାଚିଉଠିଲା । ଚିଠି ଖଣ୍ଡିକ ଶୁଣିବା ପାଇଁ ମନ ତା’ର ବ୍ୟଗ୍ର ହୋଇଉଠିଲା ।

 

ଦିନୁ ଲୁଗା ପିନ୍ଧିସାରି ଚିଠି ଖଣ୍ଡିକ ଖୋଲି ପଢ଼ିଲା । କୁଳ ଲେଖିଛି ।

 

ଦିନୁ ଭାଇ !

 

ନମସ୍କାର ଗ୍ରହଣ କରିବେ । ନୂଆଉଙ୍କୁ ମୋର ପ୍ରଣାମ ଜଣାଇବେ । ଆପଣଙ୍କ ଚିଠି ପାଇଥିଲି । ଜବାବ ଦେବାରେ ଡେରି ହୋଇଛି । ମନେ ମନେ କେତେ କ’ଣ ଭାବିଥିବ । କ’ଣ କରିବି ଭାଇ ? ପର ଘର ଗୋଲାମିରେ ଫୁରୁସତ କାହିଁ ? ସରବା କଥା ଶୁଣି ମନଟା ମୋର କେମିତିକା ହୋଇଗଲା । ପ୍ରକୃତରେ ସେ କଲିକତା ଆସିଛି । ମୁଁ ଆପଣଙ୍କ ଚିଠି ପଢ଼ି ବିଶ୍ୱାସ କରିପାରି ନ ଥିଲି । ସେଦିନ ଏମିତି ରାସ୍ତାରେ ଚାଲି ଯାଉଁ ଯାଉଁ ହଠାତ୍‌ ସରବା ସାଙ୍ଗରେ ମୋର ଭେଟ ହେଲା । ଚିହ୍ନିଲି ତାକୁ ମୁଁ ନିଜ ରକ୍ତ ଯେତେବେଳେ । ସବୁ କଥା ପଚାରିଲି । କାନ୍ଦିଲା । ବୁଝାଇ ସୁଝାଇ କହିଲି ଘରକୁ ଯା । ରାଗ ଅନ୍ତରେ ଘରକୁ ଯିବନାହିଁ ବୋଲି କହିଲା । ସେ ବର୍ତ୍ତମାନ କିଣା ସାମଲ ପାଖରେ ଅଛି । କାମ ମଧ୍ୟ କରୁଛି । କିଣା ସାମଲ ତା’ର ଖବର ଅନ୍ତର ବୁଝୁଛି । ଆପଣ ତା’ ପାଇଁ ବ୍ୟସ୍ତ ହେବେନି । ମୁଁ ତାକୁ ବୁଝାଇ ସୁଝାଇ ପରେ ଘରକୁ ପଠାଇ ଦେବି-। ଚିଠି ପାଇ ଚିଠି ଦେବେ । ସବୁ କଥା ଲେଖିବେ । ତା’ ପାଇଁ ଚିନ୍ତା କରିବେ ନାହିଁ । ଇତି ।

 

ସ୍ନେହର

କୁଳ

 

ଚିଠି ଖଣ୍ଡିକ ପଢ଼ି ଦିନୁ ସ୍ୱସ୍ତିର ନିଶ୍ୱାସ ମାରିଲା । ଯା ହେଉ ସରବା କଲିକତାରେ ଅଛି-। ଦିନେହେଲେ ମନ ମେଜାଜ ତା’ର ବଦଳିଲେ ଆସିବ ଯେ ।

 

କଲ୍ୟାଣୀ କହିଲା, ମୁଁ ପରା କହୁଥିଲି ତୁମକୁ–ସରବା କଲିକତାରେ ଅଛି । କ’ଣ ହେଲା-?

 

ଦିନୁ କହିଲା, ହଁ କଲ୍ୟାଣୀ ତୋ କଥାଟି ସତ ।

 

ଆଜି ଦିନୁ ମନଟା ଭାରି ଆନନ୍ଦ । ଖାଇ ବସିଛି ସେ । କଲ୍ୟାଣୀ ଆଗରେ ପଛରେ ଭାତ ତରକାରୀ ପରସିବାରେ ବ୍ୟସ୍ତ । ଦିନୁ ଖାଇ ସାରିଲା ।

 

କଲ୍ୟାଣୀ କହିଲା–ଆଉ କ’ଣ ?

 

ନାହିଁ କଲ୍ୟାଣୀ ଆଉ କ’ଣ ? ଚିଠି ଖଣ୍ଡେ ଆଜି କୁଳ ପାଖକୁ ଲେଖିବାକୁ ହେବ । ଦେଲୁ ସେ ଘର ଅଧକାନ୍ଥି ଉପରେ ଦୁଆତ କଲମ ଅଛି ।

 

କଲ୍ୟାଣୀ ଦୁଆତ କଲମ ଅଧକାନ୍ଥି ଉପରୁ ଆଣି ଦିନୁ ହାତକୁ ବଢ଼ାଇ ଦେଲା । ଦିନୁ ଘରେ ଥିବା କେଉଁ କାଳର ପୁରୁଣା ବସ୍ତାନୀରୁ କାଗଜ ଖଣ୍ଡେ ବାହାର କରି ଚିଠି ଲେଖି ବସିଲା ।

 

ଚିଠି ଲେଖା ସରିଲା । କୁଳ ପଠାଇ ଥିବା ଟିକଟ ମରା ଖାମ ଭିତରେ ଦିନୁ ଚିଠି ଖଣ୍ଡିକ ପୂରାଇ ବନ୍ଦ କରି ଦେଉ ଦେଉ କହିଲା, କଲ୍ୟାଣୀ ! ତମର କିଛି କହିବାର ଥିଲା କି ?

 

କଲ୍ୟାଣୀ କହିଲା କ’ଣ ଚିଠି ବନ୍ଦ କରି ସାରି ପଚାରୁଛ ?

 

ଦିନୁ ଚିଠିକୁ ଅନାଇଦେଇ କହିଲା, ଓଃ ସତେ ତ ! ପୁନରାୟ ଚିଠି ଖଣ୍ଡିକ ଖାମ ଭିତରୁ ବାହାରକରି ଦିନୁ କହିଲା, ଏବେ କ’ଣ କହିବୁ କହ କଲ୍ୟାଣୀ ।

 

କଲ୍ୟାଣୀ ମୁହଁରେ ମିଠା ହସ ଖଣ୍ଡେ ଫୁଟାଇ କହିଲା, ଥାଉ ଥାଉ ଚିଠି ବନ୍ଦ କରିଦିଅ । କ’ଣ ମୁଁ ଅଧିକ ବା କହିବି ? ତମେ ତ ସବୁ ଲେଖିଦେଇଛ ।

 

ଦିନୁ ଚିଠି ଖଣ୍ଡିକ ଧରି ପୋଷ୍ଟ ଅଫିସ ଆଡ଼େ ଚାଲିଗଲା ।

 

ଛଅ

 

ସରବାର କଲିକତା ଆସିବା ଆଠ ମାସ ହୋଇଗଲାଣି । ଆଠ ମାସ ନୁହେଁ–ଆଠ ବର୍ଷ ପରି ଲାଗୁଛି ତାକୁ । ରାଗ ତମରେ ସେ ଏ ପର୍ଯ୍ୟନ୍ତ ଘରକୁ ଚିଠି ଖଣ୍ଡେ ବି ଦେଇ ନାହିଁ । ଭାଇ ଭାଉଜ କ’ଣ ତାକୁ କହୁଥିବେ ?

 

ଭାଇ ତା’ର କେତେ କଷ୍ଟ ପାଇ ବିଲ ବାରିର ଧନ୍ଦା ଏକା ଏକା କରୁଥିବ । ସବୁ କଥା ଆଖି ଆଗରେ ତା’ର ନାଚିଗଲା । କାନ୍ଦମାଡ଼ିଲା ସରବାକୁ । ଚାରିଆଡ଼କୁ ଅନାଇଲା । ନିସ୍ତବ୍ଦ-ଶୂନଶାନ୍‌ । କେହି କୁଆଡ଼େ ନାହାନ୍ତି । ଏ କ’ଣ ? ସେ ଏଠି କାହିଁକି ଶୋଇଛି ? ଏତ ତା’ର ବସାଘର ନୁହେଁ ? କିଣା ଦାଦା ପାଖରେ ତା’ର ତ ନାହିଁ ? କିଛି ଠଉରାଇ ପାରିଲା ନାହିଁ ସରବା । ରାତି ହେଲାଣି ବାରଟା । ମୁଣ୍ଡ ତା’ର କ’ଣ ହୋଇଗଲା । ଆଜି ଯେ କ’ଣ ତା’ର ହୋଇଛି କିଛି ଠିକ୍‌ କରିପାରୁ ନାହିଁ । ଘର ଗ୍ରାମ ଭାଇ-ଭାଉଜ ସବୁ କଥା ମନକୁ ଆଜି ତା’ର ଅସ୍ଥିର କରି ପକାଇଲାଣି-। ବ୍ୟସ୍ତ ଖାଲି ବ୍ୟସ୍ତ । ମଝିରେ ମଝିରେ ପାଖରେ ଥିବା ଅନ୍ୟାନ୍ୟ ରୋଗୀମାନଙ୍କର କରୁଣ ଚିତ୍କାରରେ ସରବା ଚମକି ପଡ଼ୁଛି–ତଟସ୍ତ ହୋଇ ନିଜର ଅଙ୍ଗ ପ୍ରତ୍ୟଙ୍ଗକୁ ଥରେ ଅନାଇଲା ସେ । ଏ କ’ଣ ? ତା’ ଗୋଡ଼ରେ ଯେ ପଟି ବନ୍ଧା ଯାଇଛି । ସକାଳ କଥା ମନେ ତା’ର ପଡ଼ିଲା । ହରିସନ ରୋଡ଼ ଛକ । ଚିତ୍‌ପୁର ଗୋଦାମକୁ ମାଲ ନେଇଯିବାବେଳେ ସରବା ଉପରେ ଗୋଟାଏ ମାଲବୁହା ଲରି ଚଢ଼ିଗଲା । ଅଚେତ୍‌ ହୋଇ ଗାଡ଼ିର ଚକା ତଳେ ସେ ପଡ଼ିଗଲା । ତା’ପରେ କ’ଣ ହେଲା ତା’ର ମନେ ନାହିଁ । ସେ ଆଜି ହସପାତାଳର ରୋଗୀ । ସତେ–ସତେ କ’ଣ ତା’ର ଗୋଡ଼ ଭଲ ହୋଇଯିବ-! ସତେ ସେ ଘରକୁ ଯାଇ ଭାଇ ଭାଉଜଙ୍କୁ ତା’ର ଦେଖିବ ? ଭାବନାରେ ଅସ୍ଥିର ତା’ର ମନ ।

 

ଚାବି ଦିଆଯାଇଥିବା ଟାଇମ୍‌ପିସ୍‌ ଘଣ୍ଟାଟାର ଆଲାରାମ ବାଜିଉଠିଲା ଟ୍ରିଙ୍ଗ୍‌ ଟ୍ରିଙ୍ଗ୍‌ ଟ୍ରିଙ୍ଗ୍‌ ।

 

ସରବାର ଛାତି ଭୟରେ ଥରିଉଠିଲା । ହଲଚଲ ହେବାର ଜୁ ନାହିଁ । ସେ ଚିତ୍କାର କରିଉଠିଲା, ବାପରେ ମରିଗଲି । କି ଭୟଙ୍କର ସେ ଚିତ୍କାର !

 

ନର୍ସ ପାଖ କାମେରାରୁ ଧାଇଁ ଆସିଲା ।

 

ସରବା ନର୍ସକୁ ଦେଖି ନୀରବ ହୋଇ ଆଗ ପରି ଖଟିଆରେ ପଡ଼ି ରହିଲା ।

 

ନର୍ସ ମନରେ ସନ୍ଦେହ ହେଲା । ରୋଗୀ ଏପରି ଚିତ୍କାର କରିବାର କାରଣ କ’ଣ ? ସରବା ପାଖକୁ ଲାଗି ଲାଗି ଦୁଇ ଚାରିଟି ଖଟିଆ ପଡ଼ିଛି । ଗୋଟିକରେ ଟାଇଫଡ଼୍‍ ରୋଗୀ ଅନ୍ୟ ତିନୋଟିରେ କ୍ରନିକ ମେଲେରିୟା ରୋଗୀ । ସମସ୍ତେ ଜଳ ଜଳ କରି ଅନାଇଛନ୍ତି–କାହାରି ଆଖିକୁ ନିଦ ନାହିଁ । ଯନ୍ତ୍ରଣାର ପେଷଣ ଚକ ତଳେ ଜନ୍ତି ହେଉଥାନ୍ତି ସେମାନେ ।

 

ନର୍ସ ଥରେ ସବୁ ରୋଗୀମାନଙ୍କ ଉପରେ ଆଖିପକାଇ ନେଲା । କାଳେ କେହି.... । କିଛି ବୁଝିପାରିଲା ନାହିଁ ସେ ।

 

ଆପଣାର କର୍ତ୍ତବ୍ୟ ପାଳନ କରି ନିର୍ଦ୍ଦିଷ୍ଟ ସମୟ ମୁତାବକ ନର୍ସଟି ପ୍ରତ୍ୟେକ ରୋଗୀମାନଙ୍କୁ ଔଷଧ ଖୁଆଇ ସେମାନଙ୍କର ସେବା ଶୁଶ୍ରୂଷା କରି ଚାଲିଗଲା ।

 

ତହିଁଆର ଦିନ ଠିକ୍‌ ସେତିକିବେଳେ ସେହି ନର୍ସଟି ସରବାର ଖଟିଆ ପାଖରେ ପହଞ୍ଚି, ପଚାରିଲା ସରବାକୁ, ଆଜି କିପରି ଅଛ ? ସରବା କହିଲା, ଟିକେ ଭଲ ଅଛି ।

 

ନର୍ସ କହିଲା, ହଁ ତୁମେ ଖୁବ୍‌ ଶୀଘ୍ର ଭଲ ହୋଇଯିବ । କୌଣସି ଚିନ୍ତା କର ନାହିଁ । ନିଅ ଏ ଔଷଧ ପିଇଦିଅ ।

 

ନର୍ସ ଦେଇଥିବା କାଚ ଗ୍ଲାସଟିରେ ଲାଲ ଲାଲ ଔଷଧ ଟୋପାକ ଆଖିବୁଜି ସରବା ଦି’ ଢୋକରେ ପିଇଦେଲା ।

 

ନର୍ସ ପାଖରେ ଥିବା ଅନ୍ୟ ରୋଗୀମାନଙ୍କ ପାଖକୁ ଚାଲିଗଲା । ସରବା ନର୍ସଟିର କାର୍ଯ୍ୟକଳାପକୁ ଲକ୍ଷ୍ୟ କରି କିଛି ବୁଝିପାରିଲା ନାହିଁ । ଏ ସ୍ତ୍ରୀ ଲୋକଟି ତା’ର ସେବା କାହିଁକି ଏତେ କରୁଛି ?

 

ସକାଳ ହେଲାଣି । ମେଡିକାଲ ହସପିଟାଲର ସବୁ ଡିପାଟମେଣ୍ଟଗୁଡ଼ା ଖୋଲି ଗଲାଣି । କିଏ କେତେ ପ୍ରକାର ରୋଗୀ–ରୋଗର ଉପଶମ ପାଇଁ ଡାକ୍ତରଙ୍କୁ ପରୀକ୍ଷା କରାଇବା ଉଦ୍ଦେଶ୍ୟରେ ନମ୍ବର ଦେଇଛନ୍ତି । ଭୀଷଣ ଭିଡ଼ ।

 

ବିସ୍ତୃତ ପଡ଼ିଆ ଘେରି ହସପିଟାଲର ବିରାଟ ହତା । ପରିଷ୍କାର ପରିଚ୍ଛନ୍ନ । ସକାଳ ସୂର୍ଯ୍ୟର ଝାପ୍‌ସା ଆଲୋକ ପଡ଼ିଛି ।

 

ସେହି କଅଁଳ ଆଲୋକରୁ କେରାଏ ବିଞ୍ଚି ହୋଇପଡ଼ିଛି–ସରବା ଯେଉଁ ଘରେ ଶୋଇଛି ସେହି ଘର ଭିତରେ । କାଲି ଅପେକ୍ଷା ଆଜି ଦେହ ଟିକେ ତା’ର ଭଲ ଲାଗୁଛି । ଗୋଡ଼ ବିନ୍ଧା କମ ଅଛି ।

 

ସରବା ଖଟିଆରେ ଚିତ୍‌ ହୋଇ ଶୋଇ ଅନାଇଛି ସାମନା ପଡ଼ିଆକୁ । ଭାବୁଛି କେତେ କ’ଣ । ମନେ ପଡ଼ୁଛି ତା’ର ସବୁ କଥା ଘର, ଗ୍ରାମ, ଭାଇ, ଭାଉଜ ।

 

ସରବାର ଭାବନା ଭାଙ୍ଗି ସାମନାରେ ଛିଡ଼ା ହୋଇଗଲା କିଣା ସାମଲ । କରୁଣ ବୋଳା ମୁହଁରେ କିଣା ସାମଲ ସରବା ପାଖକୁ ଯାଇ ପଚାରିଲା–ସରବା କେମିତି ଅଛୁ ? ଶେଷରେ ଏହା ବି ଭାଗ୍ୟରେ ଥିଲା ?

 

ସରବା କାନ୍ଦି ପକାଇଲା । କି ଦୂର୍ଯ୍ୟୋଗରେ ସେ ସବୁ ଗୋଡ଼ କାଢ଼ି ଆସିଥିଲା କେଜାଣି–ତାକୁ ଏମିତି ଦଣ୍ଡ ଭୋଗ କରିବାକୁ ହେଲା ।

 

ସରବା କହିଲା, କିଣା ଦାଦା, ମୋ ଭାଗ୍ୟ କଥା । ତୁମେ କ’ଣ କରିବ ? କିଣା ସାମଲ ଦେଖିଲା ସରବାର ଡାହାଣ ଗୋଡ଼ରେ ଗୋଟାଏ ପଟି ବନ୍ଧା ଯାଇଛି । ଗୋଡ଼ ତା’ର ନିଶ୍ଚୟ ଭାଙ୍ଗି ଯାଇଛି । କିଣା ସାମଲର ମନଟା କେମିତିକା ହୋଇଗଲା । ଆଉ ସରବା ପାଖରେ ଛିଡ଼ାହୋଇ ରହିବାକୁ ମନ ହେଲା ନାହିଁ । କିଣା ସାମଲ ଦୀର୍ଘ ନିଶ୍ୱାସ ପକାଇ କହିଲା, ସରବା, ମୁଁ ଯାଉଛି ।

 

ସରବା କହିଲା, ହଉ ତୁମ ଇଚ୍ଛା ।

 

ସେଦିନ କିଣା ସାମଲ ଚାଲିଗଲା । ତହିଁ ଆରଦିନ ପୁଣି ଆସିଲା ସରବାକୁ ଦେଖିବାପାଇଁ । ଏମିତି ରୋଜ ରୋଜ ସେ ଆସେ । ସରବାକୁ ଦେଖି ଚାହିଁ ଯାଏ ।

 

ଦେଖୁ ଦେଖୁ ଏଥି ମଧ୍ୟରେ ମାସ ଦୁଇଟା କଟିଗଲାଣି । ସରବା ଗୋଡ଼ରେ ବନ୍ଧା ଯାଇଥିବା ବ୍ୟାଣ୍ଡେଜ ଖୋଲି ଦିଆଗଲାଣି । ଗଣ୍ଠିରେ ସାମାନ୍ୟ ଆଘାତ ଲାଗିଥିଲା । ଭଲ ହୋଇଗଲାଣି ତା’ର ଗୋଡ଼ ।

 

ସେଦିନ ଡାକ୍ତର କ’ଣ ଗୋଟାଏ ଚିଠି ଦେଖାଇ ସରବାକୁ କହିଲା ତାକୁ ଆଉ ଏଠାରେ ରହିବାକୁ ହେବ ନାହିଁ । ଏଣିକି ତା’ ବସାକୁ ଯାଇପାରେ । ସରବା ମନରେ ଭାରି ଆନନ୍ଦ । ସେ ଭଲ ହୋଇଗଲାଣି । ଆଉ କାହିଁକି ସେ ହସପିଟାଲ ଖଟିଆରେ ପଡ଼ି ରହିବ ? ତାକୁ ଆଉ ଏ ସବୁ ଭଲ ଲାଗୁ ନାହିଁ । ସେଦିନ ମନ ଖୁସିରେ ସରବା ବସିଛି, କିଣା ସାମଲ ପହଞ୍ଚିଲା–ତା’ ସାଙ୍ଗରେ କୁଳ । କୁଳ ମଝିରେ ମଝିରେ ସରବାକୁ ଦେଖିବା ପାଇଁ ଆସେ ।

 

ସରବା ଏ ଦୁଇଜଣଙ୍କୁ ଦେଖି ଖଟିଆରୁ ଉଠିପଡ଼ି ବାହାର ବାରଣ୍ଡାକୁ ଚାଲିଆସିଲା ।

 

କିଣା ସାମଲ ପଚାରିଲା, କ’ଣ ଖବର ସରବା ?

 

ସରବା କହିଲା, ନା ଖବର କ’ଣ ? ଡାକ୍ତର କହିଛି, ଏଣିକି ମୁଁ ବସାକୁ ଯାଇପାରିବି । ମୋ ଗୋଡ଼ ଭଲ ହୋଇଗଲାଣି ।

 

କିଣା ସାମଲ ସରବା ଗୋଡ଼କୁ ଥରେ ଭଲ କରି ଅନାଇଲା । ଗୋଡ଼ରୁ ପଟି ମଧ୍ୟ ଖୋଲି ଦିଆଯାଇଛି । ସରବା ତଳେ ଗୋଡ଼ ଲଗାଇ ପାରୁଛି ।

 

କିଣା ସାମଲ ସରବା ଗୋଡ଼ରେ ହାତ ବୁଲାଉ ବୁଲାଉ କହିଲା, ଦରଜ କିଛି ନାହିଁ ତ ସରବା ?

 

ସରବା କହିଲା, ନା ।

 

କିଣା ସାମଲ କହିଲା, ଡାକ୍ତର କେବେ ଯିବାକୁ କହିଛି ?

 

ସରବା କହିଲା, ଏହାରି ଭିତରେ କେବେ ଦିନେ ।

 

କିଣା ସାମଲ ପକେଟରୁ ଚିଠି ଖଣ୍ଡେ ବାହାର କରି ସରବା ହାତକୁ ବଢ଼ାଇ ଦେଉ ଦେଉ କହିଲା, ଦିନୁ ଭାଇ ତୋର ଦେଇଛି ।

 

ସରବା ଖୋଲା ଲଫାପାଟାରୁ ଚିଠି ଖଣ୍ଡେ ବାହାରକରି ପଢ଼ିଲା । ଦିନୁ ଭାଇ ତା’ର କିଣା ସାମଲ ପାଖକୁ ଲେଖିଛି :–

 

କିଣାଦାଦା !

 

ଅନେକ ଦିନ ହେଲାଣି, ତୁମେ କଲିକତା ଗଲ, ଖଣ୍ଡେ ଚିଠି ବି ତୁମ ପାଖରୁ ମିଳିଲା ନାହିଁ । କ’ଣ ବା ଲେଖିବି ? ଲେଖି ବସିଲେ ଆଖିରୁ ଲୁହ ଆସୁଛି । ଆଜି ସରବାର ଏପରି ଦୁଃସମ୍ବାଦ ପାଇ ପ୍ରାଣ ମୋର କାନ୍ଦି ଉଠୁଛି । ମାଆ ପେଟର ଭାଇଟା ରାଗ ତମରେ ଘରୁ ଗୋଡ଼ କାଢ଼ି ବିଦେଶକୁ ପଳାଇ ଗଲା । କିଏ ଜାଣିଥିଲା ତା’ ଭାଗ୍ୟରେ ଏପରି ଘଟିବ ବୋଲି ? କେମିତି ସେ ଗାଡ଼ିରେ ଚପା ପଡ଼ିଲା ? ଚିଠିରେ ଲେଖିବ । ମୁଁ ଶୁଣିଲା ଦିନରୁ ଭୋକଶୋଷ ତା’ ପାଇଁ ଭୁଲି ଗଲିଣି । ବର୍ତ୍ତମାନ ସେ କେମିତି ଅଛି ? ତା’ର ତତ୍ତ୍ୱ ନେଇ ମୋତେ ଜଣାଇବ । ଫେରନ୍ତା ଚିଠିକୁ ଚାହିଁ ରହିଲି । ନଚେତ ମୁଁ ତୁମ ପାଖରୁ କିଛି ଖବର ନପାଇଲେ କେଉଁଆଡ଼େ ଘର ସଂସାର ଛାଡ଼ି ପଳାଇ ଯିବି । ମୋ ରାଣ ସରବାକୁ ନିଜର ବୋଲି ଭାବି ତା’ର ତତ୍ତ୍ୱ ନେବ । ଇତି ।

 

ତୁମର

ଦିନୁ

 

ସରବା ଚିଠି ଖଣ୍ଡିକ ଥରେ ନୁହେଁ–ଦି’ଥର ନୁହେଁ କେତେଥର ଯେ ପଢ଼ିଗଲା–ତା’ର ଠିକଣା ନାହିଁ । ଯେତେ ଥର ସେ ପଢ଼ୁଥାଏ, ତେତେ ଥର ତା’ର ଅନ୍ତର ଭିତରେ କ୍ରୋଧ ବଢ଼ି ଉଠୁଥାଏ । ଆଉ ସେ ସମ୍ଭାଳି ରହି ପାରିଲା ନାହିଁ । ହୃଦୟର ବିରାଟ ବନ୍ଧ ଫଟାଇ ସରବାର ଦି’ ଆଖିରୁ ଝରିପଡ଼ିଲା ଠପ୍‌ ଠପ୍‌ କେତେ ଟୋପା ଲୁହ ।

 

କିଣା ସାମଲ କହିଲା–ଛି ସରବା, କାନ୍ଦୁଛୁ ? ପାଗଳାଟା କିରେ ? ସରବା ଆଖିରୁ ଲୁହ ପୋଛିଲା ।

 

କିଣା ସାମଲ କହିଲା ସରବା ସମୟ ହୋଇଗଲାଣି । ଆମେ ଯାଉଛୁ, କାଲି ସଞ୍ଜରେ ଆସିବୁ ।

 

ସରବା ଚିଠି ଖଣ୍ଡିକ କିଣା ସାମଲ ହାତକୁ ବଢ଼ାଇ ଦେଉ ଦେଉ କହିଲା, ହଉ ।

 

କିଣା ସାମଲ ଆଉ କୁଳ ଗଲେଣି ।

 

କିଛିକ୍ଷଣ ପରେ ସେହି ଚିହ୍ନା ତରୁଣୀ ନର୍ସଟି ସରବାର ଶୋଇଥିବା ଖଟିଆ ପାଖକୁ ଆସି ହସ ହସ ମୁହଁରେ କହିଲା, କେମିତି ଅଛ ? ସରବା ମୁହଁରେ ଟିକେ ପ୍ରତିହସ ଫୁଟାଇ କହିଲା, ଭଲ ଅଛି । ବଡ଼ ଡାକ୍ତର ଆସିଥିଲେ ସେ କହିଯାଇଛନ୍ତି ଏଠି ଆଉ ରହିବାକୁ ହେବ ନାହିଁ–ମୋର ଦେହ ଭଲ ହୋଇ ଗଲାଣି । ମୁଁ ମୋ ବସାକୁ ଫେରି ଯାଇ ପାରିବି ।

 

ବ୍ୟର୍ଥଭରା କରୁଣ ମୂର୍ଚ୍ଛନା ଫୁଟାଇ ସରବା ନିର୍ନିମେଷ ନୟନରେ ଚାହିଁ ରହିଲା ନର୍ସର ମୁହଁକୁ ।

 

ନର୍ସଟି ଦରଦ ମିଶା ସ୍ୱରରେ କହିଲା, ହଁ ତୁମକୁ ଏଠାରେ ଆଉ ରହିବାକୁ ପଡ଼ିବ ନାହିଁ–ଅର୍ଡର ଆସିଛି ତୁମେ କାଲିଠାରୁ ଚାଲିଯିବ ।

 

କାଲିଠାରୁ ଚାଲିଯିବ ! ସରବାର ମନଟା କେମିତିକା ହୋଇଗଲା । ଏହି ନର୍ସଟି, ମାସ ଦି’ଟା ଭିତରେ କେତେ ଯେ ମୋର ସେବା ଆସି ନ କରିଛି । ଔଷଧ ନ ଖାଉଥିଲେ, ଜୋର କରି ମୋ ଦେହ ଭଲ ହୋଇଯିବ ବୋଲି, କେତେ କ’ଣ କହି ଔଷଧ ନ ଖୁଆଇଛି ! ଆଜି ସତେ ସେ ତାକୁ ଛାଡ଼ି... ।

 

କରୁଣବୋଳା କଣ୍ଠରେ ସରବା ସେହି ନର୍ସଟିକୁ କହିଲା, ମୋ ଜୀବନକୁ ତୁମେ ଆଜି ବଞ୍ଚାଇଛ । ତୁମର ସେବା ଯତ୍ନରେ ମୁଁ ପ୍ରକୃତରେ ଆଜି ନୂଆ ଜୀବନ ପାଇଲି । ତୁମର ସେବା ଯୁଗେ ଯୁଗେ ଭୁଲିପାରିବି ନାହିଁ । ମୋ ପରି ଅଧମ ତୁମକୁ କ’ଣ ଦେଇ ଯେ ସନ୍ତୁଷ୍ଟ କରିବ ତାହା ଭାବିପାରୁ ନାହିଁ । ଈଶ୍ୱର ତୁମର ମଙ୍ଗଳ କରନ୍ତୁ । ସରବା ଆଉ କିଛି କହିପାରିଲା ନାହିଁ । କଣ୍ଠ ତା’ର ରୁଦ୍ଧ ହୋଇଗଲା ।

 

ନର୍ସଟି କହିଲା, ନା, ତା’ ନୁହେଁ–ମୁଁ ମୋର କର୍ତ୍ତବ୍ୟ କରିଛି । ଏମିତି ସବୁ ରୋଗୀଙ୍କ ପ୍ରତି କରିଥାଏ । ସମସ୍ତଙ୍କର ଏମିତି ସେବା ଯତ୍ନ କରେ । ନର୍ସଟି ଏହି ପଦକ କହି ଅନ୍ୟ ରୋଗୀମାନଙ୍କ ପାଖକୁ ଚାଲିଗଲା ।

 

ସରବା ତା’ ଖଟିଆରେ ଶୋଇ ଶୋଇ ଭାବିଲା, କେତେ କେଜାଣି ସେ ଭାବନା ! କାଲିରେ ବସାକୁ ଫେରିବ । ହସପାତାଳର ମାସ କେତେଟାର ମମତା-। ଏହି ନର୍ସ, ଏହି ଡାକ୍ତର-। ସମସ୍ତଙ୍କୁ ସେ ଚିହ୍ନିଛି–ସମସ୍ତଙ୍କୁ ନିତିଦିନିଆ ପରି ଦେଖୁଛି ।

 

ତହିଁ ଆରଦିନ ସକାଳ । ଲାଲ ସୂର୍ଯ୍ୟ ଆକାଶରେ ହସି ଉଠିଲାଣି । ଶୀତ ଦିନିଆ କୁହୁଡ଼ି ଘୋଟିଲା ପରି ଅଦିନିଆ କୁହୁଡ଼ିଗୁଡ଼ାକ ଘୋଟିଯାଇଛି ଆକାଶରେ । ଦିନ ବାରି ହେଉନି ।

 

ସରବା ଖଟିଆରୁ ଉଠି ବସିଛି । ଆଜି ସେ ବସାକୁ ତା’ର ଫେରିଯିବ–ବସି ବସି ଭାବୁଛି-। କିଣା ସାମଲ କଥା । କୁଳଭାଇ କଥା । ସକାଳୁ ଆସିବେ ବୋଲି କହିଥିଲେ ।

 

କିଣା ସାମଲ ସକାଳ ଆଠଟାରେ ପହଞ୍ଚିଲା । ସରବାକୁ ସାଙ୍ଗରେ ଆଜି ସେ ନେଇଯିବ ।

 

ପୁନରାୟ ହସପିଟାଲର ବଡ଼ ଡାକ୍ତର ସରବାକୁ କହିଗଲେ, ତୁମେ ଏଣିକି ତୁମ ଘରକୁ ଯାଇପାର ।

 

ସରବା କୃତଜ୍ଞତା ପ୍ରକାଶ କରି କହିଲା, ହେଉ ଆଜ୍ଞା ।

 

ସରବା ମୁହଁରେ ଆନନ୍ଦର ହସ ଫୁଟିଉଠୁଛି । ଥରକ ପାଇଁ ସେ ଡାକ୍ତର ବାବୁଙ୍କୁ କରୁଣ ଚାହାଣୀରେ ଅନାଇ ରହିଛି । ଧନ୍ୟ ଡାକ୍ତର ଧନ୍ୟ ଏମାନେ.... । ସରବା ମୁଣ୍ଡରେ କ୍ଷଣକ ପାଇଁ କେତେ ଭାବନା ଖେଳି ଯାଉଛି ।

 

ଦେଖୁ ଦେଖୁ ମାସ ଦି’ଟା କଟି ଗଲାଣି । ଦିନ କେତେଟା ପରି ଲାଗୁଛି । ବାସ୍ତବିକ୍‌ ଏ ଗୋଟାଏ ସଂସାର । ସୁଖର ନୁହେଁ, ଦୁଃଖର । କାହା ଘର କେଉଁଠି । ଦୈବ ଦୁର୍ବିପାକରେ ହେଉ ବା ନିଜର କର୍ମାର୍ଜିତ ଫଳରୁ ହେଉ ଦାରୁଣ ରୋଗର ଯନ୍ତ୍ରଣା ଭୋଗ କରେ ମଣିଷ । ସେଥିରୁ ସୁଧାରିବାକୁ ମଣିଷ ଲୋଡ଼େ ଅନ୍ୟର ସାହାଯ୍ୟ । ଆସେ ହସପିଟାଲକୁ । ରୋଗ ଭଲ ହୋଇଯାଏ–ମଣିଷ ଆରୋଗ୍ୟ ହୋଇଯାଏ । ଏଇ ମଣିଷର କୋମଳ ପରଶରେ, ସମସ୍ତଙ୍କ ଜୀବନ ଡୋରି ଏଇ ଡାକ୍ତର ଆଉ ନର୍ସମାନଙ୍କ ହାତରେ ବନ୍ଧା । ଧନ୍ୟ ଏମାନଙ୍କର ଜୀବନ–ଧନ୍ୟ ଏମାନଙ୍କର ସାହାସ । କେତେ ଦୁସାଧ୍ୟ ରୋଗକୁ ଭଲ ଏମାନେ ନ କରୁଛନ୍ତି ? କେତେ ଲୋକଙ୍କର ଅମୂଲ୍ୟ ଜୀବନକୁ ବଞ୍ଚାଇ ନ ଦେଉଛନ୍ତି ଏମାନେ ? ସରବା କିଣା ସାଙ୍ଗରେ ଫାଟକ ବାହାରକୁ ଆସୁ ଆସୁ ତା’ ଦି’ ଆଖିରୁ ଦି’ ଟୋପା ଲୁହ ନିଗିଡ଼ିପଡ଼ିଲା ଗାଲ ଉପରେ ।

 

ପିନ୍ଧା କାନିରେ ଲୁହ ପୋଛୁ ପୋଛୁ ସରବା କହିଲା, କିଣା ଦାଦା, ଗୋଟିଏ ରିକ୍‌ସା ଗାଡ଼ି ଡାକ ।

 

କେତେ ରିକ୍‌ସା ଚାଳକ ଘଣ୍ଟା ଟିଂ ଟିଂ କରି ଛୁଟି ଚାଲିଛନ୍ତି ।

 

କିଛିକ୍ଷଣ ପରେ ଗୋଟାଏ ରିକ୍‌ସା ମେଡ଼ିକାଲ ସାମନାରେ ଲାଗିଲା । ସେଥିରେ ଆରୋହୀ କେହି ନ ଥିଲେ ।

 

କିଣା ସାମଲ ସରବାକୁ ସେହି ରିକ୍‌ସାଟିରେ ଯାଇ ବସାଇ ତା’ ବସା ଅଭିମୁଖରେ ଯିବା ପାଇଁ ରିକ୍‌ସା ଚାଳକଟିକୁ କହିଲା ।

 

ରିକ୍‌ସା ଖଣ୍ଡି ଛୁଟି ଚାଲିଲା- ବଡ଼ ବଜାର ଦିଗରେ ।

 

ସାତ

 

କଲ୍ୟାଣୀ ବିଷର୍ଣ୍ଣ ବଦନରେ ଦିନୁକୁ କହିଲା, ତମେ ଶୁଣିଲଣି ନା କ’ଣ ହୋଇଛି ?

 

ଦିନୁ କହିଲା, କ’ଣ ହୋଇଛି କଲ୍ୟାଣୀ ?

 

–ତମେ ଜାଣିବ କିମିତି, ଘରବୁଡ଼ି ପାଣି ଆଣ୍ଠିଏ ହୋଇଗଲାଣି ଯେ ।

 

–ଆରେ କଥାଟା ଆଗ କହ । ଏମିତି ଗୁଡ଼ାଏ କ’ଣ ବକିଯାଉଛୁ ମ !

 

କଲ୍ୟାଣୀ କହିଲା ପଢ଼ିହାରୀ ତମ ନାଁରେ ମୋକଦ୍ଦମା କରିଛି । ତୁଚ୍ଛା କଥାରେ–ତମେ ବଢ଼ିଲ ତା’ ସାଙ୍ଗରେ । କେବେକାର କଥା, ସେ କହିଥିଲା ପରା ଜବତ କରିବ ? ହେଇ ଜବତ କରିବା କାମ କଲା ।

 

–ପଢ଼ିହାରୀ ମୋକଦ୍ଦମା ମୋ ନାଆଁରେ କରିଛି ? ତୋତେ କିଏ କହୁଥିଲା କଲ୍ୟାଣୀ-?

 

–ମୋତେ କିଏ କହିଲା–ଗାଁ ସାରା ଲୋକେ ଜାଣିଲେଣି ।

 

–କାହିଁକି ? କ’ଣ ମୁଁ ତା’ର ଅପରାଧ କଲିକି ମୋ ନାଆଁରେ ମୋକଦ୍ଦମା କରିଛି ସେ-?

 

–କ’ଣ ଅପରାଧ କଲ ? ଜାଣିନା ତମେ ? ଜାଲକାର ଫିସାଦିଆ ପଛକୁହା ଯେଉଁମାନେ ତାଙ୍କୁ କ’ଣ ବେଶୀ ସମୟ ଲାଗିବ ଏଣୁ ତେଣୁ ଦି’ ପାଞ୍ଚ କଥା ଲଗାଇ ମୋକଦ୍ଦମା କରିଦେବାକୁ ?

 

ଦିନୁ ଦୀର୍ଘ ନିଶ୍ୱାସ ପକାଇ କହିଲା, ଓଃ ମିଛକଥା ଲଗାଇ ମୋ ନାଆଁରେ ମୋକଦ୍ଦମା କରିଛି ? ଆଚ୍ଛା, ଓପରେ ଭଗବାନ ଅଛି କଲ୍ୟାଣୀ ।

 

ଗାଁର ମୁଖିଆ ପଢ଼ିହାରୀ–ପଇସା ଅଛି । ହେଲେ କ’ଣ ହେବ ତା’ର ଏଇ ସ୍ୱଭାବଟା ବଡ଼ ମନ୍ଦ । ମିଛ କଥାକୁ ସତ, ସତ କଥାକୁ ମିଛ କହି ନିଇତି କଳିଝଗଡ଼ା ଲଗାଇ ଥାଏ ଗାଁଟାରେ-

 

ଦିନୁ ଭାବୁଛି କାହିଁକି ତାକୁ ଏମିତି କଥା ସେ କହିଦେଲା । ସେହି କଥାକୁ ମନେରଖି ଆଜି ତାକୁ ସେ ବିପଦରେ ପକାଇବାକୁ ଧାଇଁଛି ।

 

ବିପଦ । କି ବିପଦ ? ମୁଁ ତା’ର କିଛି ଅପରାଧ କରିନି ତ । ମୋ ନାଆଁରେ ମୋକଦ୍ଦମା-। ଦିନୁର ଭାବନା–ଆହୁରି ବଢ଼ି ଉଠିଲା ।

 

ତହିଁ ଆରଦିନ ସକାଳ । କଟକ କଚେରିରୁ ପିଆଦାଟାଏ ଆସି ପହଞ୍ଚିଲା । ଦିନୁ ହାତକୁ ସମନଟାଏ ଧରାଇ ଦେଇ କହିଲା, ସେ ପଢ଼ିହାରୀର ଜମି ଉଜରଖ କରି ତା’ ସାଙ୍ଗରେ ମାଡ଼ପିଟ କରିଥିବାରୁ ପଢ଼ିହାରୀ ତା’ ନାଆଁରେ ମୋକଦ୍ଦମା କରିଛି ।

 

ଦିନୁ ବୁଝିଲା ମୋକଦ୍ଦମାର କାରଣଟା କ’ଣ । ନିହାତି ମିଛ କଥାଟା, ସେ କାହିଁକି ପଢ଼ିହାରୀର ଜମି ଉଜରଖ କରନ୍ତା–ମାଡ଼ପିଟ କରନ୍ତା । ଶୁଣି ମୁଣ୍ଡ ତା’ର ଘୂରିଗଲା । ଏମିତି ମିଛ ପୁଣି ମଣିଷ ମୁହଁରେ ଆସେ ?

 

ଦିନୁ ସମନ ଧରିଲା ।

 

କଚେରି ପିଆଦାଟା ଚାଲି ଗଲାଣି ।

 

ଦିନୁ ମୁଣ୍ଡ ଗୁଣା ପୋକ ଖାଇଲା । ମିଛେ ମିଛେ ଏମିତି ପୁଣି ତା’ ଭାଗ୍ୟରେ ଅକାଳ ଚଡ଼କ ପଡ଼ିବ ସେ ଜାଣି ନଥିଲା । ଗରିବ ମୁଣ୍ଡ । ଯାହା ଯେପରି ଜମିବାଡ଼ି ଅଛି–ଆପଣାର ଗୁଜୁରାଣ ଚଳିବା ମୁସ୍କିଲ । ମାଲିମୋକଦ୍ଦମା ପାଇଁ ଟଙ୍କା ସେ କାହୁଁ ପାଇବ ?

 

ଗାଁର ଯିଏ ନାହିଁ ସିଏ ଆସି କହିଲେ, ଦିନୁ ତୁ ପଢ଼ିହାରୀର ହାତ ଓଠ ଧରି କଥାଟାକୁ ମେଣ୍ଟାଇନେ । କିବା କଥାଟା ।

 

କ’ଣ ସେ ଫୟିସାଲା କରି ମେଣ୍ଟାଇ ନେବ ? କିଛି ବୁଝିପାରିଲା ନାହିଁ ମୁଣ୍ଡଟା ତା’ର ଗରମ ହୋଇଗଲା । ସେ କାହାରି କଥାରେ କାନ ଦେଲା ନାହିଁ– ଆଖିରୁ ଲୁହ ଗଡ଼ାଇ କହିଲା, ଓପରେ ଭଗବାନ ଅଛି ।

 

ସଞ୍ଜ ହୋଇ ଆସିଲାଣି । ଦିନୁ ଘର ଭିତରେ ବସିଛି । ସତେଜ ଚେହେରା ବଳିଷ୍ଠ ବପୁ ତା’ର ଝଡ଼ି ପଡ଼ିଲାଣି ଚିନ୍ତାରେ । କଲ୍ୟାଣୀ ସ୍ୱାମୀର ଏପରି ଚେହେରା ଦେଖି ଅଧୀରା ହୋଇପଡ଼ିଲାଣି । ବିପଦରେ ଅସ୍ଥିର ହେଲେ ଚଳିବ ନାହିଁ । ଯାହା ଯେତେବେଳେ ହେବ । ଚିନ୍ତା ଗୋଟା କ’ଣ ? ମନ ଭିତରୁ କିଏ ଯେପରି ତାକୁ ସାହସ ଦେଇ କହୁଛି ।

 

କଲ୍ୟାଣୀ ସ୍ୱାମୀର ଶୁଖିଲା ମୁହଁକୁ ଥରେ ଅନାଇ କହିଲା ତମେ କାହିଁକି ଚିନ୍ତା କରୁଛ ? ଏଇ ଗୋଟାଏ କଥା–ଏଥିପାଇଁ ପୁଣି ଚିନ୍ତା ? ଦେଖାଯିବ । ଆମର କେହି ସାହା ନାହିଁ ସେହି ଭଗବାନ ଛଡ଼ା । ଟଙ୍କା ପଇସା ପାଇଁ ଚିନ୍ତା କରନି । ଅଭାବ ହେଲେ ମୋ ଦେହର ଗହଣାଗାଣ୍ଠି ବିକିଭାଙ୍ଗି ମୋକଦ୍ଦମା ଖର୍ଚ୍ଚରେ ଲଗାଅ । ମୋ ରାଣଟି ତମେ ଏତେ ଚିନ୍ତା କରନା । ତୁମର ଭାବନା ଦେଖିଲେ ମୋ ଆଖିରୁ ଲୁହ ଆସୁଛି । କେଡ଼େ ସୁନ୍ଦର ଚେହେରା ଆସି କ’ଣ ହେଲାଣି କୁହନି ।

 

ଦିନୁ କଲ୍ୟାଣୀ ମୁହଁକୁ ଥରେ ଅନାଇ, ମୁହଁରେ ଟିକେ ଶୁଖିଲା ହସଫୁଟାଇ କହିଲା, କଲ୍ୟାଣୀ ଭାବିଲେ ପ୍ରକୃତରେ କିଛି ହେବ ନାହିଁ । ତଥାପି ଅବୁଝା ମନଟା ମୋଟେ ବୁଝୁ ନାହିଁ–ଲୋକଟାର ଆଚରଣ କଥା ଭାବିଲେ....

 

–ଲୋକଟାର ଆଚରଣ କଥା ତମେ କ’ଣ ଜାଣି ନ ଥିଲ ? ଆଜି ଜାଣୁଛ ? ତା’ ଆଚରଣ ନୂଆ କଥାଟା ନୁହେଁ–ଅତି ପୁରୁଣା । ସେଦିନ ଦେଖିଲ ତ ପାଣୁ ସାହୁକୁ କ’ଣ କଲା ? ପଇସା ବଳରେ ସବୁ ସେମାନେ କରିପାରନ୍ତି । ଦୁନିଆରେ କ’ଣ ବିଚାର ଅଛି ?

 

ଦୀର୍ଘ ନିଶ୍ୱାସ ପକାଇ ଦିନୁ କହିଲା, ହଁ କଲ୍ୟାଣୀ କଥାଟା ନିରାଟ ସତ । ଦୁନିଆରେ ବିଚାର ନାହିଁ । ବିଚାର ଥିଲେ, ଏତେ ଅନ୍ୟାୟ ଅତ୍ୟାଚାର କ’ଣ ବଢ଼ି ଉଠୁଥାନ୍ତା ?

 

–ହଉ ତୁମେ ଖାଇବ ଚାଲ, କଲ୍ୟାଣୀ କହିଲା । ସକାଳୁ ସେମିତି କ’ଣ ଗଣ୍ଡେ ଖାଇ ଉଠି ପଳାଇଲ ଭାତ ଥାଳୀ ପାଖରୁ । ଏମିତି ଅସ୍ଥିର ହେଲେ ଚଳିବ ? ମୋ କଥା ମାନ–ତମେ ମୋଟେ ସେ ବିଷୟ ଚିନ୍ତା କର ନାହିଁ । ଯାହା ଘଟିବ ଘଟୁ ପଛକେ ।

 

ଦିନୁ କହିଲା, ହଁ କଲ୍ୟାଣୀ ତାହା ତ ଠିକ୍‌ । କିନ୍ତୁ.... ।

 

–କିନ୍ତୁ ଆଉ କ’ଣ ?

 

–ହେଇ ଦେଖୁନୁ ପଦେ ପଦେ କଥାର ମାମଲତ–ନିଜ ମାଆ ପେଟର ଭାଇଟା କ’ଣ ସେ ନ କଲା ? ଆପେ ଆପେ ଲୁଚି ଛପି ଘରୁ ଗୋଡ଼ କାଢ଼ି ପଳାଇଗଲା ବିଦେଶକୁ । ଶେଷରେ ଗାଡ଼ିରେ ପୁଣି ଚପା ପଡ଼ିଲା । କହୁଁ କହୁଁ ଦିନୁ ଆଖିରୁ ଲୁହ ଦି’ଟୋପା ନିଗିଡ଼ି ପଡ଼ିଲା । ତା’ କଥା ଆଜି ଭାବିଲେ ଆଖିରେ ଲୁହ ଆସୁଛି । ପିନ୍ଧା କାନିରେ ଲୁହ ପୋଛୁ ପୋଛୁ ଦିନୁ କହିଲା ଜିଇ ବଞ୍ଚି ରହିଥିଲେ ଏମିତି ପୁଣି ବିପଦ ଭୋଗ କରିବାକୁ ହୁଏ କଲ୍ୟାଣୀ । ଏହି କଥାର ଖିଅ ଘେନି–ସେଦିନ ମୁଁ କିବା କଥାଟା କହିଲି ପଢ଼ିହାରୀକି ଯେ ତା’ର ପୁଣି କାରସାଦି ।

 

X X X

 

ମୋକଦ୍ଦମା ତାରିଖ । ଧାନ ଚାଉଳ ବିକି ଦିନୁ ଦୁଇଜଣ ସାକ୍ଷୀ ଯୋଗାଡ଼ କରି ବାହାରି ପଡ଼ିଲା କଚେରିକୁ । କ’ଣ କରିବ ? ନିଜ ଦାନାରୁ କାଟି ପର ପୋଷିବାକୁ ତା’ର ମୋଟେ ଇଚ୍ଛା ନୁହେଁ ।

 

–ଖାଲି ଇଜ୍ଜତ ପାଇଁ ସେ.... । ଯେତେବେଳେ ଯାହା ଘଟିବ ଘଟୁ ପଛେ ସେ ମୋକଦ୍ଦମାରେ ଲଢ଼ିବ ।

 

କୋଟକୁ ଯିବା ଦିନୁର ଏହା ସର୍ବ ପ୍ରଥମ । ସେ ଜୀବନରେ କେବେ ମାଲି ମୋକଦ୍ଦମା କରିନାହିଁ । କିମ୍ୱା କୋଟ୍‌ କଚେରି ମାଡ଼ି ନାହିଁ । ଶୁଣିଛି ସେ କୋଟ୍ କଚେରି ମାମଲାରେ ଯିଏ ପଡ଼ିଛି–ତା’ର କେବେ ମଙ୍ଗଳ ହୋଇନି । ଆଜି ଜାଣୁ ଜାଣୁ ସିଏ ବି ପଡ଼ିବାକୁ ଯାଉଛି । ପ୍ରଥମେ ଦିନୁ କଚେରି ଦୁଆରେ ନ ପହଞ୍ଚୁଣୁ ମୋହରିର୍‌, ଓକିଲ କେତେ ପ୍ରକାର ପରାମର୍ଶ ତାକୁ ଦେଲେ । କେତେ ପ୍ରକାର ବୁଦ୍ଧି ତାକୁ ଶିଖାଇଲେ । ମୁଣ୍ଡ ତା’ର କ’ଣ ହୋଇଗଲା ।

 

ଆଉ ଉପାୟ କିଛି ନ ପାଇ ଓକିଲ ପରାମର୍ଶ ମୁତାବକ ସେ ମୋକଦ୍ଦମାରେ ଲଢ଼ିବ ।

 

କଚେରି ବସିଛି । ଓକିଲମାନେ ମିସଲ ଭିତରେ ବିଭିନ୍ନ ପ୍ରକାର ମୋକଦ୍ଦମା ନେଇ ବ୍ୟସ୍ତ । ପାଖରେ ଥିବା ଲାଇବ୍ରେରୀ ରୁମ୍‌ ଖୋଲାପଡ଼ିଛି । ବିରାଟ ବିରାଟ ଆଇନ ବହି ଆଲମିରା ଭିତରୁ କାଢ଼ି ଓକିଲମାନେ ଆଇନ୍‌ ପଇଣ୍ଟ ଦେଖିବାରେ ଲାଗିଛନ୍ତି । କଚେରି ଘର ଘୋ ଘୋ କମ୍ପୁଛି-। ଆପଣା ଆପଣା କାମରେ ସମସ୍ତେ ବ୍ୟସ୍ତ । ଦିନୁର ମୋକଦ୍ଦମା ବିଚାର ହେଲା ।

 

ଉଭୟ ତରଫର ଓକିଲ ଜେରା କଲେ ।

 

ଦିନୁ ଆପଣା କଥା କହିଲା ।

 

ପଢ଼ିହାରୀ ନିଜର ଫେରାଦ କରିଥିବା ଅଭିଯୋଗରେ ସାକ୍ଷୀ ପ୍ରମାଣ ଦେଖାଇଲା ।

 

ଦିନୁର ସାକ୍ଷୀମାନଙ୍କୁ ଜେରା କରାଗଲା । ସେମାନଙ୍କର ଯାହା କହିବାର କଥା କହିଲେ-। ମାତ୍ର ସିଦ୍ଧାନ୍ତ ହେଲା ନାହିଁ । ମୋକଦ୍ଦମା ତାରିଖ ହୋଇଗଲା ।

 

ଦିନୁ ହାତରେ ନେଇଥିବା ଟଙ୍କା କୋଡ଼ିଏଟି ଭୋଗ ବାଣ୍ଟିଲା ପରି ଓକିଲ, ମୁକ୍ତିଆର ଓ ସାକ୍ଷୀମାନଙ୍କୁ ଦେଉ ଦେଉ ଶେଷ କରିଦେଲା ।

 

ବିରସ ମନରେ ଦିନୁ ଘରକୁ ଫେରିଲା । ସାତଦିନ ପରେ ପୁଣି ମୋକଦ୍ଦମା ବିଚାର ।

 

ଘରେ କଲ୍ୟାଣୀ ଆଗରେ ସବୁ ଗୋଟି ଗୋଟି କରି କହିଲା । କଲ୍ୟାଣୀ ଜାଣେ ମାଲି ମୋକଦ୍ଦମା ଭଲ ନୁହେଁ । ତଥାପି ଜାଣି ଜାଣି ମାଲି ମୋକଦ୍ଦମା ଜାଲରେ ପଡ଼ିବାକୁ ହେଲା ।

 

କ’ଣ ସ୍ୱାମୀକୁ କହିବ ସେ ? କଲ୍ୟାଣୀ ଏତିକି କହିଲା ଯାହା ଯେମିତି କରୁଛ କର–କରିବା ଆଗରୁ ଟିକେ ଭଲ ଲୋକର ପରାମର୍ଶ ନେଇ ଚଳିବ ।

 

ଦିନୁ କହିଲା, କଲ୍ୟାଣୀ । ମୁଁ ଗୋଟାଏ ଦିନରେ କଚେରି ଭିତରେ ପଶି ଯାହାକି ଦେଖିଲି ସେଥିରେ ଭଲ ଲୋକ କେହି ନାହାନ୍ତି । ସମସ୍ତେ ଅଛନ୍ତି ଠକ । ପରତଣ୍ଟି ଚିପି ଆପଣା ପେଟକୁ ବଢ଼ାଉଛନ୍ତି । ନିରୀହମାନଙ୍କୁ ଠକାଇ ତାଙ୍କୁ ବସ ବାସରୁ ଉଠାଉଛନ୍ତି । ଏମିତି ଖେଳ ଦିଇନି ସେଠି ଚାଲିଛି । ଜାଣିଥିଲେ.... ।

 

–ଜାଣିବାକୁ ବାକିଥିଲା ଏତକ, ନୁହେଁ ? –କଲ୍ୟାଣୀ ଥଟ୍ଟା କରି ଦିନୁକୁ କହିଲା ।

 

ଦିନୁ ମୁହଁରେ ଗମ୍ଭୀର ଭାବ ଫୁଟାଇ କହିଲା, ହଁ କଲ୍ୟାଣୀ ଏତକ ମୋର ଜାଣିବାକୁ ବାକି ଥିଲା ।

 

ଦେଖୁ ଦେଖୁ ଦିନ ସାତଟା କୁଆଡ଼େ ଗଡ଼ି ପଡ଼ିଲା । ପୁଣି ମୋକଦ୍ଦମାର ତାରିଖ । ଦିନୁ ହାତରେ ଟଙ୍କା ପଇସା ନାହିଁ । କ’ଣ କରିବ ? ବସି ଭାବୁଛି ।

 

କଲ୍ୟାଣୀ ବୁଝିପାରିଲା ଆଜି ମୋକଦ୍ଦମା ତାରିଖ । ସ୍ୱାମୀ ବୋଧେ ଟଙ୍କା ଯୋଗାଡ଼ କରିପାରିନି । ଯାହା ଯେମିତି ହେଉ ଟଙ୍କା ଯୋଗାଡ଼ କରିଦେବାକୁ ହିଁ ହେବ । କଲ୍ୟାଣୀ ଘର ଭିତରକୁ ଚାଲିଗଲା । ଯାହା ଯେଉଁଠି ଗୋଟାଏ ଦି’ଟା କରି ଟଙ୍କା କେତେଟା ସାଇତି ରଖିଥିଲା ଦିନୁ ହାତକୁ ବଢ଼ାଇ ଦେଲା ଆଣି । ଦିନୁର ଶୁଷ୍କ ପୂର୍ଣ୍ଣ ବଦନରେ କ୍ଷଣକ ପାଇଁ ହସ ଟିକେ ଫୁଟିଉଠିଲା । ହାତରେ ଟଙ୍କା କେତେଟା ଗଣୁ ଗଣୁ ଦିନୁ କଲ୍ୟାଣୀ ମୁହଁକୁ ଅନାଇ କହିଲା, କଲ୍ୟାଣୀ ତିରିଶ ଟଙ୍କା !

 

କଲ୍ୟାଣୀ କହିଲା ହଁ ତିରିଶ ଟଙ୍କା ।

 

–ଏତେ ଟଙ୍କା କେଉଁଠୁ ଆଣିଲ କଲ୍ୟାଣୀ ?

 

–ଚୋରି କରି । ଏତେ ଟଙ୍କା କେଉଁଠୁ ଆଣିଲି ? ତୁମର ଟଙ୍କା, ତୁମରି ଘରେ ଥିଲା–ଘର ଖର୍ଚ୍ଚରୁ କାଟିକୁଟି ଏତେକ ବଞ୍ଚାଇ ରଖିଥିଲି । ସାଇତି ରଖି କ’ଣ ହେବ ? ନିଅ ମୋକଦ୍ଦମା ଖର୍ଚ୍ଚରେ ଲଗାଅ ।

 

ଦିନୁ ପ୍ରାଣରେ ସାହସ ଖେଳିଗଲା । ବସି ଏଣୁ ତେଣୁ ଭାବିବାକୁ ତାକୁ ଆଉ ସମୟ ନାହିଁ । ସାକ୍ଷୀମାନଙ୍କୁ ଧରି କଚେରିକୁ ବାହାରି ପଡ଼ିଲା ।

 

ଯଥା ସମୟରେ ମୋକଦ୍ଦମା ବିଚାର ଚାଲିଲା । ଦିନୁ ଭାବିଥିଲା ଯାହା ହେଉ ଆଜି ନିଶ୍ଚୟ ମୋକଦ୍ଦମା ନିଷ୍ପତ୍ତି ହୋଇଯିବ । ମାତ୍ର ନିଷ୍ପତ୍ତି ହୋଇପାରିଲା ନାହିଁ ।

 

ପଢ଼ିହାରୀ ଓକିଲ ମୁକ୍ତିୟାରମାନଙ୍କୁ ଟଙ୍କା ହାତଗୁଞ୍ଜା ଦେଇଛି । ତାରିଖ ପରେ ତାରିଖ କରି–ଯେପରି ସେ ଦିନୁକୁ ଖର୍ଚ୍ଚାନ୍ତରେ ପକାଇ ହଇରାଣ କରିବ ।

 

ମୋକଦ୍ଦମାର ବିଚାର ପୁଣି ପନ୍ଦରଦିନ ଘୁଞ୍ଚିଗଲା ।

 

ଦିନୁ ହାତରେ ଆଣିଥିବା ତିରିଶଟି ଟଙ୍କା ଆଜି ବି ସେମିତି କେଉଁଆଡ଼େ ଉଡ଼ିଗଲା । କିଛି ସେ ବୁଝିପାରିଲା ନାହିଁ । କ’ଣ କରିବ ? ମୁଣ୍ଡରେ ହାତ ଦେଲା । ସାକ୍ଷୀମାନଙ୍କୁ ଆଗରେ ବିଦା କରିଦେଲା ବାଟଖର୍ଚ୍ଚ ଟଙ୍କା ଦେଇ । ପରେ ଘରକୁ ଫେରୁ ଫେରୁ କେତେ କ’ଣ ଭାବନା ମନରେ ତା’ର ଉଙ୍କି ମାରିଲା । ଦିନ ସାତଟାର କଥା । ଘରୁ ପଚାଶ ଟଙ୍କା ଆଣି କେଉଁଆଡ଼େ ଉଡ଼ାଇ ଦେଲାଣି । କ’ଣ ଆଉ ସେ କରିବ ? ମୋକଦ୍ଦମାରେ ଲଢ଼ିବା ପାଇଁ ସେ ଟଙ୍କା କେଉଁଠୁ ପାଇବ ? ଅଭାବ । ସବୁବେଳେ ତା’ର ଅଭାବ । ଆଜି ତେଲ ନାହିଁ ତ କାଲି ଲୁଣ ନାହିଁ । ଛୋଟ ସଂସାରଟିକୁ ଚଳେଇବା ତା’ ପକ୍ଷରେ କାଠିକର ପାଠ ହୋଇଯାଇଛି । କଲ୍ୟାଣୀ ପରି ସ୍ତ୍ରୀ ପାଇଁ ସିନା ଆଜି ଯାଏ ତା’ର ଭାବନା ନଥିଲା । ସେ ବା ଆଉ କ’ଣ କରିବ ? ତା’ କଥା ଭାବୁ ଭାବୁ ଦିନୁ ନୀରବରେ କାନ୍ଦିପକାଇଲା । କଳ୍ୟାଣୀ ଆଜି ଅନ୍ତଃସତ୍ତ୍ୱା । ପେଟରେ ତା’ର ଶିଶୁ । ଛ’ ମାସ ହୋଇଗଲାଣି । ଆଉ ମାସ କେତେଟା । ରାତି ହେଲାଣି କେଜାଣି କେତେ । ଅସରନ୍ତି ଭାବନା ଭିତରେ ଦିନୁ ଘରେ ପହଞ୍ଚିଲା । ଭାବିଥିଲା କଲ୍ୟାଣୀ ବୋଧେ ଖାଇ ପିଇ ଶୋଇ ଯିବଣି । କିନ୍ତୁ କଲ୍ୟାଣୀ ଖାଇ ନାହିଁ, କି ଶୋଇ ନାହିଁ–ଘରେ ଦୀପଟା ଜଳୁଛି । ନୀରବରେ ଏକା ଏକା ବସିଛି ।

 

ଦିନୁକୁ ଦେଖି କଲ୍ୟାଣୀ ଉଠିପଡ଼ିଲା । ପାଣି ନୋଟାଏ ଦେଲା ଗୋଡ଼ ଧୋଇବାକୁ । ଦିନୁ ଗୋଡ଼ ଧୋଇ ସାରି ଗାମୁଛାରେ ଗୋଡ଼ ପୋଛୁ ପୋଛୁ କହିଲା, କଲ୍ୟାଣୀ ତୁ ଖାଇ ନାହୁଁ ?

 

–ନା ।

 

–ଏତେବେଳ ଯାଏ ଖାଇନୁ ?

 

–ଖାଇବି ତ । ତୁମେ ପରା ନଥିଲ ।

 

ଦିନୁକୁ ଖାଇବାକୁ ନ ଦେଇ କେବେ ଦିନେ ଆଗଭର ହୋଇ କଲ୍ୟାଣୀ ଭାତ ଖାଏ ନାହିଁ । ଆଜି ବା କେମିତି ଖାଇବ ?

 

କଲ୍ୟାଣୀ କହିଲା, ଖିଆ ତ ହେବ । ଆଗ ତମ ମାମଲା କ’ଣ ହେଲା କୁହନି ।

 

ଦିନୁ ଥରିଲା ଗଳାରେ କହିଲା, କ’ଣ ହେବ କଲ୍ୟାଣୀ ? ଖାଲି ହଇରାଣ ହେବା କଥା-। ପଇସା ତ ପାଣି ପରି ଖର୍ଚ୍ଚ ଚାଲିଛି । ଫଳ କିଛି ନାହିଁ–ପୁଣି ତାରିଖ ହୋଇଯାଇଛି । ପନ୍ଦରଦିନ ପରେ ମୋକଦ୍ଦମାରେ ତାରିଖ ପଡ଼ିବ । ପୁଣି ସାକ୍ଷୀ ଦରକାର । ଟଙ୍କା ଦରକାର ।

 

ଏହିପରି ତାରିଖ ପରେ ତାରିଖ ହେବାକୁ ଲାଗିଲା । ମୋକଦ୍ଦମା ଛିଡ଼ିଲା ନାହିଁ । ଦିନୁର ଯାହା ଯେମିତି ଘରକରଣା ଜିନିଷ ଥିଲା ସବୁ ବିକି ମୋକଦ୍ଦମା ଖର୍ଚ୍ଚରେ ଲଗାଇଲା । କଲ୍ୟାଣୀର ହାତ ଗୋଡ଼ ସବୁ ଫୁଙ୍ଗୁଳା । କ’ଣ କରିବ ? ଶେଷରେ ଜମିବାଡ଼ି ଯାହା ଦି’ ମାଣ ଥିଲା ତାକୁ ବନ୍ଧକ ଦେଲା । ତଥାପି ମୋକଦ୍ଦମା ମେଣ୍ଟିଲା ନାହିଁ । ସବୁବେଳେ ଦରକାର ହେଲା ଟଙ୍କା । ଏତେ ଟଙ୍କା ସେ କାହୁଁ ପାଇବ ? ପଢ଼ିହାରୀ ସାଙ୍ଗରେ ଆଉ ଲଢ଼ି ପାରିବ ନାହିଁ । ଏଥର କୁହା ବୋଲା କରି ମୋକଦ୍ଦମାଟା ରଫା କରିନେବ । ଭାବୁଛି । ଭାବନା ତା’ର ଅସରନ୍ତି । ଆଖିରୁ ଝର ଝର ହୋଇ ଝରିପଡ଼ୁଛି ଲୁହ । ଅନ୍ୟାୟ ନିପଟ ଅନ୍ୟାୟ । ଧର୍ମର କ’ଣ ଏହି ବିଚାର । ମନକୁ ତା’ର ବଡ଼ ବାଧିଲା ।

 

ରାତି ହେଲାଣି କେଜାଣି କେତେ । ବର୍ଷା ଗାଳୁଛି ଅବିରାମ । ଘରେ ବତୀ ତେଲ ନାହିଁ-। କଲ୍ୟାଣୀ ଆସନ୍ନପ୍ରସବା । ବଡ଼ କଷ୍ଟ ଅନୁଭବ କରୁଛି ସେହି ଅନ୍ଧାର ଭିତରେ । ପାଖରେ ତା’ର କେହି ନାହିଁ ।

 

ଦିନୁ କଲ୍ୟାଣୀର ଏପରି ଅବସ୍ଥା ଦେଖି ଧୈର୍ଯ୍ୟ ହରାଇ ବସିଲାଣି । ତାକୁ ଉପାୟ କିଛି ଦେଖାଯାଉନି । କ’ଣ କରିବ ? ଦୁଃଖ ଯେତେବେଳେ ଆସେ ତା’ର ସାଙ୍ଗସାଥୀକୁ ଘେନି ଆସେ-। ଦୁଃଖ । ଏମିତି କେତେ ଦୁଃଖ ଦିନୁ ଦିହ ପାତି ସହିଛି । କିନ୍ତୁ ଆଉ ସେ ସହିପାରିବ ନାହିଁ-। କଲ୍ୟାଣୀର ଦୁଃଖ ଆଉ ସେ ଜିଅନ୍ତା ମଣିଷ ରୂପରେ ଦେଖିପାରିବ ନାହିଁ । ହାୟରେ କପାଳ । ମୁଣ୍ଡରେ ହାତଦେଇ ଥକ୍‌କା ହୋଇ ବସିପଡ଼ିଲା ଦିନୁ ।

 

ସେ ଘରୁ କୁଆଁ କୁଆଁ ରାବ ଶୁଭିଲା । ଅନ୍ଧାର, ନିପଟ ଅନ୍ଧାର । ପିଲା ଛୁଆ ବୁଢ଼ା ବୁଢ଼ୀ ଜମା ହୋଇପଡ଼ିଲେ । ସମସ୍ତଙ୍କ ମୁହଁରେ ହସ ଫୁଟିଉଠିଲା । ଦିନୁର ଗୋଟିଏ ପୁଅ ।

 

ଦିନୁ କିନ୍ତୁ ସ୍ଥାଣୁ ପରି ବସି ରହିଥାଏ ଗୋଟାଏ ଜାଗାରେ । ଦିନୁର ମନ ମିଜାଜ ଦେଖି କେହି କିଛି ଠଉରାଇ ପାରିଲେ ନାହିଁ । କଲ୍ୟାଣୀର ଆଜି ପୁଅ । କେତେ ଆନନ୍ଦ ସେ ହେଉ ନ ଥାନ୍ତା ? କାହିଁ ସେ ଆନନ୍ଦ ଆଜି ତା’ ପ୍ରାଣରେ ?

 

ଆଖିରୁ ଲୁହ ପୋଛି ପୋଛି ଦିନୁ ଆଗେଇ ଚାଲିଲା ଗାଁ ସେ ମୁଣ୍ଡ ନିଧି ଶତପଥୀ ଦୋକାନକୁ । କିଛି ଦୋକାନ ସଉଦା ଆଣିବ । ହାତରେ ତା’ର ଗୋଟାଏ ପଇସା ନାହିଁ । ସତେ କ’ଣ ତାକୁ ଫେରାଇ ଦେବ ଶତପଥୀ ? କିଟିକିଟିଆ ଅନ୍ଧାର ରାତି ମୁହଁକୁ ମୁହଁ ଦିଶୁନାହିଁ । ଦିନୁ ଶତପଥୀ ଦୋକାନରେ ପହଞ୍ଚିଲା । ଶତପଥୀ ବୁଢ଼ା ମୁହଁଟେକି ଅନାଇଲା ଦିନୁକୁ ।

 

ଦିନୁ କହିଲା, ନନା ମୁଁ ।

 

–କିଏ ଦିନୁ କିରେ ?

 

ହଁ ନନା ।

 

ଏତେ ରାତିଟାରେ କୁଆଡ଼େ ଆସିଲୁ ।

 

କିଛି ସଉଦା ନେବି ନନା । ହାତରେ ଗୋଟାଏ ପଇସା ନାହିଁ ।

 

ଉଧାର ? ଉଧାର ମୁଁ ତ ବିକୁନାହିଁ । ଯେତେବେଳେ ଆସିଛୁ ନେଇଯାଆ । ହେଇ ଦେଖ, ଦେଖି, ଚାହିଁ ଚଞ୍ଚଳ ଦେଇଦେବୁ ।

 

ଦିନୁ କହିଲା, ହଁ ନନା ଦିନ ପନ୍ଦରଟା ଭିତରେ ଦେଇଦେବି ।

 

ଶତପଥୀ ଦିନୁର କହିବା ମୁତାବକ ଦୋକାନ ସଉଦା ଦେଉ ଦେଉ କହିଲା, ଆଉ କ’ଣ ଖବର ଦିନୁ ? ତୋର ମୋକଦ୍ଦମା ମେଣ୍ଟି ଗଲା ତ ?

 

ଦିନୁ କହିଲା, ନାହିଁ ନନା, ମୋକଦ୍ଦମା ମେଣ୍ଟୁଛି କାହିଁ ? ତାରିଖ ଓପରେ ତାରିଖ । କେବେ ମେଣ୍ଟିବ କିଜାଣି ! ଏହି ମୋକଦ୍ଦମାରେ ମୋର ଅବସ୍ଥା ଆଜି ଏମିତି ହେଲା ନନା । କହୁ କହୁ ଦିନୁ କାନ୍ଦି ପକାଇଲା ।

 

ଶତପଥୀ କହିଲା, କିରେ ଦିନୁ କାନ୍ଦୁଛୁ ? ତୁନି ହ, କପାଳ କଥା, ତୁ କ’ଣ କରିବୁ ?

 

ଦିନୁ ତୁନି ହେଲା । ଗାମୁଛା କାନିରେ ଜିନିଷ ବାନ୍ଧୁ ବାନ୍ଧୁ ଶତପଥୀକୁ ଅନାଇ ଦିନୁ କହିଲା, ନନା, ମୋର ଗୋଟିଏ ପୁଅ ହୋଇଛି ।

 

ସତେ ତୋର ଗୋଟିଏ ପୁଅ ? ମୋତେ ଆଗରୁ କହୁନୁ ଶତପଥୀର ପାକୁଆ ପାଟିରେ କ୍ଷଣିକ ପାଇଁ ଟିକିଏ ହସ ଖେଳିଗଲା । ଶତପଥୀ କେତେ ଆଶୀର୍ବାଦ କଲା ଦିନୁ ପୁଅକୁ ।

 

ଦିନୁ କହିଲା, ହଉ ନନା ମୁଁ ଯାଉଛି ।

 

ଏକା ଏକା ଘରେ କଲ୍ୟାଣୀ ବସିଛି । ନିପଟ ଅନ୍ଧାର । ଦିନୁ ପଡ଼ିଶା ଘରୁ ବତୀ ତେଲ ଟିକେ ଆଣି ଦଣ୍ଡକ ପାଇଁ ଜାଳିଥିଲା । ସେ ବି ନିଭିଗଲାଣି । କଲ୍ୟାଣୀ ସ୍ୱାମୀର ଏପରି ଦାରିଦ୍ର୍ୟ ଦେଖି ନୀରବରେ ଆଖିରୁ ଲୁହ ଗଡ଼ାଉଛି । କଅଁଳା ପୁଅଟା କୁଆଁ କୁଆଁ ରାବରେ ଚିତ୍କାର କରୁଛି ।

 

ଦିନୁ ଘରେ ପହଞ୍ଚି ବତୀଟା ଲଗାଇଲା । କଲ୍ୟାଣୀ ପାଖକୁ ଯାହା ଯେପରି ଦରକାର ଜିନିଷ ଯୋଗାଇ ଦେଲା କଲ୍ୟାଣୀ କହିଲା, ମୋ ରାଣ, ତମେ ଆଉ ଧନ୍ଦି ହୁଅ ନାହିଁ । ଭଗବାନ ଆମର ଭରସା ।

 

ଦିନୁ ଦୀର୍ଘ ନିଶ୍ୱାସ ପକାଇ କହିଲା, କଲ୍ୟାଣୀ ବିପଦରେ ତୋ ପରି ସ୍ତ୍ରୀକୁ ପାଇ ଜୀବନ ମୋର ସାର୍ଥକ ହୋଇଛି ।

 

ଆଠ

 

ହସପିଟାଲରୁ ଆସିବା ସରବାର ମାସ ଗୋଟାଏ ହୋଇଗଲାଣି । ବର୍ତ୍ତମାନ ତା’ର ଗୋଡ଼ ସମ୍ପୂର୍ଣ୍ଣ ଭଲ ହୋଇଯାଇଛି । ସେ ବେଶ୍‌ ସୁସ୍ଥ ସବଳ ମନେକରୁଛି । କାମ କରିବାକୁ ତାକୁ ଆଉ ଭଲ ଲାଗୁନାହିଁ । କିଏ ଏତେ ଝାଳବୁହା ପଥର ବୋଝ କାମ କରିବ ? ଦୁଃଖେକଷ୍ଟେ ବରଷ ଗୋଟାଏ କଟାଇଲାଣି । ମନ କଥା ମନରେ ମରେ । କାହାକୁ କ’ଣ କହିବ ସେ ? ଆପଣା ଧନ୍ଦାରେ ଲାଗେ । ଦିନ ଗଡ଼ି ଚାଲେ । ମନଟା ଆଜି ତା’ର କେମିତିକା କାହିଁକି ଲାଗୁଛି । ସେ ଦିନୁ ଭାଇଠାରୁ ଚିଠି ଖଣ୍ଡେ ପାଇଲାଣି–ଜବାବ ମୋଟେ ଦେଇନାହିଁ । ଭାଇ ତା’ର ଉତ୍ତରକୁ ଚାହିଁ ରହିଥିବ । ସରବା ଭାବୁଛି–ଆଜି ଚିଠି ଖଣ୍ଡେ ଦେବ । ଆଉ ରାଗ କରିବ ରହିବ ନାହିଁ ।

 

ସରବା ଏମିତି କେତେଥର ଭାବେ । ଚିଠି ଲେଖା କାଗଜ ଆଣି ଚିଠି ଲେଖି ବସେ । ହାତ ତା’ର ଅଟକି ଯାଏ । ହାତରୁ କଲମ ଖସିପଡ଼େ । ମୁଣ୍ଡ କେମିତିକା ହୋଇଯାଏ । ଆଉ ସେ ଚିଠି ଲେଖି ପାରେନା । ଦିନ ଗଡ଼ି ଚାଲେ ।

 

ଆଉ ସେ ନୀରବ ରହିପାରିବ ନାହିଁ । ପ୍ରାଣ ତା’ର କାନ୍ଦିଉଠିଲା । ଦୁଆତ କଲମ ଆଣି ଚିଠି ଲେଖି ବସିଲା ।

 

ଭାଇ,

 

ମୋର ପ୍ରଣାମ ନେବ । କ’ଣ ବା ଲେଖିବି ? ତମ ପାଖରେ ମୁଁ ବଡ଼ ଅପରାଧ କରିଛି-। ସେ ଅପରାଧ ପାଇଁ ଦଣ୍ଡ ଯାହା ଦେବ ତାହା ମୁଣ୍ଡପାତି ସହିବି । ରାଗ ତମରେ କଲିକତା ପଳାଇ ଆସିଲି ସିନା, ତା’ର ଫଳ ହାଡ଼େ ହାଡ଼େ ଅନୁଭବ କରୁଛି ମୁଁ । ସବୁ ଦୋଷ ମୋର । ସାନ ଭାଇ ହିସାବରେ ମନରେ ଧରିବ ନାହିଁ । କ୍ଷମା କରିବ । ମୋ ଦେହପାଇଁ ମନରେ କିଛି ଚିନ୍ତା କରିବନାହିଁ-। ମୁଁ ଭଲ ହୋଇ ଗଲିଣି । ନୂଆଉଙ୍କୁ ମୋ ଦେହ କଥା ମଧ୍ୟ କହିବ । କାମକୁ ଯାଉଛି-। ଏ କାମ କରିବାକୁ ମନ ମୋର ଲାଗୁନାହିଁ । ଖାଲି ପଥର ବୋଝ । ଆଖିରେ ଲୁହ ଆସୁଛି । ତୁମ ସ୍ନେହ ଶ୍ରଦ୍ଧା କଥା ଭାବିଲେ । କିଣା ଦାଦା ମୋ ଜୀବନରେ ବଡ଼ ଉପକାର କରିଛନ୍ତି-। ତାଙ୍କ ପାଇଁ ମୁଁ ବିପଦରୁ ଉଧୁରିଛି । ଜୀବନରେ ତାହା ଭୁଲିବି ନାହିଁ । ତମେ କିପରି ଅଛ-? ନୂଆଉ କିପରି ଅଛନ୍ତି-? ଫେରନ୍ତା ଚିଠିରେ ସବୁ ଲେଖିବ ।

ସ୍ନେହର

ସରବା

ଚିଠି ଖଣ୍ଡିକ ଲେଖିସାରି ସରବା ଖାମ ଭିତରେ ପୂରାଇ ଠିକଣା ଲେଖି ଦିନୁ ପାଖକୁ ଡାକରେ ପଠାଇ ଦେଲା ।

ଦିନ ଗଡ଼ିଚାଲିଲା ।

ଯେତିକି ଦିନ ଯାଉଥାଏ–ସେତିକି ସରବା ତା’ ଚିଠିର ଜବାବକୁ ଚାହିଁ ରହୁଥାଏ । ମନଟା ତା’ର ଚଞ୍ଚଳ ହୋଇଉଠିଲା ।

ସେଦିନ ଡାକ ପିଅନ ଚିଠି ଖଣ୍ଡେ ସରବା ହାତକୁ ବଢ଼ାଇ ଦେଲା । ସରବା ଅସ୍ଥିର ହୋଇ ଚିଠି ଖଣ୍ଡିକ ଖୋଲି ପଢ଼ିଲା । ନିଜେ ଦିନୁ ଭାଇ ତା’ର ଲେଖିଛି–

କଲ୍ୟାଣୀୟ ସରବା !

ସ୍ନେହ ନେବୁ । ନୂଆଉଙ୍କର ଶୁଭେଚ୍ଛା ନେବୁ । ତୋ ଚିଠି ପାଇଛି । କ’ଣ ମୁଁ ଉତ୍ତର ଲେଖିବି ? କିଛି ଭାବି ପାରୁନି । ମୁଣ୍ଡ ମୋର ଖରାପ ହୋଇଗଲାଣି । ଭାଗ୍ୟରେ ଥିଲେ ଏମିତି ସବୁ ଘଟେ । ମୁଁ ଆଉ ତୋର ସେ ଦିନୁ ଭାଇ ନାହିଁ । ପଥର ଭିକାରି ହୋଇଯାଇଛି । ପେଟକୁ ଦାନା ନାହିଁ । କଲ୍ୟାଣୀ ହାତ ଗୋଡ଼ ଫୁଙ୍ଗୁଳା । ଘରର ସବୁ ଆସବାବପତ୍ର ଯାଇଛି । ଏପରିକି ଘର ଦି ଖଣ୍ଡି ଛଡ଼ା ସବୁ ଆଜି ପର ହାତରେ । କ’ଣ ବା ସେ ବିଷୟ ଲେଖିବି ?

ପଢ଼ିହାରୀ ମୋ ନାଆଁରେ ମୋକଦ୍ଦମା କରିଛି, ନିପଟ ମିଛ କଥାଟାରେ । ବାପ ଗୋସାପର ବୁନିଆଦି ବଞ୍ଚାଇବା ପାଇଁ ମୁଁ ମୋକଦ୍ଦମାରେ ଲଢ଼ୁଛି । ଶେଷରେ ଭଗବାନ ଯାହା କରିବେ । ମୋ ସୁନା ଭାଇଟା ତୁ ଚିଠି ପାଇ ଶୀଘ୍ର ଘରକୁ ଆସିବୁ । ଆସିଲେ ସବୁ କଥା ଶୁଣିବୁ ।

ରାଗ ତମରେ ଘରୁ ଗୋଡ଼ କାଢ଼ି ପଳାଇ ଗଲୁ ସିନା ! ସେଥିପାଇଁ ମୋ ମନରେ ଦୁଃଖ-। କେତେ କଷ୍ଟ ନ ଭୋଗିଲୁ କହନି ?

ଏତେ ବିପଦ ଭିତରେ ଆମକୁ ଜିଇ ବଞ୍ଚି ରହିବାକୁ ହେଉଛି । ଶୁଣି ଆନନ୍ଦିତ ହେବୁ, ଆମର ଟିକି ପୁଅଟିଏ ହୋଇଛି । ଗରିବ ଘରେ ସେହି ଆମର ଅମୂଲ୍ୟ ନିଧି ।

ତୋର ଯଦି ଟିକି ପୁଅଟିକୁ ଦେଖିବା ଶ୍ରଦ୍ଧା ଥାଏ, ଘରକୁ ଆସିବୁ ।

ତୋର

ଭାଇ

 

ସରବା ଚିଠି ଖଣ୍ଡିକ ଆମୂଳଚୂଳ ପଢ଼ି ଗୁମ୍‌ ମାରି ବସିଗଲା । ଏଡ଼େ ବଡ଼ ବିରାଟ ପର୍ବ ହୋଇଗଲାଣି–ତାକୁ ଆଜି ଜଣା ନାହିଁ ।

 

ଦରକାର ନାହିଁ କଲିକତାରେ ରହିବା । ଲୋଡ଼ା ନାହିଁ ତା’ର ଟଙ୍କା ପଇସା । ସତେ ମ ପଢ଼ିହାରୀଟା କେଡ଼େ ଖରାପ ଲୋକ !

 

ମିଜାଜ ତା’ର ଗରମ ହୋଇଗଲା । ନା–ଆଉ ସେ ଦଣ୍ଡେ ଅପେକ୍ଷା କରିବ ନାହିଁ । ଆଜିରେ ଘରକୁ ଯିବ । ଭାଇଟା ତା’ର କେତେ କଷ୍ଟ ପାଇଲାଣି ।

 

ସଞ୍ଜ ହୋଇ ଆସିଲାଣି । ସେଦିନ ସରବା କିଣା ସାମଲକୁ କହିଲା, କିଣା ଦାଦା, ମୁଁ ଏଠି ଆଉ ଚାକିରି କରିବି ନାହିଁ । ଘରକୁ ଯିବି ।

 

–କିରେ କଥା କ’ଣ ସରବା ?

 

ସରବା ଚିଠି ଖଣ୍ଡିକ କିଣା ସାମଲ ହାତକୁ ବଢ଼ାଇ ଦେଉ ଦେଉ କହିଲା, କିଣା ଦାଦା, ପଢ଼ିହାରୀ ଦିନୁ ଭାଇ ନାଆଁରେ ମୋକଦ୍ଦମା କରିଛି ନିପଟ ମିଛକଥା ଲଗାଇ । ଭାଇର ଅବସ୍ଥା ବଡ଼ ଖରାପ । ମୋତେ ଯିବା ପାଇଁ ଲେଖିଛି ।

 

କିଣା ସାମଲ ଆଖିରେ ଭଙ୍ଗା ଚଷମାଟା ଦେଇ ଚିଠି ଖଣ୍ଡିକ ପଢ଼ିଗଲା । କିଛିକ୍ଷଣ ପରେ ଦୀର୍ଘ ନିଶ୍ୱାସ ପକାଇ କହିଲା, ତା’ହେଲେ ଏମିତି ଘଟଣା ହୋଇଯାଇଛି ସରବା ?

 

ସରବା କହିଲା, ହଁ ଦାଦା ।

 

କିଣା ସାମଲ କହିଲା, ମୁଁ ପରା ଜାଣେ ଦିନୁଟା ବଡ଼ ଜିଦ୍‌ଖୋର । ଏତେ ସରି ଅବସ୍ଥା ହେଲାଣି ଖଣ୍ଡେ ଚିଠି ନାହିଁ–ପଢ଼ିହାରୀ କଥା ଛାଡ଼ିଦେ । ତୁ ତ ପିଲା । ତା’ର ଏଇ ଢଙ୍ଗ ମୁଁ ଦେଖି ଦେଖି ବୁଢ଼ା ହେଲି ସରବା । ଗାଁଟାକୁ ସତ୍ୟାନାଶ କଲା ସେ ।

 

ସରବା ମନେ ମନେ ପଢ଼ିହାରୀ ଉପରକୁ ରକତ ଚାଉଳ ଚୋବାଇଲା ପରି ହେଲା । ହେଲେ କ’ଣ ହେବ ? ଚକି ପାଣି କହୁଣୀକୁ ବୋହିଯାଇଛି । ଆଉ ଉପାୟ ନାହିଁ ।

 

କିଣା ସାମଲ ଆଜିକୁ କେଇମାସ ହେବ ଦେଖୁଛି–ଯେଉଁଦିନଠୁ ସରବା ଗାଡ଼ି ଚପା ପଡ଼ିଲାଣି ସେଇ ଦିନଠୁ ସେ ଆଉ ଭିଡ଼ କାମକୁ ପାରୁ ନାହିଁ । ବାବୁ କେତେଥର ତା’ଉପରେ ବିଗିଡ଼ିଲାଣି । କିଣା ସାମଲ କ’ଣ ବା ଆଉ କହିବ ?

 

ସରବାର ଦରମା ଟଙ୍କା କେତେଟା ବାବୁଠାରୁ ହିସାବ ନିକାଶ କରି ଘେନି ଆସିଲା ।

 

ସରବାର ଘରକୁ ଯିବା ପାଇଁ ମନଟା ବ୍ୟଗ୍ର ହୋଇଉଠିଲା ।

 

କିଣା ସାମଲ ସରବା ହାତକୁ ତା’ ଦରମା ଟଙ୍କା ବଢ଼ାଇ ଦେଉଁ ଦେଉଁ କହିଲା, ସରବା, ଏତକ ଏ ମାସର ଦରମା ତୋର । ସରବା ଟଙ୍କାତକ ପକେଟରେ ରଖୁ ରଖୁ ବସା ଆଡ଼େ ଆଗେଇ ଚାଲିଲା । ରାତି ହୋଇ ଆସିଲାଣି–ଶୀତ ଦିନ ରାତି । ଦିହ ହାତ ଥରିଯାଉଛି ଶୀତରେ । ବସାରେ ପହଞ୍ଚିଲା । ଅସନା ଗଳିଟା । ଦିହଘସିଆ ହୋଇଗଲାଣି । ନର୍ଦ୍ଦମାର ଗନ୍ଧ ପବନରେ ଛୁଟି ଆସୁଛି । ସେଥିକି ଭ୍ରୂକ୍ଷେପ ନାହିଁ । ମନଟା ଆଜି ତା’ର ଭାରି ଆନନ୍ଦ । କେଜାଣି କାହିଁକି ସେହି ଅଜଣା ଆନନ୍ଦ କ୍ଷଣକ ପାଇଁ ମନଟାକୁ ତା’ର ମାଡ଼ି ବସିଛି । ବଜାରକୁ ବାହାରି ପଡ଼ିଲା ସରବା । କିଛି ଜିନିଷ ପତ୍ର କିଣି ଆଣିବ । ଘରକୁ ସେ ଆଜି ଯାଉଛି । ଦେଖୁ ଦେଖୁ ବରଷ ଗୋଟାଏ କଟି ଗଲାଣି । ଖାଲି ହାତଟାରେ କେମିତି ସେ ଘରକୁ ଯିବ ? ନୂଆଉ ତା’ର କ’ଣ କହିବ ?

 

ବାଛି ବାଛି ନୂଆଉ ପାଇଁ ବନାରସି ଶାଢ଼ୀ ଖଣ୍ଡେ କିଣିଲା । ଭାଇ ପାଇଁ ଧୋତି ଆଉ କାମିଜ ଖଣ୍ଡେ କିଣିଲା । ଛୁଆ ପୁଅଟି ପାଇଁ ପ୍ୟାଣ୍ଟ କିଣିଲା-ଖେଳନା ଦୋକାନକୁ ଅନାଇଲା । କେତେ ରକମର ଖେଳଣା ଦୋକାନରେ ବୋଝାଇ ହୋଇଛି । ଦୋକାନ ଭିତରକୁ ପଶିଗଲା ସରବା । ଦୋକାନୀ କେତେ ରକମର ଖେଳନା ଆଣି ଦେଖାଇଲା । ବାଛି ବାଛି ତା’ ମନକୁ ଯେଉଁଟା ପାଇଲା ସେଇଟାକୁ ସେ କିଣିଲା ।

 

ତର ତର ହେଉଛି–ସମୟ ହୋଇଗଲାଣି । ସବୁ ତ କିଣା ହୋଇଗଲା, ରାସ୍ତା ଉପରକୁ ବାହାରି ପଡ଼ି ସରବା ଭାବୁଛି, ଆଉ ବାକି କ’ଣ ରହିଲା ? ମନେପଡ଼ିଲା ବାକି ଅଛି ମିଠେଇ । ଆଗେଇ ଚାଲିଲା ମିଠେଇ ଦୋକାନ ଆଡ଼କୁ । ସାମନାରେ ଭୀମ ନାଗର ମିଷ୍ଟାନ୍ନ ଭଣ୍ଡାର । ସରବା ଗୋଟାଏ ବଡ଼ ଟ୍ରଙ୍କ୍‍ରେ ଜିନିଷ ପତ୍ର ସଜାଇ ରଖୁ ରଖୁ କିଣା ସାମଲ ଆଡ଼କୁ ଅନାଇ କହିଲା, କିଣା ଦାଦା, ଘରକୁ ସିନା ଯାଉଛି ଆଜି, ମନଟା କିନ୍ତୁ ଭାରି ଦୁଃଖ ।

 

କିଣା ସାମଲ କହିଲା, କାହିଁକିରେ ଘରକୁ ଯିବାବେଳେ ମନଟାକୁ ଏତେ ଦୁଃଖ କରୁଛୁ-? ଯାହା ତ ହେବାର ହୋଇଛି–ମନ ଦୁଃଖ କରି ଲାଭ କ’ଣ ? ଚଞ୍ଚଳ କାମ ସାରିଦିଏ ଗାଡ଼ି ସମୟ ହୋଇଗଲାଣି । ସରବା ବସାରେ ପହଞ୍ଚି ନିଜର କାମ ଧନ୍ଦା ସାରିଦେଲା । କ’ଣ ଗଣ୍ଡାଏ ଏଣୁ ତେଣୁ କରି ଖାଇନେଲା, ମନଟା ଚଞ୍ଚଳ ହୋଇ ପଡ଼ିଲାଣି ।

 

ସରବା ଲୁଗା କାମିଜ ପିନ୍ଧି ବାହାରି ପଡ଼ିଛି । କିଣା ସାମଲ ବାକ୍‌ସରୁ ଟଙ୍କା ବାହାର କରି ଆଣି ସରବା ହାତକୁ ବଢ଼ାଇ ଦେଉ ଦେଉ କହିଲା, ସରବା, ତୋର ଏଗାର ମାସର ମୋ ପାଖରେ ଜମା ରଖିଥିବା ତିନିଶ ଟଙ୍କା ଗଣି ନେଏ ।

 

ସରବା ଟଙ୍କାତକ ଗଣି ଅଣ୍ଟାରେ ଭଲକରି ବାନ୍ଧି ରଖିଲା । ସମୟ ହୋଇଯିବା ଦେଖି ଜିନିଷ ପତ୍ର ଗୋଟାଏ ରିକ୍‌ସାରେ ବୋଝାଇ କରି ହାଓଡ଼ା ଷ୍ଟେସନ ଆଡ଼କୁ ଆଗେଇଲା ସରବା ।

 

ହାଓଡ଼ା ଷ୍ଟେସନ ଲୋକାରଣ୍ୟରେ ଗର୍ଜିଉଠୁଛି । ଭୀମ ରଡ଼ିଦେଇ ଏକ୍ସପ୍ରେସ୍ ଗାଡ଼ିଟା ଲାଗିଗଲା ଷ୍ଟେସନରେ ଆସି । ଯିଏ ଯେଉଁଠି ଥିଲେ ଧରାପରା ହୋଇ ଗାଡ଼ି ଭିତରକୁ ଚଢ଼ିଗଲେ-

 

ସରବା ଗୋଟାଏ ଡବା ଭିତରକୁ ସେଇ ଭିଡ଼ ଭିତରେ ବହୁ କଷ୍ଟରେ ପଶିଲା ।

 

କିଣା ସାମଲ ସରବାର ଜିନିଷ ପତ୍ର ବାହାରୁ ଥାଇ ତା’ ହାତକୁ ବଢ଼ାଇ ଦେଲା ।

 

ଗାଡ଼ି ଛାଡ଼ିବା ଛାଡ଼ିବା ହେଲାଣି, କିଣା ସାମଲ କହିଲା–ସରବା, ମୁଁ ଯାଉଛି ।

 

ସରବା ଅଶ୍ରୁ ସଜଳ ନୟନରେ କିଣା ସାମଲ ମୁହଁକୁ ଅନାଇ ରହିଲା ।

 

ଗାଡ଼ି ଧୀରେ ଧୀରେ ଚାଲିଲାଣି । ହାତ ହଲାଇ କିଣା ସାମଲ କହିଲା–ଚିଠି ଦେବୁରେ ସରବା ।

 

ସରବା ଜନଗହଳି ଭିତରୁ ଥାଇ ଜବାବ ଦେଲା–ହଉ ।

 

ଷ୍ଟେସନଟାର ସମସ୍ତ ଆକର୍ଷଣକୁ ପଛକୁ ପକାଇ ଏକ୍‌ସପ୍ରେସ ଗାଡ଼ିଟା ପୁରୀ ଆଡ଼କୁ ବୀର ଦର୍ପରେ ଛୁଟି ଚାଲିଲା । ବିଦାୟ ଦେବା ପାଇଁ ଷ୍ଟେସନକୁ ଆସିଥିବା ଲୋକଗୁଡ଼ାକ ଆପଣା ଆପଣା ଘର ଆଉ ବସା ଅଭିମୁଖରେ ଫେରିଲେ ।

 

ଷ୍ଟେସନରେ ଥିବା କୁଲି ଆଉ ପାନ ସିଗାରେଟ୍‌ ବିକାଳି ଗାଡ଼ିକୁ ଅପେକ୍ଷା କରି ଚାହିଁ ରହିଲେ ।

 

ନଅ

 

ଶୀତ ଦିନ ସକାଳ । ଖିଲି ଖିଲି ହୋଇ ପବନଟା ବହୁଛି । ସକାଳ ସୂର୍ଯ୍ୟର କଅଁଳ ଆଲୋକ ଛାଇ ହୋଇଯାଉଛି ଧରଣୀରେ । ଗାଁର ଛୁଆଁ ପିଲା ବୁଢ଼ା ବୁଢ଼ୀ ଖରାର ଉତ୍ତାପ ଟିକେ ପାଇବା ପାଇଁ ଠୁଳ ହୋଇଛନ୍ତି–ଯେଉଁଠି ଟିକେ ଖରା ପଡ଼ିଛି ।

 

ହାତରେ ଦାଆଟା ଧରିଛି ଦିନୁ । ଧାନ କାଟି ଯିବ ।

 

କଲ୍ୟାଣୀ ଛୁଆ ପୁଅଟିକୁ କାଖରେ ବସାଇ ଗେଲ କରୁଛି ।

 

ଥରକ ପାଇଁ ଦିନୁ ଛୁଆ ପୁଅଟିର ମୁହଁକୁ ଅନାଇ ଦେଲା । ବୁକୁ ଭିତରୁ କୋହଉଠିଲା ତା’ର । ସେ କୋହ ସମ୍ଭାଳି ହେବାର ନୁହେଁ । ଦିନୁର ଦି’ ଆଖିରୁ ଲୁହ ଗଡ଼ି ପଡ଼ିଲା ।

 

କଲ୍ୟାଣୀ ଦିନୁ ମୁହଁକୁ ଅନାଇ କହିଲା, ଏ କ’ଣ ! ତୁମେ କାନ୍ଦୁଛ ଯେ ।

 

ଦିନୁ ଆଖିରୁ ଲୁହ ପୋଛୁ ପୋଛୁ କହିଲା, କଲ୍ୟାଣୀ, ପୁଅଟିର ଭବିଷ୍ୟତ କଥା ଭାବି ମନଟା କେମିତି ହୋଇଯାଉଛି ମୋର ।

 

–ପୁଅର ଭବିଷ୍ୟତ ? କ’ଣ ପୁଅର ଭବିଷ୍ୟତ ଭାବୁଛ ? ଯାହା ତ ହେବାର ହୋଇଛି । ନିଜେ ପୁଅକୁ ଜିଇ ବଞ୍ଚାଇ ରଖ । ତା’ ଭବିଷ୍ୟତ ସେ ଆପେ ଆପେ ଠିକ୍‌ କରିବ ।

 

–ଆପେ ଠିକ୍‌ କରିବ ଯେ, ତା’ ମୁଁ ବୁଝୁଛି କଲ୍ୟାଣୀ । ଶେଷରେ କହିବ, ବାପଟା ମୋର ନିହାତି ଅପଦାର୍ଥ ଥିଲା–କିଛି ମୋ ପାଇଁ ରଖିଯାଇ ନାହିଁ ! ଯେଉଁ ସୁନାଥାଳ ପରି ଜମି କଲ୍ୟାଣୀ–କହୁ କହୁ ଦିନୁ ପୁଣି କାନ୍ଦି ପକାଇଲା ।

 

କଲ୍ୟାଣୀ ଦିନୁ ଆଖିରୁ ଲୁହ ପୋଛି ଦେଉ ଦେଉ କହିଲା, ଛୁଆଙ୍କ ପରି କାନ୍ଦୁଛ ଗୋଟାଏ କ’ଣ ? ଯେମିତି ହେଉ ଭଗବାନ ବଞ୍ଚାଇବେ ଯେ । ଗରିବର ମାଆ ବାପ ସେ । ଦେଖିଲ ତ ଆଣ୍ଟ କରି ପରା ବସିଥିଲା ପଢ଼ିହାରୀ–ଫଳ କ’ଣ ହେଲା ? ଜିଦ୍‌ଟା ତା’ର କେଉଁଆଡ଼େ ଗଲା ? ଏତିକି ହେଲା–ଆମେ କାଙ୍ଗାଳ ହେଲୁ ଖର୍ଚ୍ଚାନ୍ତରେ ପଡ଼ି । ସେ ବଡ଼ ଲୋକ, ତାକୁ ବାଧିଲା ନାହିଁ । ସବୁଦିନେ ସବୁ କଥା ରହେନା । ନୂଆ ହୁଏ ପୁରୁଣା–ପୁରୁଣା ହୁଏ ନୂଆ । କ୍ଷଣକରେ ଆଖି ଆଗରେ ସବୁ ଓଲଟି ପଡ଼େ । ବିଚିତ୍ର ଦୁନିଆ । ତମେ ଜାଣିଲାର ହୋଇ ବାଟବଣା ହେଉଛ-?

 

ଦିନୁ ଏତେ ଦୁଃଖ ଭିତରେ ମୁହଁରେ ହସଟିକେ ଫୁଟାଇ କହିଲା, ସବୁ ବୁଝିଛି କଲ୍ୟାଣୀ, ସବୁ ବୁଝିଛି । ମୁଁ ପରା ସେଦିନୁ ତୋତେ କହିଥିଲି, ଆମର କେବଳ ଭଗବାନ ଭରସା । ମୋକଦ୍ଦମାଟାକୁ ତାରିଖ ପରେ ତାରିଖ କରି କେତେ ଖର୍ଚ୍ଚାନ୍ତରେ ପଢ଼ିହାରୀଟା ଆମକୁ ନ ପକାଇଲା ? ହେଲେ ବିଚାର ତ ହୋଇଛି । ବିଚାର–ଯେଉଁ ବିଚାରକୁ ଅପେକ୍ଷା କରି ମୋରି ପରି କେତେ ଲୋକ ସର୍ବସ୍ୱାନ୍ତ ହୋଇଛନ୍ତି–ପୁଣି କେତେ ଲୋକ ବିଚାରର ମାପକାଠିରେ ନିଜକୁ ଉତ୍ସର୍ଗ କରି ଫାଶୀଖୁଣ୍ଟରେ ଝୁଲୁଛନ୍ତି । ତା’ର ହିସାବ କିଏ ରଖିଛି କଲ୍ୟାଣୀ ?

 

ଦିନୁ ମୋକଦ୍ଦମାରେ ଜିତିଛି । କାହିଁ ତା’ର ଛାତିଟା ତ ଗର୍ବରେ ଫୁଲିଉଠୁନି ? ମନରେ ତା’ର ତ ଆନନ୍ଦ ଆସୁନି ? ସବୁ ଯେମିତି ଶେଷ ହୋଇଯାଇଛି ଏକାଥରେ ।

 

ଭାବନାର ପଶାକାଠି କ୍ଷଣକରେ ଓଲଟି ପଡ଼ିଲା । ଦିନୁ ଦେଖୁଛି ଆଗରେ ତା’ର ଅଭାବ ଅନାଟନ ଜିଭ ଲହ ଲହ କରି ତା’ ନିକଟକୁ ଧାଇଁଛି । ଅନାଇଲା, ଆଖି ସାମନାରେ ତା’ର ଛୁଆ ପୁଅଟି ଗୁଲୁ ଗୁଲୁ ହୋଇ ଖେଳୁଛି । ତା’ ପାଇଁ ଦାନା ଲୋଡ଼ା । ବଞ୍ଚାଇବାକୁ ହେବ ତାକୁ । ଭାବନା ତା’ର ଦୀର୍ଘ ହୋଇଉଠିଲା । ସବୁଦିନ ପରି ହାତରେ ଦାଆଟା ଧରି ବିଲ ଆଡ଼େ ଚାଲିଗଲା ଦିନୁ ।

 

କଲ୍ୟାଣୀ ପୁଅଟିକୁ ଧରି ଘର ଧନ୍ଦାରେ ଲାଗିଲା ।

 

ବେଳ ହେଲାଣି କେତେ । ବିଲରୁ ଧାନ କଟାଳି ଫେରିଲେଣି ।

 

କଲ୍ୟାଣୀ ଦିନୁର ବାଟ ଚାହିଁ ରହିଛି । କେତେବେଳେ ଫେରିବ ? ଖରାବେଳ ଗଡ଼ିଗଲା-। ତଥାପି ଦିନୁ ଫେରିଲା ନାହିଁ ।

 

କେବେ ଏପରି ତ ଡେରି କରନ୍ତି ନାହିଁ । କଲ୍ୟାଣୀ ମନେ ମନେ ଭାବୁଛି । ମନରେ ତା’ର କେତେ ଆଡ଼ୁ କେତେ ଚିନ୍ତା ଖେଳିଗଲା । ମନଟା ଅସ୍ଥିର ହୋଇଉଠିଲା । ଅଗଣାରେ ବସି ସ୍ୱାମୀ କଥା ଭାବୁଛି କଲ୍ୟାଣୀ । ଦାଣ୍ଡରେ ପାଟିଗୋଳ ଶୁଭିଲା । ମନଟା ତା’ର ପାପ ଛୁଇଁଲା । ପାପ ମନ ତ ! ଦାଣ୍ଡ ଦରଜା ପର୍ଯ୍ୟନ୍ତ ଧାଇଁଗଲା ଠୋସ୍‌ରେ । ଆଉ କିନ୍ତୁ ଯାଇପାରିଲା ନାହିଁ । ପାଦ ତା’ର କାହିଁକି ଅଟକିଗଲା । ଆଖି ସାମନାରେ ଦି’ ଚାରିଜଣ ଲୋକ ସ୍ୱାମୀକୁ ତା’ର କାନ୍ଧରେ ପକାଇ ଘର ଭିତରେ ଆଣି ଶୁଆଇ ଦେଲେ । ସ୍ୱାମୀକୁ ଦେଖି କଳାକାଠ ପଡ଼ିଗଲା କଲ୍ୟାଣୀ ।

 

ଏ କ’ଣ ? ସ୍ୱାମୀର ଆଜି ଏ କି ଅବସ୍ଥା ? ଭୋ କରି କାନ୍ଦିଉଠିଲା କଲ୍ୟାଣୀ । କଲ୍ୟାଣୀର କାନ୍ଦଣା ଦେଖି ଛୁଆ ପୁଅଟି ଚିତ୍କାର କରିଉଠିଲା ।

 

ଜମା ହୋଇ ପଡ଼ିଲେ ଗାଁ ଗୋଟାକର ଲୋକ । ବିଲକୁ ଯାଇଥିଲା । ଏ କି ଅବସ୍ଥା ଦିନୁର ? କେହି କିଛି ବୁଝିପାରିଲେ ନାହିଁ । କିଏ ବା ତା’ର ପ୍ରକୃତ ଅବସ୍ଥା ଦେଖିଛି କହିବ ? କିଏ କହିଲା ସାପ କାମୁଡ଼ିଛି, ଗୁଣିଆ ଡାକ । କିଏ କହିଲା, ମୁଣ୍ଡ ଗରମ ହୋଇଯାଇଛି, ମଥାରେ ପାଣି ଛାଟ । ମଥାରେ ପାଣି ଛଟା ହେଲା–ସମସ୍ତେ ଦେଖିଲେ ଦିନୁର ହାତ ପାପୁଲିରେ କାମୁଡ଼ା ଦାଗ । ନିଶ୍ଚୟ ଦନ୍ତଘାତ ହୋଇଛି । ଗୁଣିଆକୁ ଡାକିଲେ । ଗୁଣିଆ ଆସି ଝଡ଼ା ଫୁଙ୍କା କଲା । ମାତ୍ର ବିଶେଷ କିଛି ଫଳ ହେଲା ନାହିଁ । ସମସ୍ତେ କହିଲେ ବିଷ ମଥାକୁ ଚରିଗଲାଣି । ଦି’ ଘଣ୍ଟା ବିତିଗଲା–ତଥାପି ଦିନୁର ଚେତନା ଫେରିଲା ନାହିଁ । କଲ୍ୟାଣୀ ମୁଣ୍ଡ କୋଡ଼ି ହେଲା ।

 

ସମସ୍ତେ ଆହା ଆହା କଲେ ।

 

କାହାରି କଥାକୁ କାନ ଦେଲା ନାହିଁ ଦିନୁ–ସବୁଦିନ ପାଇଁ ଆଖି ଜୋଡ଼ାକ ତା’ର ବୁଜିଦେଲା ।

 

ସମସ୍ତେ କହିଲେ, ଆଉ ହେବ ନାହିଁ, ଶେଷ–ସବୁ ଶେଷ ।

 

ଦିନୁ ମରିଯାଇଛି–କାହିଁ ଏ କଥା ତ ବିଶ୍ୱାସ କରୁନି କଲ୍ୟାଣୀ ? ଏହି ସକାଳ କଥା । ଦାଆଟା ଧରି ବିଲକୁ ବାହାରି ପଡ଼ିଥିଲା ସେ–କେଇ ଘଣ୍ଟାର ତଫାତ ।

 

କଲ୍ୟାଣୀର ବୁକୁ ଫଟାଇ ଦି’ ଆଖିରୁ ଧାରା ଶ୍ରାବଣ ପରି ଛୁଟିଲା ଲୁହର ପ୍ଳାବନ ।

 

ମଣିଷ ଭିଡ଼ରେ ଘରଟା ପୂରିଯାଇଛି । ସମସ୍ତଙ୍କ ଆଖିରେ ଆଜି ଲୁହ । ଯିଏ ଦିନୁକୁ ଦେଖିଯାଉଛି, ସେ ଦଣ୍ଡକ ପାଇଁ କାନ୍ଦି ପକାଉଛି । କିଏ ଜାଣିଥିଲା ନିର୍ମମ ମରଣ ଏତେ ଚଞ୍ଚଳ ଚଳନ୍ତି ପଥଟା ତା’ର ଅଟକାଇ ଦେବ ? ସମସ୍ତେ କହିଲେ, ଚାଣ୍ଡାଳଟା ଚାଲିଗଲା ନାହିଁ ଯେ ଛୁଆ ପିଲାଟିକୁ ଭସାଇ ଦେଇଗଲା ।

 

ଦଶ

 

ସରବା ଆଗେଇ ଚାଲିଛି । ଅନେକ ବାଟ ସେ ଚାଲି ଆସିଲାଣି । କାହିଁ ଧାନମଣ୍ଡଳ–କାହିଁ ତା’ର ଗାଁ କୁସୁପୁର । ଗୋହିରୀ ମଝିରେ ପହଞ୍ଚିଲା, ହାତରେ ତା’ର ଟ୍ରଙ୍କ୍‍ଟା । ବଡ଼ ଭାରି ହୋଇଛି । ସେ ପ୍ରତି ତା’ର ଲକ୍ଷ୍ୟ ନାହିଁ । ମନରେ କେତେ ଫୂର୍ତ୍ତି, କେତେ ଆନନ୍ଦ । ସେ ଆଜି ବର୍ଷକ ପରେ ତା’ର ଜନ୍ମମାଟିକୁ ଫେରିଛି । ଏଇ ଗାଁ ଏଇ ମାଟି । ତାକୁ କେତେ ଆଦର ନ କରିଛି-? ଏହାରି କୋଳରେ କେତେ ଖରା ବର୍ଷା ନ କଟାଇଛି ସେ ! ସବୁକଥା ମନେପଡ଼ିଲା ସରବାର । ଯେତେ ଆଗେଇ ଚାଲୁଥାଏ ସରବା, ସେତେ କଳ୍ପନା ତା’ର ଛୁଟି ଚାଲିଥାଏ ଆଗକୁ ।

 

ଗାଁ ଦାଣ୍ଡରେ ପହଞ୍ଚିଲା । ଗାଁର ସମସ୍ତେ ସରବାକୁ ଦେଖି ଅବାକ୍‌ ହୋଇଗଲେ । ଦିନୁ ଖବରଟାକୁ କହିବା ପାଇଁ କାହାରି ତୁଣ୍ଡ ଖୋଲିଲା ନାହିଁ । କେମିତି ବା କହିବେ ?

 

ସରବା ସାଇରେ ପହଞ୍ଚି ଦେଖିଲା, ଘରେ ଲୋକ ଜମା ହୋଇଛନ୍ତି । ଅସୁମାରୀ ଭିଡ଼ । ଭାବି ଆଶଙ୍କାରେ ସରବାର ଦେହ ଥରି ଉଠିଲା ।

 

ଅସ୍ପଷ୍ଟ ଗଳାରେ ଶୁଣିବାକୁ ପାଇଲା କଲ୍ୟାଣୀର ବ୍ୟାକୁଳ କ୍ରନ୍ଦନ । ମୁଣ୍ଡ ତା’ର ଘୂରିଗଲା । ଆଗକୁ ଆଉ ପାଦ ପକାଇ ପାରିଲା ନାହିଁ । ହାତରୁ ଟ୍ରଙ୍କ୍‌ଟା ତା’ର ତଳେ ଖସିପଡ଼ି ଚୁର୍‌ମାର ହୋଇଗଲା । ସମସ୍ତେ ତଟସ୍ତ ହୋଇ ସରବା ମୁହଁକୁ ଚାହିଁ ରହିଲେ ।

 

ସରବା ଗୁମ୍‌ ମାରି ସାଇ ଅଗଣାରେ ବସିପଡ଼ିଲା । ବୁଦ୍ଧିବଳ ତାକୁ କିଛି ଆଉ ଦିଶିଲା ନାହିଁ ।

 

ପୁରୁଖା ଲୋକ ଆସି ସରବାକୁ ବୁଝାଇଲେ । ସବୁ ତ ସରିଗଲାଣି । ଆଉ ଭାବିଲେ କ’ଣ ହେବ ସରବା ? ଲୁଗାପଟା ଓହ୍ଲାଇ ପକା । ଭାଇର ଶବଦାହ କର ।

 

ଭାଇର ଶବଦାହ ? ଭୋ ଭୋ ରଡ଼ି ଛାଡ଼ିଲା ସରବା । ଭାଇ ଡାକ ସରିଛି । କାହିଁକି ଚାଣ୍ଡାଳ କଲିକତାରୁ ଫେରିଲା ? କାହା ପାଖରେ ଆଉ ସେ ନିଜର ଦୁଃଖହାଲ୍ କଥା କହିବ ? କାହା ପାଖରୁ ଆଖିରୁ ଲୁହ ଗଡ଼ାଇ ନିଜକୁ ଦୋଷୀ ମନେକରି କ୍ଷମା ମାଗିନେବ ?

 

ଲୋକେ ବୁଝାଇଲେ–ସରବା ତୁନିହ । ନୂଆଉକୁ ତୋର ତୁନି କରା । ଛି, ପିଲାଙ୍କ ପରି ଏମିତି ହେଲେ ଚଳିବ ?

 

ସରବା ମନକୁ ବୁଝାଇ ତୁନି ହେଲା । ଘର ଭିତରକୁ ଯାଇ ନୂଆଉର ପାଦ ତଳେ ପଡ଼ି ଦଣ୍ଡବତ କଲା ।

 

କଲ୍ୟାଣୀ ସରବାକୁ ଦେଖି ଭୋ ଭୋ କାନ୍ଦି ପକାଇଲା ।

 

–ସବୁ ତ ସରି ଯାଇଛି–କାନ୍ଦନା ନୂଆଉ, ଭାଇ ଆଉ ଫେରିବେ ନାହିଁ । ଆମ କପାଳରେ ଏହାହିଁ ଲେଖାଅଛି ।

 

ସରବା କାମିଜ ଓହ୍ଲାଇ ପକାଇଲା । ଟ୍ରଙ୍କ୍‌ଟା ସାଇ ଅଗଣାରେ ପଡ଼ି ଭାଙ୍ଗି ଚୂରମାର ହୋଇଯାଇଛି । ତାକୁ ଉଠାଇ ନୂଆଉକୁ ରଖିବାକୁ ଦେଲା । ଅଣ୍ଟାରେ ଖୋସିଥିଲା ଟଙ୍କା ବିଡ଼ାଟା । ବାହାର କରି କଲ୍ୟାଣୀ ହାତକୁ ବଢ଼ାଇ ଦେଉ ଦେଉ ସରବା କହିଲା, ନୂଆଉ ଟଙ୍କା ଏତକ ରଖ । ଭାଇଙ୍କ ହାତରେ ତ ଦେଇପାରିଲି ନାହିଁ । କହୁ କହୁ ସରବା ଆଖିରୁ ଲୁହ ଗଡ଼ି ପଡ଼ିଲା ।

 

କଲ୍ୟାଣୀର ବ୍ୟଥାଭରା ଶୁଖିଲା ଆଖିରୁ ଝରିପଡ଼ିଲା ଦି’ଟୋପା ଲୁହ । ଟଙ୍କା ତକ ହାତରେ ଧରୁ ଧରୁ କଲ୍ୟାଣୀ କହିଲା, ସରବା । ସବୁ ତ ସରିଗଲା । ଏ ଟଙ୍କା କେତୋଟା ରଖି କ’ଣ ଆଉ କରିବି ? ପୋଡ଼ା ଜୀବନରେ ଆଉ କ’ଣ ହେବ ଧନ ସମ୍ପଦ ?

 

ଆଖିର ଲୁହ ପୋଛି କଲ୍ୟାଣୀ ବାକ୍‌ସ ଖୋଲି ଟଙ୍କାତକ ରଖିଲା । ସରବା ଭାଇ ମୁହଁରେ ଚିତାଗ୍ନି ଦେଲା ।

 

ଶ୍ମଶାନରେ ଦିନୁର ଚିତା ଧୂ ଧୂ ହୋଇ ଜଳୁଛି । ସରବା ଚିତାଗ୍ନି ପାଖରେ ଗୋଟାଏ କଡ଼କୁ ବସିଛି । ଆଖି ଦୁଇଟିରୁ ତା’ର ଅନବରତ ଛୁଟିଛି ଧାରା ଶ୍ରାବଣ । ପିଲାବେଳର କଥା । ସବୁ ତା’ର ମନେପଡ଼ୁଛି ଆଜି । ଏଇ ଭାଇ–କେତେ ସ୍ନେହ ଶ୍ରଦ୍ଧା ନକରିଛି ତାକୁ ! ମାଆକୁ ହରାଇଥିଲା-। ମାଆ ଅଭାବରେ ଏମିତି ଦୁଃଖ ଏମିତି ବେଦନା ସେ ଅନୁଭବ କରି ନଥିଲା । ଆଜି କିନ୍ତୁ ଭାଇ ଅଭାବରେ ତାହା ହାଡ଼େ ହାଡ଼େ ଅନୁଭବ କରୁଛି ସରବା । ପ୍ରାଣର ଭାଇ, ସାରା ଜୀବନର ସୁଖ ଦୁଃଖରେ ଯିଏ ଭାଗି । ରୋଗ ଶୋକରେ ଯିଏ ଦରଦୀ । ସେ ଭାଇ ଆଜି ତା’ର ଚାଲିଗଲା । ସବୁ ମାୟା ମମତା ଏଡ଼ିଦେଇ ଚାଲିଗଲା । ହାୟରେ ଜୀବନ !

 

କ୍ଷଣକ ଭିତରେ ଦିନୁର ଚିତା ଜଳି ଭସ୍ମ ହୋଇଗଲା ।

 

ସରବାର ଭାବନା ଭାଙ୍ଗିଲା ନାହିଁ । ଆଖିଲୁହ ଲୁଗା କାନିରେ ପୋଛି ପୋଛି ସରବା ଘରକୁ ଫେରିଲା । ଅବୁଝା ମନଟା ତା’ର ମୋଟେ ବୁଝିଲା ନାହିଁ । ଅନ୍ତର ଭିତରୁ କିଏ ଯେପରି ତାକୁ କହିଲା, ସରବା ! ଭାଇ ଯାର ନାହିଁ କେହି ତା’ର ନାହିଁ ।

Image